Odisha news

ମାରାତ୍ମକ ସାମାଜିକ ବ୍ୟାଧି ଘରୋଇ ହିଂସା

0

Special story : “ବାପା! ତୋତେ ମୋ’ ରାଣ । ବାପା! ତୋତେ ମୋ’ ରାଣ ବାପା । କାଠଫାଳିଆ ପକେଇ ଦେ । ବାପା! ତୋତେ ମୋ’ ଛୁଆଭାଇ ରାଣ । ବାପା! ତୋତେ ତୋ ପୁଅରାଣ । ବୋଉକୁ ମାରନା, କାଠଫାଳିଆ ପକେଇ ଦେ ।” ରାତି ଦଶଟାବେଳେ ମୋ’ବସାଘର ପଛପଟରେ ନବମଶ୍ରେଣୀରେ ପଢୁଥିବା ପଡୋଶୀ ଝିଅଟି ହଠାତ୍ ଏମିତି ଚିତ୍କାର କରିଉଠିଲା । ବାହାରେ ଘଡଘଡି ଶଦ୍ଦସହ ରହିରହିକା ବିଜୁଳି ମାରୁଥାଏ । କରେଂଟ ନଥାଏ । ଅସହ୍ୟ ଗରମ । ନିଦ କାହାକୁ ହେଉଛି? ମଶାଦାଉରୁ ରକ୍ଷାପାଇବାକୁ ଝରକାକୁ ବାଧ୍ୟରେ ବନ୍ଦ କରିବାକୁ ପଡୁଛି । ଏହି ସମୟରେ ଏମିତି କଣ୍ଠଫଟା ବିକଳ ଚିତ୍କାର ଶୁଣି ଝିରକାଟି ଖୋଲି ସେ ହୃଦୟବିଦାରକ ଦୃଶ୍ୟଟିକୁ ଦେଖିଲି । ମୋ’ପାଚିରି ପାଖକୁଲାଗି ଝରକାସିଧା ମନ୍ଦାରଫୁଲର ଗଛଟିଏ ପଡୋଶୀ ଲଗେଇଛନ୍ତି । ମୁଁ ଝରକାପାଖରେ ଅନ୍ଧାରଘର ଭିତରପଟରୁ ମନ୍ଦାରଫୁଲ ଗଛର ପତ୍ରସନ୍ଦିଦେଇ ଅଗଣାଭିତରେ ସେମାନଙ୍କୁ ଦେଖୁଥିବାର ଅଦୌ କେହି ବି ଜାଣିପାରିବେନି । ତାଙ୍କଘରେ ଇନଭର୍ଟର ଥିବାହେତୁ ଅଗଣା ଭିତରଟି ସମ୍ପୂର୍ଣ୍ଣ ଆଲୋକିତ ଥାଏ । ଅଗଣା ଭୁଇଁଉପରେ ଅର୍ଦ୍ଧନଗ୍ନ ଅବସ୍ଥାରେ ପଡୋଶୀ ଦୁଶାସନଙ୍କ ସ୍ତ୍ରୀ, ପ୍ରେମ ମୁହଁଉପରକୁ କରି ତଳେ ଶୋଇ ଯାଇଥାନ୍ତି । ବୋଉ ପ୍ରେମର ଶରୀରଉପରେ ସେମିତି ଏକାପରି ମୁହଁଉପରକୁ କରି ଶୋଇଯାଇଥାଏ ନବମରେ ପଢୁଥିବା ବଢିଲାଝିଅ ରିଙ୍କି । ସମସ୍ତଙ୍କ ଆଖିରେ ଆଖିଏ ଲେଖା ଲୁହ ।

ଆମ୍ବଗଛରେ କୋଇଲିଟା କୁହୁକୁହୁ ଶଦ୍ଦରେ କାନଫଟାଇ ଦୁଶାସନର କୋ୍ରଧ ବଢାଇଦେବା ପରି ଲାଗୁଥାଏ । ଦୁଶାସନ ପ୍ରେମର ପାଦତଳେ କାଠଫାଳିଆଟିଏ ଦୁଇହାତରେ ଜାବୁଡି ଧରି ପ୍ରେମକୁ ମାରିବାକୁ ଉପରକୁ ଉଚ୍ଚେଇ ବିରମୁଦ୍ରାରେ ଟିକଏ ଆଗକୁଝୁଙ୍କି ଛିଡାହୋଇ ବାଡେଇଦେବାକୁ ବାରମ୍ବାର ଉଦ୍ୟତ ହେଉଥାଏ, ହେଲେ ପାହାର ପ୍ରେମର କୌଣସି ଅଙ୍ଗରେ ପକେଇ ପାରୁନଥାଏ । ପ୍ରତିଥର ଝିଅ ତା ମାଆକୁ ବାପାରପାହାରରୁ ରକ୍ଷା କରିଦେଉଛି । ଏମିତି ଅବସ୍ଥାରେ ତିନିଜଣ ଅଗଣାରେ ଥିବାବେଳେ ଦୁଶାସନର ମାଆବୁଢୀ ତିନିବର୍ଷର ନାତିଟୋକାକୁ କୋଳରେ ଧରି ବାରଣ୍ଡାରେ ବସି ଏସବୁ ଦେଖୁଛି । ଗୋଟିଏପାହାର ପ୍ରେମକାନ୍ଧରେ ପଡିଲାପରେ ଝିଅ ଧାଇଁଆସି ତା’ଉପରେ ଶୋଇ ବାପାକୁ ରାଣନିୟମ ଦେଇ ମାଆକୁ ମାରିବାରୁ ବାରଣ କରୁଛି ।

ଝିଅ ନଥିଲେ ଦ୍ୱିତୀୟପାହାର ଯଦି ପ୍ରେମମୁଣ୍ଡରେ ପଡିଥାନ୍ତା, ତେବେ ସେଇଠି ତା’ର ରାମ ନାମ୍ ସତ୍ୟ । ରାଗିଲୋକ ବ୍ରହ୍ମଚାଣ୍ଡାଳ ସାଙ୍ଗରେ ସମାନ । ବୁଦ୍ଧିବୃତ୍ତି କିଛି ଦେଖାଯିବନି । ପ୍ରଥମପାହାରରେ କାନ୍ଧହାଡ ଚୁନା ହୋଇଯାଇଛି । ସେହି ଯାଗାଟା ଫୁଲିଗଲାଣି, କରୋନାପାଇଁ ସବୁଆଡେ ତାଲାବନ୍ଦି । ଘରେ କୋଉକାଳର ପେନ୍କିଲର୍ ଔଷଧ ଦୁଇଟା ପଡିଥିଲା । ଜୀବନ ବିକଳରେ କଷ୍ଟରୁ ରକ୍ଷାପାଇବାକୁ ସେହି ଔଷଧ ଖାଇକି ପ୍ରେମ ଶୋଇଲା, ସକାଳହେଲେ ଯାହା ହେବ ଦେଖାଯିବ । ଝିଅପୁଅ ରାଣକୁ ଦୁଶାସନ ମାନି କାଠଫାଳିଆ ଫୋପାଡି ଛାତଉପରକୁ ପଳେଇଲା । ଏବେ ସବୁ ଚୁପ୍, ଶାଶୂବୋହୂ ଦୁହେଁ ନୀରବ । ପ୍ରେମକୁ ଖାଲି କଷ୍ଟ ହେବାରୁ ମଝିରେମଝିରେ କ୍ଷୀଣସ୍ୱରରେ କୁଁ କୁଁ ହେଉଥାଏ, କାହାକୁ ଶୁଭୁ ନଥାଏ ।

ମୋ’ବସାଘର ଡାହାଣଝରକା ଖୋଲି ଦେଖିଲି ଅନ୍ୟଏକ ପଡୋଶୀଙ୍କର ସମସ୍ତସଦସ୍ୟ ପଛପଟ ଅଗଣାର ଏ ବିଭସô ଘରୋଇହିଂସାର ଦୃଶ୍ୟ ଦେଖୁଛନ୍ତି । ସକାଳ ହେଲାରୁ ସେହି ଡାହାଣପଟ ପଡୋଶୀଙ୍କୁ ପଛପଡୋଶୀ ଦୁଶାସନ ବିଷୟରେ ଗତକାଲି ରାତିଘଟାଣା ବିଷୟରେ ପଚାରିଲି । ସ୍ତ୍ରୀ ଲୋକମାନଙ୍କର ତ ଗପିବା ସ୍ୱଭାବ, ଜନ୍ମ ସୁଲଭ ଗୁଣ । ସହଜେ ତାଲାବନ୍ଦି ସମୟ । କେହି କାହାଘରକୁ ଯିବା ଆସିବା ନାହିଁ । ତେଣୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ପାଚିରି କଡରେ ଜଣେ ଗପିବା ପାଇଁ ନିମନ୍ତ୍ରଣ ଦେବା କ’ଣ କମ ବଡ କଥା! କେତେ କାଳର ପେଡିଖୋଲି ଭାଉଜ ପଛପଡୋଶୀଙ୍କ ଆମୂଳଚୂଳ ଇତିହାସ ବର୍ଣ୍ଣନା କରି ବସିଲେ ।

ଦୁଶାସନ ବେଣୀରାମ ଯାତ୍ରାପାଟିରେ ଖଳନାୟକ ଅଭିନୟ କରେ । ତା’ସ୍ତ୍ରୀ ପ୍ରେମ ସେହି ପାର୍ଟିର ହିରୋଇନ୍ । ସେତେବେଳେ ଦୁଶାସନକୁ ବର୍ଷକୁ ସତୁରି ହଜାର ଓ ପ୍ରେମକୁ ବର୍ଷକୁ ଚାଳିଶହଜାର ଟଙ୍କା ପାରିଶ୍ରମୀକ ମିଳେ । ଗାଁଗଣ୍ଡା ବୁଲି ମଫସଲ ଅଂଚଳରେ ଯାତ୍ରାକରିବାକୁ ଗଲାବେଳେ ଦୁହେଁ ଏକାଠି ରୁହନ୍ତି । ଏମିତି ରହୁରହୁ ଦୁହିଁଙ୍କ ଭିତରେ ପ୍ରେମ ହୋଇଗଲା । ପ୍ରେମ ହେବାରେ କିଛି ନଥିଲା, କିନ୍ତୁ ପ୍ରେମର ଗର୍ଭ ରହିଗଲା । ଯାତ୍ରାପାର୍ଟି ବହୁତ କ୍ଲବ୍ ଓ ଯାତ୍ରା କମିଟିମାନଙ୍କ ପାଖରୁ ଯାତ୍ରା କରିବାକୁ ଯିବେବୋଲି ଅଗ୍ରୀମ ଟଙ୍କାରଖି ରସିଦ୍ କାଟିଦେଇ ସାରିଥାନ୍ତି । ତେଣୁ ଏମାନଙ୍କୁ ଘରକୁଆସି ବାହାହେବାକୁ ଛୁଟି ମିଳିଲାନି ।

ପ୍ରେମ ପ୍ରଥମଗର୍ଭକୁ ଭଙ୍ଗେଇବାକୁ ରାଜି ହେଲାନି । ସମସ୍ତ ଯାତ୍ରାକାମ ସାରିଲାବେଳକୁ ଛଅମାସ ବିତିଗଲା । ଟିକେଟିକେ ପେଟ ଦେଖାଗଳାଣି । ସେଇ ଅବସ୍ଥାରେ ମୟୁରଭଞ୍ଜ ବାରିପଦାର ଏଇଘରକୁ ଆସି ସେଦୁହେଁ ବାହାହେଲେ । ଘରେ କେବଳ ମାଆଟିଏ । ବାପା, ଭାଇ କି ଭଉଣୀ କେହି ବୋଲେ କେହି ନାହାନ୍ତି । ମାଆ ଦେଖିଲା ପୁଅ କହୁଛି ତା’ର ଛୁଆମାନେ ହଲ୍ଲାପଟା କଲେ ଅସୁବିଧା । ଯଥାକଥା ଫୁଲମାଳ ଦିଆନିଆ ହୋଇ ବାହାଘର ସାରିଦେଲେ । ଦୁଇମାସ ପରେ ଏଇ ଝିଅ ରିଙ୍କି ଜନ୍ମ ହେଲା, ଯିଏ ଏବେ ନବମରେ ପଢିଲାଣି । ତା’ଅର୍ଥ ଏ’କାହାଣୀ ପ୍ରାୟ ପନ୍ଦର ବର୍ଷ ତଳର ଘଟଣା । ତା’ପରେ ପ୍ରେମ ଆଉ ଯାତ୍ରାଦଳରେ ଅଭିନୟ କରିବାକୁ ଗଲାନି କି ଦୁଶାସନକୁ ବି ଛାଡିଲାନି । ଦୁହେଁ ଏଇଠି ଚାରୋଟି ଜର୍ସିଗାଈ ରଖି ଦୈନିକ ପ୍ରାୟ ତିରିଶଚାଳିଶ ଲିଟର୍ କ୍ଷୀରବିକି ଭଲ ରୋଜଗାର କରୁଛନ୍ତି । ମଝିରେମଝିରେ ଶାଶୂ ବୋହୂ ଭିତରେ ଖିଟ୍ପିଟର ଲାଗିଲେ ଶାଶୂ କହେ, ‘ତୁ ଯାତ୍ରାବାଲି ତୋର କ’ଣ ଗୋଟାଏ ଇଜତ ମହତ?’ ଝିଅପରେ ଆଉ କିଛି ପିଲାପିଲି ହେଲେନି । ବାରବର୍ଷ ପରେ ଏବେ ତିନିବର୍ଷ ତଳେ କେମିତି ପୁଣି ଗୋଟିଏପୁଅ ଜନ୍ମ ହୋଇଛି ।

ଘରେ ଏବେ ଦୁଶାସନ, ପ୍ରେମ, ବଡଝିଅ ରିଙ୍କି ଓ ସାନପୁଅ ତିନିବର୍ଷର ରଙ୍କନିଧି । ପୁଅଝିଅ ଦୁଇଟାଙ୍କୁ ଦୁଶାସନ ଭାରି ଭଲପାଏ । ଝିଅସାଙ୍ଗରେ ସକାଳୁ ଚାଲିବାକୁ ଯାଏ, ପୁଅ ସାଙ୍ଗରେ ଅଗଣାାରେ ଦ୍ୱିପ୍ରହର ସାରା ପେଣ୍ଡୁ ଖେଳି ମସ୍ତିକରେ ।

ଯାତ୍ରାକଳାକାର ମାନେ ରାତି ଅନିଦ୍ରାକୁ ଖଳନାୟକ ପରି ଭିଡକାମ । ଗଳାଫଟେଇ ଚିତ୍କାର କରି ଡାୟଲଗ୍ କହିବାକୁ ହେବ । ନିଶାପାଣି ନହେଲେ କ’ଣ କରିହେବ! ଏତେ ବର୍ଷହେଲା ଯାତ୍ରାଦଳରେ ରହି ମଦପିଇବା ଅଭ୍ୟାସ ହୋଇଯାଇଛି । ହେଲେ ଏ’ଯେଉଁ ତାଲାବନ୍ଦି ହେଲା କୋଉଆଡେ କିଛି ମିଳୁନି । କ୍ଷୀର ଦେବାକୁ ସିଏ ଆଉ ସହର ବି ଯାଉନି । ସବୁ ଦହି, ଛେନା କରି ଆଖପାଖର ଲୋକଙ୍କୁ ଶସ୍ତାରେ ଯାଚିକି ଦେଇଦେବାକୁ ହେଉଛି । ଖାଲିଖାଲି ଘରେ ବସି ଚିଡ୍ଚିଡା ହୋଇ ଟିକେଟିକେ କଥାରେ ପ୍ରେମଉପରେ ବିଧାଗୋଈଠା ଲଦିଦେଉଛି । କାଲି ରାତିରେ ଶାଶୂବୋହୂ ଭିତରେ କ’ଣ ଟିକେ ଖିଟ୍ପିଟ୍ ହେଲା ସେ ଝିଅରିଙ୍କିର ସାଙ୍ଗ ମାନଙ୍କୁ ନେଇକି ।

କିଏଗୋଟାଏ ପୁଅସାଙ୍ଗ ରିଙ୍କିକୁ ସନ୍ଧ୍ୟାବେଳେ ଫୋନ୍ କରିଥିଲା ଯେ ବୁଢୀମା ଦେଖିଲା ତା’ସାଙ୍ଗରେ ଇଏ ଚୁପିଚୁପି କଥା ହେଉଛି । ବୁଢୀର ନାତୁଣୀକୁ ସନେ୍ଦହ ହେଲା । ବୁଢୀ କହିଲା, ‘କିଲୋ ଛଟକି! ମାଆର ଗୁଣ କାଢିଲୁଣି କି? କାହା ସାଙ୍ଗରେ କଥା ହେଉଥିଲୁ?’ ପ୍ରେମ ଏ’କଥା ସହି ନପାରି ପଚାରିଲା, ‘ମା ଗୁଣ କ’ଣ କାଢିଲା? ମା’ର କୋଉଗୁଣ ଗୁଡା ଖରାପ ।’ -‘ନାଚବାଲିର କୋଉ ଗୋଟାଏଗୁଣ ଭଲ ଯେ କୋଉଟା ଖରାପ କହିବି! ଖଜୁରୀ ଗଛର ତ ମୂଲରୁ ପାହାଚ ପାହାଚ । ସେମାନେ ତ ବେଶ୍ୟା ସାଙ୍ଗରେ ସମାନ ।’ -‘ତମେ ସବୁ ଘରେରହିଲ ବୋଲି ସତୀ ପଦ୍ମାବତୀ । ଆମେ ଯାତ୍ରାକଲୁ ବୋଲି ବେଶ୍ୟା? ମୁର୍ଖଲୋକ ଗୁଡା କଳାକାରଙ୍କୁ କୁଆଡୁ ବୁଝିବେ?’ – ‘ତୁ କ’ଣ କହୁଛୁ, ବାହାଘର ଦି’ମାସ ପରେ କାହାର ଛୁଆ ହୁଏ ମୋତେ ନେଇ ଦେଖେଇଲୁ?’ -‘ତୋ ପୁଅକୁ ପଚାର, ଏ ଛୁଆ କେମିତି ହେଲା?’ -‘ମୋ ପୁଅସାଙ୍ଗରେ ଆସି ତୁ ଏ’ଘରକୁ ନଷ୍ଟ କରିଦେଲୁ ।’ -‘ମୁଁ କ’ଣ ମନକୁ ମନ ପଳେଇଆସିଛି ।

ତୁ ପରା ନିଜେଯାଇ ଗାନ୍ଧର୍ବମତରେ ବାହାଘର କରି ଘରକୁ ନିଜେନେଇକି ଆସିଛୁ । ଆଜି ଏମିତି ଓଲଟାକଥା କ’ଣ କହୁଛୁ ।’ ଦୁଶାସନ ଦୁହିଁଙ୍କୁ ଚୁପ୍ ରହିବାକୁ କହିକହି ଥକିଲା, କେହି ଶୁଣିଲେନି । ଶେଷରେ କାଠଫାଳିଆ ଧରି ସ୍ତ୍ରୀ ପ୍ରେମକୁ ଗୋଟାଏ ପାହାର ପକେଇଛି, ପ୍ରେମ ତଳେ ପଡି ଗଁଗଁ ହେଲାବେଳକୁ ତା ଉପରେ ଝିଅ ଧାଇଁଆସି ଶୋଇପଡିବାରୁ ଆଉଗୋଟେ ପାହାରରୁ ବଂଚିଗଲା । ନହେଲେ ସେଇଠି କାଲି ତା’କାଳ ପୁରି ଯାଇଥାନ୍ତା । ଝିଅ ରିଙ୍କି ବି ଉପସ୍ଥିତ ବୁଦ୍ଧି ଖର୍ଚ୍ଚକରି ଯେଉଁ ପୁଅ ଝିଅ ରାଣ ବାପାକୁ ଦେଇଦେଲା, ସେଇଟା ପେଟେଂଟ୍ମେଡିସିନ୍ ପରିକା ଦୁଶାସନକୁ କାମକଲା । ନହେଲେ କିଛି କାହାକୁ ସିଏ ଶୁଣିନଥାନ୍ତା ।

ତାଲାବନ୍ଦିର ପ୍ରଥମଦିନଠାରୁ ଆମରାଜ୍ୟ ସରକାରଙ୍କ ତରଫରୁ ସବୁଦିନ ଅପରାହ୍ନ ସାଢେଚାରିଟା ସମୟରେ କରାଯାଉଥିବା ପତ୍ରକାର ସମ୍ମେଳନରେ ହଠାତ୍ ଦିନେ ଉଦ୍ଘୋଷକ ମହୋଦୟ ଘରୋଇହିଂସା ବିଷୟରେ ଚର୍ଚ୍ଚା କରିବାକୁ ଲାଗିଲେ । ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଏ’ସନ୍ଦର୍ଭରେ ବିଶେଷ ସନେ୍ଦଶ ବି ଦେଶବାସୀଙ୍କୁ ଜଣେଇଲେ । ମୋତେ ଏ’ସବୁ ସେଦିନ ଆଦୌ ପ୍ରାସଂଗିକ ଲଗିଲାନି, ଜମାରୁ ହଜମ ହେଉନଥାଏ । ମନେମନେ ଭାବୁଥାଏ ଆମେସବୁ କରୋନା ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣିବାକୁ ଟିଭି ଖୋଲି କେତେବେଳୁ ଟକଟକି ଲଗେଇ ବସିଛେ, ଏମାନେ ଘରୋଇହିଂସା ଆଡକୁ କାହିଁକି ମୁହାଁଇଲେ! ମୁଁ କିନ୍ତୁ ସେଦିନ ଭୁଲ୍ଥିଲି । ଗତକାଲି ରାତିରେ ଯେତେବେଳେ ମୋ’ପଡୋଶୀଙ୍କ ଘରୋଇହିଂସା ସ୍ୱଚକ୍ଷୁରେ ଦେଖିଲି, ମୋର ଆଖି ଖୋଲିଗଲା । ପରେ ମୋତେ ଘରକାମରେ ସାହାଯ୍ୟକରୁଥିବା କୁନୁ ଆସି ଖୁସି ଜାହିର କଲା ଯେ ଆସନ୍ତା ସୋମବାରରେ ସବୁ ଖୋଲିଯିବ । ଯିଏ ଯୁଆଡେ ନିଜ ନିଜର କାମଧନ୍ଦାରେ ଚାଲିଯିବେ । ମୁଁ ପଚାରିଲି, ‘ତୋର ଏତେ ଖୁସି କାହିଁକି? ତୋ’କାମ ତ ତାଲାବନ୍ଦିରେ ବି ଚାଲୁରହିଛି । ଲୁଗା ସଫା, ବାସନ ମଜା ଓ ଘର ପୋଛା ।’ ନାଇଁ ମ ବାବୁ! ମୋ’କଥା ନୁହେଁ । ମୋ’ ମର୍ଦ୍ଦ, ଗେରସ୍ତ କଥା ପଡିଛି । ନିଶାପାଣି ଖିଆ ଲୋକ ।

ବାହାରେ ମିଳୁନି ଯେ ଚାଉଳ ସାଙ୍ଗରେ ସାରପିଡିଆ ମିଶେଇ ଘରେ ଦେଶିମଦ ପୋଚ ତିଆରିକରି ନିଜହାତରେ ରାନ୍ଧି ମଦ ପିଉଛି । କୋଉଦିନ ପୋଲିସ ଧରିଲେ ବହୁତ ମାରିବ । ଖୋଲିଲେ ସିଏ ତା କାମକୁ ପଳେଇବ, ରାସ୍ତାକାମରେ ରୋଲର୍ଗାଡି ଚଲାଏ । ମାସକୁ ବାରହଜାର ଟଙ୍କା ଦରମା ପାଏ ଯେ ତା’ପଇସା ତାକୁ ନିଅଂଟ । ମାଛମାଂସ ପିଆପିଇରେ ସବୁ ଉଡେଇଦିଏ । ବେଳେବେଳେ ମୋ ପାଖରୁ ଟଙ୍କା ମାଗିନେଇ ମଦ ପିଏ । ତାଲାବନ୍ଦି ହେବାଦିନରୁ ଘରେରହିଲା ପରେ ମୋ’ଉପରକୁ ଛଅଥର ହାତ ଉଠେଇ ସାରିଲାଣି । କିଛି କାରଣ ନାହିଁ । ବେଳେବେଳେ ତିଅଣ କାହିଁକି ରାଗ କଲିନି ବୋଲି ମାରିଲା ଦି’ଚାପୁଡା ଯେ ମୋ ବାଁଗାଲ ଫୁଲିଗଲା । ଆଉଥରେ ଖାଇବା ବାଢୁବାଢୁ ଟିକେ ଡେରି ହେବାରୁ ବିଧାଗୋଈଠା ଥୋଇ ଦେଇ, ରାଗ ତମତମ ହୋଇ ବାହାରକୁ ଚାଲିଗଲା । ସନ୍ଧ୍ୟାକୁ ପିଇପାଇ କୋଉଠୁ ଝୁଲିଝୁଲି ଆସିଲା । ସିଏଘରୁ ଚାଲିଗଲେ ମୋ’ର ଶାନ୍ତି । ଏ’ସବୁ କଥାଶୁଣି ସରକାରଙ୍କୁ ଅଶେଷ ଧନ୍ୟବାଦ ଯେ ଘରୋଇହିଂସା ପରି ବିଷୟପ୍ରତି ଆମ ପ୍ରଶାସନ ପ୍ରଥମରୁ ସମ୍ବଦନଶୀଳତାର ସହ ଧ୍ୟାନ ରଖିଛି ଏବଂ ତାଲାବନ୍ଦିର ଶେଷସପ୍ତାହରେ ଏହି ମାରାତ୍ମକ ସମାଜିକ ବ୍ୟାଧି ଘରୋଇ ହିଂସାକୁ ସମ୍ପୁର୍ଣ୍ଣରୂପେ ପ୍ରତିରୋଧ କରିବା ଲାଗି ଆଉରି କିଛି ପଦକ୍ଷେପ ନେବାପାଇଁ ଏହା ପ୍ରକୃଷ୍ଠ ସମୟ ।

Leave A Reply