ଗଞ୍ଜାମ ବୁଗୁଡ଼ାରେ ମିଶ୍ରଣ ପର୍ବରେ ପୂର୍ବ ସରକାରଙ୍କୁ ସମାଲୋଚନା ସହ ହିସାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଧାନ ଉପରେ ୧୦୦ ଟଙ୍କା ଅତିରିକ୍ତ ବୋନସ ଦେବା ପାଇଁ ଯେଉଁମାନେ ପ୍ରତିଶ୍ରୁତି ଦେଇଥିଲେ, ସେମାନଙ୍କୁ ଧାନର ଏମଏସପି ୩୧୦୦ ଟଙ୍କା କଷ୍ଟ ଦେଇଛି
• ଗତ ନିର୍ବାଚନରେ ବିଜେଡି ସୋସିଆଲ ମିଡିଆରେ ୮୩ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛି
• ପ୍ରତିଷ୍ଠା ଦିବସ ପାଳୁଥିବା ବିଜେଡି ଓଡ଼ିଶାର ଜନମତକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହିଁ
• ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକଙ୍କ ମତକୁ ଅସମ୍ମାନ କରିଛନ୍ତି
• ବିଜେଡି କର୍ମୀଙ୍କୁ ହାରିବା ହଜମ ହେଉନାହିଁ, ସେମାନେ ଭାବୁଥିଲେ ଓଡ଼ିଶା ଆମ ଜାଗିର
• ବିଜେଡିର ବି ଟିମ ଭାବେ କାମ କରୁଛି କଂଗ୍ରେସ
• ସୁଭଦ୍ରା ଯୋଜନାରେ ୮୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ୪ ହଜାର କୋଟି ଟଙ୍କା ଦିଆଯାଇଛି
• ପୂର୍ବ ସରକାରରେ ଏସଏଚଜି ମହିଳାଙ୍କୁ ମୋଟ ୧୬ ହଜାର ୬୮୬ କୋଟି ଟଙ୍କା ଋଣ ଦିଆଯାଇଥିବା ବେଳେ ସୁଧ ବାବଦକୁ ୬୭୨ କୋଟି ଟଙ୍କା କେନ୍ଦ୍ର ଓ ରାଜ୍ୟ ସରକାର ମିଶି ପରିଶୋଧ କରିଛନ୍ତି
• ମୋଟ ସୁଧ ଟଙ୍କାରୁ ମୋଦୀ ସରକାର ୩୮୦.୯୫ କୋଟି ଟଙ୍କା ଦେଇଥିବା ବେଳେ ନବୀନ ସରକାର ଦେଇଛନ୍ତି ୨୯୧ କୋଟି ଟଙ୍କା
• ମୋଦୀ ସରକାରଙ୍କ ତୁଳନାରେ କମ ସୁଧ ଟଙ୍କା ଦେଇ ନବୀନ ବାବୁ ନଖ କାଟି ଶହୀଦ ହେବାର ଅଭିନୟ କରୁଛନ୍ତି, ତାଙ୍କ ମିଛୁଆ ରାଧୁଆ କାହାଣୀ ଧରା ପଡିଯାଇଛି
• ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ଚାଷୀଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିସାରିଛନ୍ତି, ଏଥିପାଇଁ ଏମଏସପି ମୂଲ୍ୟରେ ୬୨୦ କୋଟି ଟଙ୍କା ଦିଆଯାଇସରିଛି
ବୁଗୁଡ଼ା/ଗଞ୍ଜାମ, ଡିସେମ୍ବର ୨୬ – ଗଣତନ୍ତ୍ରରେ ଜୟ ପରାଜୟ ଏବଂ ସିଟ୍ ସଂଖ୍ୟା ବୃଦ୍ଧି ହ୍ରାସର ତାରତମ୍ୟ ଲାଗି ରହିଥାଏ । ବିଜୟରେ ଉଲ୍ଲସିତ କି ପରାଜୟରେ ହତୋତ୍ସାହିତ ହେବା କଥା ନୁହେଁ । ଗଣତନ୍ତ୍ରରେ ଜନମତକୁ ସ୍ୱୀକାର କରିବା ଦରକାର ବୋଲି ଗୁରୁବାର ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ବିଧାନସଭା ଅଧିବେଶନରେ ବିଗତ ୨୪ ବର୍ଷ ଶାସନରେ ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ମହିଳା ଓ ଚାଷୀମାନଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କରିଥିବା କାମର ହିସାବ ଦେବାକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନରେ ହାର ଜିତ ଅଛି । କଂଗ୍ରେସ ଦଳ ଦେଶର ଲୋକମାନଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖାନ ହୋଇଛି । ବିଜେପି ରାଜ୍ୟରେ ପରାଜୟର ସାମ୍ନା କରି ଜନଆଶୀର୍ବାଦ ପାଇଛି । କିନ୍ତୁ ଆଜି ନିଜର ପ୍ରତିଷ୍ଠା ଦିବସ ପାଳୁଥିବା ବିଜେଡି ଓଡ଼ିଶାର ଜନମତକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହିଁ । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗତ ସାଧାରଣ ନିର୍ବାଚନରେ ହାରିନାହାନ୍ତି ବରଂ ଛଳନା ମାଧ୍ୟମରେ ହରାଇ ଦିଆଯାଇଥିବାର ଦମ୍ଭୋକ୍ତି ବାଢୁଛନ୍ତି, ଯାହା ଦୁଃଖର ବିଷୟ । ବିଜେଡି କର୍ମୀଙ୍କୁ ହାରିବା ହଜମ ହେଉନାହିଁ । ସେମାନେ ଭାବୁଥିଲେ ଓଡ଼ିଶା ଆମ ଜାଗିର । ତେବେ କଂଗ୍ରେସ ବିଜେଡିର ବି ଟିମ ଭାବେ କାମ କରୁଥିବା ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୬ ଅଗଷ୍ଟ ୨୦୨୪ରେ ବିଜୁ ଜନତା ଦଳ ଓଡ଼ିଶାର ନିର୍ବାଚନ କମିଶନରଙ୍କ ପାଖରେ ଏକ ହିସାବ ଦେଇଛି, ଯେଉଁଥିରେ ଉଲ୍ଲେଖ ଅଛି ଗତ ସାଧାରଣ ନିର୍ବାଚନରେ ବିଜେଡି ସାମାଜିକ ଗଣମାଧ୍ୟମରେ ପ୍ରଚାର ବାବଦକୁ ୮୩ କୋଟି ୩ ଲକ୍ଷ ୪ ହଜାର ୧୨ ଟଙ୍କା ଖର୍ଚ୍ଚ କରିଛି । କିନ୍ତୁ ଏହା ଉପରେ ଉତ୍ତର ନ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଏପରି କହି ଓଡ଼ିଆ ଲୋକଙ୍କ ମତକୁ ସେ ଅସମ୍ମାନ କରିଛନ୍ତି । ଓଡ଼ିଆ ଲୋକଙ୍କୁ ପ୍ରତାରଣା କରିଥିବା କାରଣରୁ ଲୋକମାନେ ତାଙ୍କ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଜେପି ସରକାର ଆସିବା ପରେ କଣ କରିଛି ବୋଲି ହିସାବ ମାଗୁଛନ୍ତି । ମୁଁ ହିସାବ ଦେଇ କହୁଛି ଯେ ରାଜ୍ୟରେ ବିଜେପି ସରକାର ହେବା ପରେ ଗତ ୬ ମାସରେ ସୁଭଦ୍ରା ଯୋଜନାରେ ଏ ପର୍ଯ୍ୟନ୍ତ ୮୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ୫ ହଜାର ଟଙ୍କା ହିସାବରେ ମୋଟେ ୪ ହଜାର କୋଟି ଟଙ୍କା ବ୍ୟାଙ୍କ୍ ଖାତାରେ ଦିଆଯାଇଛି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଛୁଇଁବ । ଏହି ପରିମାଣ ସଂଖ୍ୟା ୧୦ ହଜାର କୋଟି ଟଙ୍କା ହୋଇଯିବ ।
ସେହିପରି କେନ୍ଦ୍ର ସରକାରଙ୍କ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ରାଜ୍ୟ ସରକାର ଅଧିକ ୮୦୦ ଟଙ୍କାର ଇନ୍ପୁଟ୍ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିସାରିଛନ୍ତି, ଯାହା ବାବଦକୁ ସରକାର ଏମଏସପି ମୂଲ୍ୟରେ ୬୨୦ କୋଟି ଟଙ୍କା ଚାଷୀଭାଇମାନଙ୍କୁ ଦେଇଛନ୍ତି । ଆଗାମୀ ଦିନରେ ଅଧିକ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ ଆମ ସରକାର ଲକ୍ଷ୍ୟ ରଖିଛନ୍ତି । ସୋହେଲାରେ ଧାନ ଉପରେ ୧୦୦ ଟଙ୍କା ଅତିରିକ୍ତ ବୋନସ ଦେବା ପାଇଁ ଯେଉଁମାନେ ପ୍ରତିଶ୍ରୁତି ଦେଇଥିଲେ, ସେମାନଙ୍କୁ ଧାନର ଏମଏସପି ୩୧୦୦ ଟଙ୍କା ବୃଦ୍ଧି କଷ୍ଟ ଦେଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ ପୋଲସରା ନିର୍ବାଚନମଣ୍ଡଳୀର ବିଜେଡି ଓ କଂଗ୍ରେସ ପାର୍ଟିର ଜନପ୍ରତିନିଧି, କର୍ମୀ ଏବଂ ଶତାଧିକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରି ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଲୋକକଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟ ଉପରେ ଆସ୍ଥା ପ୍ରକଟ କରି ଦଳରେ ମିଶିଥିବାରୁ ଧନ୍ୟବାଦ । ସମସ୍ତଙ୍କ ଉପସ୍ଥିତି ଦଳର ସଂଗଠନକୁ ଅଧିକ ମଜଭୂତ୍ କରିବ ବୋଲି ସେ କହିଛନ୍ତି ।