ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ପ୍ରାଣଘାତୀ କରୋନା ଭୂତାଣୁର ମୁକାବିଲା ପାଇଁ ଦେଶରେ ୬୮ ଦିନିଆ ଲକଡାଉନ ପରେ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା କାହାରିକୁ ଅଛପା ନାହିଁ । ଭାରତ ପରି ଜନମଙ୍ଗଳ ରାଷ୍ଟ୍ରରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ବୋଧହୁଏ ଭାରତୀୟ ଗଣତାନ୍ତ୍ରୀକ ଇତିହାସରେ ଏକ ବିରଳ ଏବଂ ପ୍ରଥମ ଘଟଣା ବୋଲି କୁହାଯାଇପାରେ । ସରକାରୀ ରିପୋର୍ଟ ଅନୁଯାୟୀ ଦେଶର ବିଭିନ୍ନ ଅଂଚଳରେ କାର୍ଯ୍ୟ କରୁଥିବା ପ୍ରାୟ ୧୦କୋଟିରୁ ଅଧିକ ପ୍ରବାସୀ ଶ୍ରମିକ ଘରକୁ ଫେରିଛନ୍ତି । ସେମାନଙ୍କ ପାଇଁ କେନ୍ଦ୍ର ସରକାର ଏବେ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା କି ସ୍ୱାଗତଯୋଗ୍ୟ । ଦୁଇମାସ ପାଇଁ ମାଗଣା ରେସନ, ଜାତୀୟ ଖାଦ୍ୟ ସୁରକ୍ଷା ସାମିଲ, ଗୋଟିଏ ରାଷ୍ଟ୍ର-ଗୋଟିଏ ରାସନ, ସହରାଚଂଳରେ ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ମୂଲ୍ୟରେ ଘରଭଡା, ମନେରଗା ଯୋଜନାରେ କାମ ଯୋଗାଣ, ଶ୍ରମିକଙ୍କ ଦକ୍ଷତା ମାପି ଦକ୍ଷତା ଅନୁସାରେ କର୍ମ ନିଯୁକ୍ତି ଆଦି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି । ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ କର୍ମ ନିଯୁକ୍ତି ବା କାମ ଯୋଗାଇ ଦେବାର ଏକମାତ୍ର ମାଧ୍ୟମ ହେଉଛି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ନିଶ୍ଚିତ ଯୋଜନା(ମନେରଗା) । ମନେରଗା ପାଇଁ କେନ୍ଦ୍ର ସରକାର ମଧ୍ୟ ୨୦୨୦-୨୧ ଆର୍ଥୀକ ବର୍ଷରେ ଅତିରିକ୍ତ ୪୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପୂର୍ବରୁ ଚଳିତ ବର୍ଷର ବଜେଟରେ ୬୧,୫୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଏବେ ଏହି ଯୋଜନା ଅଟକଳ ୧,୦୧,୫୦୦ କୋଟିରେ ପହଁଚିଛି ।
ଲକଡାଉନ ପରେ ୧୦କୋଟିରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଥିବା ବେଳେ ଆହୁରି କୋଟି କୋଟି ଶ୍ରମିକ ରହିଛନ୍ତି, ଯେଉଁମାନଙ୍କ ନିକଟରେ ଜବ କାର୍ଡ ରହିଛି ଏବଂ ଯେଉଁମାନେ ମନେରଗା ଯୋଜନାରେ କାମ ପାଇବାକୁ ଆଇନତଃ ହକଦାର୍ । ଉଲ୍ଲେଖଯୋଗ୍ୟ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦେଶରେ ଗରିବ ଲୋକଙ୍କୁ ବର୍ଷରେ ଅତି କମରେ ୧୦୦ ଦିନର କାମ ଯୋଗାଇ ଦେବା ଲକ୍ଷ୍ୟରେ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ନିଶ୍ଚିତ ଯୋଜନା(ମନେରଗା) ପ୍ରଣୟନ କରିଥିଲେ । ପରେ ଡଃ ମନମୋହନ ସିଂହଙ୍କ ସରକାର ଅମଳରେ ନରେଗା ପୂର୍ବରୁ ଜାତୀର ପିତା ମହାତ୍ମାଗାନ୍ଧୀଙ୍କ ନାମ ଯୋଡାଯାଇ ଏବେ ଏହା ‘ମନେରଗା’ ନାମରେ ନାମିତ । ମଜୁରୀ ବାବଦ ପ୍ରାପ୍ୟ ସରକାର ଯବକାର୍ଡ ଧାରୀ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦେଇଛନ୍ତି । କେବଳ ଏତିକି ନୁହେଁ ୧୦୦ ଦିନର କାମ ଯୋଗାଇ ନଦେଲେ ଶ୍ରମିକଙ୍କୁ ଭତା ଦେବା ପାଇଁ ଯୋଜନାରେ ବ୍ୟବସ୍ଥା ରହିଛି । ଏହା ସତ୍ୱେ ମନେରଗା ପ୍ରତି ଶ୍ରମିକ ବିମୁଖ ଥିବା ମନେହୁଏ । ଯେଉଁଥିପାଇଁ କି ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି । କାରଣଟି ହେଉଛି ସ୍ୱଳ୍ପ ମଜୁରୀ । ସାଂପ୍ରତିକ ମହଙ୍ଗା ଯୁଗରେ ଯେଉଁଠି ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଆକାଶଛୁଅାଁ, ମନେରଗାର ସ୍ୱଳ୍ପ ମଜୁରୀରେ ପରିବାର ପ୍ରତିପୋଷଣ ଅତ୍ୟନ୍ତ ଜଟିଳ ବ୍ୟାପାର । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମନେରଗା ମଜୁରୀ ଦୈନିକ ୧୮୦ ଟଙ୍କା ଥିବାବେଳେ ନିକଟରେ କେନ୍ଦ୍ର ସରକାର ଏହାକୁ ୨୦୭ ଟଙ୍କାକୁ ବୃଦ୍ଧି କରିଛନ୍ତି । ତେବେ ଓଡିଶାର ୪ଟି ଜିଲ୍ଲା ସମେତ ଦେଶର ୧୧୬ଟି ଜିଲ୍ଲାରେ ଶ୍ରମିକଙ୍କୁ ଅତିରିକ୍ତ ୯୧ଟଙ୍କା ବୃଦ୍ଧି କରାଯାଇ ୨୯୮ ଟଙ୍କା ଦିଆଯାଇଛି । ଯୋଜନାରେ ମାତ୍ର ୧୦୦ ଦିନ କାମ ସାଙ୍ଗକୁ ସ୍ୱଳ୍ପ ମଜୁରୀ ଶ୍ରମିକଙ୍କୁ ଦାଦନ ମୁହାଁ କରିଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ ।
ମନେରଗାରେ ଜଣେ ଶ୍ରମିକ ୧୦୦ ଦିନର କାମ ପାଇବା ନିଶ୍ଚିତ ଥିବାବେଳେ ଅବଶିଷ୍ଟ ୨୬୦ ଦିନର କାମ ପାଇଁ ଦାଦନ ଯିବାକୁ ବାଧ୍ୟ ହେଉଥିବା କୁହାଯାଇପାରେ । ଏବେ ସରକାରୀ ସୂତ୍ରରୁ ଯେଉଁ ତଥ୍ୟ ମିଳିଛି, ତାହା ଯେତିକ ଉସôାହ ଜନକ, ସେତିକ ଚିନ୍ତାଜନକ ବୋଲି କହିଲେ ହୁଏତ ଭୁଲ ହୋଇନପାରେ । କୁହାଯାଇଛି ଯେ, ଦେଶରେ ୮.୪ ଲକ୍ଷ ଶ୍ରମିକ ମନେରଗା ଯୋଜନାରେ ୨ମାସ ଅର୍ଥାତ ୬୦ ଦିନର କାମ ପାଇସାରି ଥିବାବେଳେ ୧.୪ ଲକ୍ଷ ଶ୍ରମିକ ୧୦୦ ଦିନିଆ କଂଟ ପୁରଣ କରିସାରିଛନ୍ତି । ତେବେ ଏହି ଶ୍ରମିକମାନେ କରିବେ କ’ଣ । ଏହାହିଁ ବଡ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ଶ୍ରମିକ ଦାଦନ ଖଟିବାକୁ ଯିବ କିମ୍ବା ବେକାର ହୋଇ ବସି ରହିବ । ଲକଡାଉନ ଯୋଗୁ କାମଧନ୍ଦା ନପାଇ ଶ୍ରମିକଙ୍କ ଦୁର୍ଦ୍ଦଶା କାହାରିକୁ ଅଛପା ନାହିଁ । ପୁଣି ଲକଡାଉନ ଯୋଗୁଁ ଦେଶରେ ୧୦୦କୋଟିରୁ ଉଦ୍ଧ୍ୱର୍ ଯୁବକ ଯୁବତୀ କର୍ମସଂସ୍ଥାନ ହରାଇ ବେକାର ବା ବେରୋଜଗାର ହୋଇଯାଇଛନ୍ତି । ଏପରି ସ୍ଥଳେ ମନେରଗା ସେମାନଙ୍କ ସାହାରା ପାଲଟି ଥିବାବେଳେ ମାତ୍ର ୧୦୦ ଦିନର କଂଟ ପୁରିଯିବା ପରେ ବେକାର ସମସ୍ୟା ଉକôଟ ହେବା ଆଶକାଙ୍କୁ ଅସ୍ୱୀକାର କରାଯାଇ ନପାରେ । ମନେରଗା କାର୍ଯ୍ୟ ଦିବସ କେନ୍ଦ୍ର ସରକାର ଅତି କମରେ ୨୦୦ ଦିନକୁ ବୃଦ୍ଧି କକରିବା ଜରୁରୀ ।