Odisha news

ସମାଜର ସଠିକ୍ କଥାକୁ ନିର୍ଭୀକ ଭାବେ ଉପସ୍ଥାପିତ କରିବା ସାମ୍ବାଦିକଙ୍କ କର୍ତ୍ତବ୍ୟ ହେବା ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ପଲ୍ଲୀବାଣୀର “ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୪” ସମାରୋହରେ କେନ୍ଦ୍ରମନ୍ତ୍ରୀ

0
• ପୁରସ୍କୃତ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ସାମ୍ବାଦିକତା କ୍ଷେତ୍ରରେ ଯୋଗଦାନକୁ ପ୍ରଶଂସା
• ଅନେକ ପ୍ରତିଭାବାନ ସାମ୍ବାଦିକମାନେ ସରଳ ଓ ରୁଚିକର ଭାଷାରେ ଖବର ଏବଂ ଆଲେଖ୍ୟକୁ ପରିବେଷଣ କରିଥା’ନ୍ତି
• ନିଖୁଣ ଓ ପ୍ରତିଭାବାନ ସାମ୍ବାଦିକଙ୍କୁ ଜାତୀୟ ସ୍ତରରେ ପରିଚିତ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ
• ଖବର ସୁବୁବେଳେ ପ୍ରଭାବଶାଳୀ, କୌଣସି ସାମ୍ବାଦିକ ଛୋଟ କିମ୍ବା ବଡ ନୁହେଁ
• ଓଡ଼ିଶା ଉପରେ ଅଧିକରୁ ଅଧିକ ଚର୍ଚ୍ଚା କରିବା ପାଇଁ ସାମ୍ବାଦିକମାନଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ
• ଆଗାମୀ ପିଢିର ଯୁବ ସାମ୍ବାଦିକମାନେ ସମାଜରେ ନୂଆ ମାପଦଣ୍ଡ ତିଆରି କରନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୧ – ସାଧାରଣ ଲୋକଙ୍କ ଅପେକ୍ଷା ତଥା ସମାଜର ସକରାତ୍ମକ ଓ ସଠିକ୍ କଥାକୁ ନିର୍ଭୀକ ଭାବରେ ଉପସ୍ଥାପିତ କରିବା ଜଣେ ସାମ୍ବାଦିକର କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଆୟୋଜିତ “ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୪” ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଜାତୀୟ ସ୍ତରର ବିଶିଷ୍ଟ ସାମ୍ବାଦିକମାନଙ୍କ ଗହଣରେ ଶ୍ରୀ ପ୍ରଧାନ ସାମ୍ବାଦିକ ମାନଙ୍କୁ ଓଡ଼ିଶା ସାମ୍ବାଦିକତା ପୁରସ୍କାର ଏବଂ ପ୍ରତିଭା ପଟ୍ଟନାୟକ ସାମ୍ବାଦିକ ପୁରସ୍କାରରେ ସମ୍ମାନିତ କରିଥିଲେ । ପୁରସ୍କୃତ ସାମ୍ବାଦିକ ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ ଅନେକ ପ୍ରତିଭାବାନ ସାମ୍ବାଦିକମାନେ ସରଳ ଓ ରୁଚିକର ଭାଷାରେ ଖବର ଏବଂ ଆଲେଖ୍ୟକୁ ପରିବେଷଣ କରିଥା’ନ୍ତି । ଅନେକ ଓଡ଼ିଆ ଜାତୀୟ ସ୍ତରରେ ନିଜର ବ୍ରାଣ୍ଡ୍ ତିଆରି କରିଛନ୍ତି । ଏହି ନିଖୁଣ ଓ ପ୍ରତିଭାବାନ ସାମ୍ବାଦିକମାନଙ୍କୁ ଜାତୀୟ ସ୍ତରରେ ସ୍ଥାପିତ ଓ ପରିଚିତ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ‘ପଲ୍ଲୀବାଣୀ’ ଓଡ଼ିଆ ସାମ୍ବାଦିକମାନଙ୍କୁ ପୁରସ୍କୃତ କରିବାର ପରମ୍ପରାକୁ ଜାରି ରଖିଥିବାରୁ ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥଙ୍କ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କୌଣସି ସାମ୍ବାଦିକ ଛୋଟ କିମ୍ବା ବଡ ନୁହେଁ । ବର୍ତ୍ତମାନ ସୋସିଆଲ୍ ମିଡିଆ ଯୁଗରେ ଖବର ଶୈଳୀ ଓ ଉପଲବ୍ଧି ଭିନ୍ନ ହେଲାଣି । ମାତ୍ର ଖବର ସୁବୁବେଳେ ପ୍ରଭାବଶାଳୀ ହୋଇଥାଏ । ଯେତେବେଳେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ହେବା ଦିଗରେ ଅଗ୍ରସର ହେଉଛି, ଏହି ସମୟରେ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ଓଡ଼ିଶା ଉପରେ ଅଧିକରୁ ଅଧିକ ଚର୍ଚ୍ଚା କରିବା । ଓଡ଼ିଶାର ବିକାଶ ସେତେବେଳେ ହେବ ଯେତେବେଳେ ଏହା ଉପରେ ଅଧିକ ଚର୍ଚ୍ଚା ଆଲୋଚନା ହେବ । ରାଜ୍ୟ, ଦେଶ ଏବଂ ସମ୍ପୂର୍ଣ୍ଣ ମାନବତାର କଲ୍ୟାଣ ପାଇଁ ଆମେ ସମସ୍ତେ ନିଜର ସାମର୍ଥ୍ୟ ଅନୁସାରେ ଦାୟିତ୍ୱ ପାଳନ କରୁ ଏବଂ ଏ ଦିଗରେ ଗଣମାଧ୍ୟମ ଅଗ୍ରଣୀ ଭୂମିକା ନିର୍ବାହ କରିବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି । ଆଗାମୀ ପିଢିର ଯୁବ ସାମ୍ବାଦିକମାନେ ସମାଜରେ ନୂଆ ମାପଦଣ୍ଡ ତିଆରି କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ପୁରସ୍କାର ସମାରୋହରେ ଟିଭି ସାମ୍ବାଦିକ ସୁଶ୍ରୀ ସିକ୍ତା ଦେଓ, କ୍ରୀଡ଼ା ସାମ୍ବାଦିକ ଶ୍ରୀ ସମ୍ବିତ୍ ମହାପାତ୍ର, ଓଟିଭି ରିପୋର୍ଟର ଶ୍ରୀ ମଧୁସୂଦନ ମିଶ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ଶଙ୍କର ନନ୍ଦ, ନ୍ୟୁଜ୍ ୧୮ର ସିନିୟର୍ ଏଡିଟର୍ ଶ୍ରୀ ନରେନ୍ଦ୍ର ଏନ୍ ଜେନା, ଅର୍ଗସ ନ୍ୟୁଜର ସୁଶ୍ରୀ ସତରୁପା ସାମନ୍ତରାୟଙ୍କୁ “ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୪” ପ୍ରଦାନ କରାଯାଇଥିଲା । ସେହିପରି ନ୍ୟୁଜ୍ ୭ର ଆଙ୍କର୍ ଶ୍ରୀମତୀ ଇତିଶ୍ରୀ ନାଏକଙ୍କୁ ପ୍ରତିଭା ପଟ୍ଟନାୟକ ସାମ୍ବାଦିକ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଓଡ଼ିଆ ସାମ୍ବାଦିକତାକୁ ଆଗକୁ ନେବାରେ ପୁରସ୍କୃତ ସାମ୍ବାଦିକମାନଙ୍କ ଯୋଗଦାନକୁ ପ୍ରଶଂସା କରିବା ସହ ସମସ୍ତେ ଗର୍ବିତ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଏହି ସମାରୋହରେ ହିନ୍ଦୁସ୍ତାନର ମ୍ୟାନେଜିଙ୍ଗ୍ ଏଡିଟର ଶ୍ରୀ ପ୍ରତାପ ସୋମବଂଶୀ, ଆଇଏଏନଏସର କୋ- ପ୍ରମୋଟର ଶ୍ରୀ ସନ୍ଦିପ ବାମଜାଇ, ଇକୋନୋମିକ୍ ଟାଇମ୍ସର ଏକ୍ସିକ୍ୟୁଟିଭ୍ ଏଡିଟର ଶ୍ରୀ ପ୍ରଣବ ଧଳ ସାମନ୍ତ ଏବଂ  ପଲ୍ଲୀବାଣୀ ମିଶନର ଚେୟାରମ୍ୟାନ ଶ୍ରୀ ରାମଚନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply