Odisha news

ଧର୍ମଶାଳାର ଡଙ୍କାରୀ ଓ ରାହାଡପୁର ପାହାଡ ନିଲାମ ନେଇ ଜନଶୁଣାଣୀ

0

ଧର୍ମଶାଳା : ଧର୍ମଶାଳା ତହସିଲ ଅଧିନସ୍ଥ ରାହାଡପୁର ଓ ଡଙ୍କାରୀ ପାହାଡର କଳାପଥର ଖାଦାନ ନିଲାମ ନେଇ ମଙ୍ଗଳବାର ଦିନ ଏକ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । କୋଭିଟ ଗାଇଡ ଲାଇନକୁ ମାନି ସାମାଜିକ ଦୁରତ୍ୱ ଓ ମାକ୍ସ ପରିଧାନ କରି ମହିଶରା ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଜନଶୁଣାଣୀ ଶିବିରରେ ଯାଜପୁର ଏଡିଏମ ଅକ୍ଷୟ କୁମାର ମଲିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଆଂଚଳିକ ପ୍ରଦୁ୍ୟଷଣ ବୋର୍ଡର ଅଧିକାରୀ ପ୍ରମୋଦ ବେହେରା, ପରିବେଶ ମଞ୍ଜୁରୀ ବୋର୍ଡ କଲ୍ୟାଣୀ ଲାବ୍ରୋଟାରିର ଦେବାଶିଷ ବିଶ୍ୱାଳଙ୍କ ଉପସ୍ଥିତିରେ ଏହି ଜନଶୁଣାଣୀ ହୋଇଥିଲା ।

ଡଙ୍କାରୀ ଓ ରାହାଡପୁର କଳାପଥର ଖାଦାନକୁ ନିଲାମ କରିବା ନିମନ୍ତେ ଏକ ଜନଶୁଣାଣୀ କରିବା ନେଇ ସ୍ଥାନୀୟ ଲୋକମାନଙ୍କୁ ପୁର୍ବରୁ ଅବଗତ କରାଯାଇଥିଲା । ତେବେ ଆଜି ପ୍ରତିକୁଳ ପାଗ ସତ୍ୱେ ସ୍ଥାନୀୟ ଡଙ୍କାରୀ, ରମ୍ପେଇ,ରାହାଡପୁର ଓ ମହିଶରା ଆଦି ଗ୍ରାମର ବହୁଲୋକମାନେ ଉପସ୍ଥିତ ରହି ନିଜ ନିଜ ମତ ଦେଇଥିଲେ । ସୂଚନା ଯୋଗ୍ୟ ଯେ ଡଙ୍କାରୀ ଓ ରାହାଡପୁର କଳପଥର ପାହାଡରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ପଥର ଉତ୍ତୋଳନ ଉପରେ ରୋକ ଲଗାଯାଇଛି । ଏହିଅଂଚଳର କଳାପଥର ଖାଦାନ ବନ୍ଦ ରହିବା ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ସ୍ଥାନୀୟ ଅଂଚଳର ଲୋକମାନେ ରୋଜଗାର ହରାଇ ବସିଛନ୍ତି ।

ଏବେ କୋଭିଟ ପାଇଁ ଲୋକମାନଙ୍କ ଅର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ବିଭିନ୍ନ ରାସ୍ତା ଘାଟର ନିର୍ମାଣ ପାଇଁ ଆବଶ୍ୟକ କଳାପଥର ଯୋଗଇଦେବା ନିମନ୍ତେ ଏହି ଖାଦାନ ଗୁଡିକୁ ଚଳାଇବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଖାଦାନ ଗୁଡିକ ଚାଲିବା ଫଳରେ ଲୋକେ ରୋଜଗାର ପାଇବା ସହିତ ସରକାର ରାଜସ୍ୱ ପାଇବେ । ଅନ୍ୟପଟେ ଚୋରୀକୁ ମଦ୍ୟ ରୋକାଯାଇ ପାରିବ । ଯାହାକୁ ନେଇ ଏହି ଖାଦାନ ଗୁଡିକୁ ନିଲାମ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯିବା ସହ ସ୍ଥାନୀୟ ଲୋକମାନଙ୍କ ଆପତି ଅଭିଯୋଗ ଶୁଣାଣୀ କରିବା ଲାଗି ପ୍ରଶାସନ ପକ୍ଷରୁ ଏହି ଜନ ଶୁଣାଣୀ ତାରିଖ ଧାର୍ଯ୍ୟ କରାଯାଇଥିଲା । ଆଜି ବିଶେଷ କରି ରାହାଡପୁର ପାହାଡର କ୍ଲଷ୍ଟର ୭ରେଥିବା ୧୨ ଗୋଟି ଖାଦାନ ଓ ଡଙ୍କାରୀ ପାହାଡର କ୍ଲଷ୍ଟର ୫ରେଥିବା ୨୪ ଗୋଟି ଖାଦାନ ନିଲାମ ନିମନ୍ତେ ଏହି ଜନଶୁଣାଣୀ ହୋଇଥିଲା ।

ଏହି ଜନଶୁଣାଣୀ ସକାରତ୍ମକ ହୋଇଥିବା ପ୍ରସାସନ ପକ୍ଷରୁ କୁହାଯାଇଛି । ଲୋକମାନଙ୍କର ହିତକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଂଚଳରେ ପରିବେଶ, ସ୍ୱସ୍ଥ୍ୟ,ଗମନାଗମନ ଓ ପାନୀୟ ଜଳର ବ୍ୟବସ୍ଥାକୁ ସୁଚାର ରୁପେ କରାଇବାକୁ ପ୍ରଶାସନ ପକ୍ଷରୁ ପ୍ରତିସୃତି ଦିଆଯାଇଥିଲା । ତେବେ ଆଗାମୀ ଦିନରେ ଉପରୋକ୍ତ ଖାଦାନ ଗୁଡିକ ନିଲାମ କରିବା ପାଇଁ ଏକ ପ୍ରକାର ପଥ ପରିଷ୍କାର ହୋଇଥିବା ଜଣାଯାଇଛି । ଅନ୍ୟପଟେ ଆଜି ଦିନତମାମ ବର୍ଷା ଲାଗିରହିଥିବାରୁ ଅନେକ ଏହି ଜନଶୁଣାଣିରେ ଯୋଗ ଦେଇ ପାରିନଥିଲେ । ତେଣୁ ଯାହାର ଯାହା ଅଭିଯୋଗ ରହିଛି ସେମାନେ ଆସନ୍ତା ସେପଟେମ୍ବର ୧ ତାରିଖ ସୁଦ୍ଧା ଅନଲାଇନ କିମ୍ବା ତହସିଲଦାରଙ୍କୁ ଦେଖାକରି ନିଜର ଆପତି ଅଭିଯୋଗ ଜଣାଇ ପାରିବେ ବୋଲି ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply