ଧର୍ମଶାଳା : ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର କଳାପଥର ପାହାଡରେ ଚାଲିଥିବା ୧୦ରୁ ଉର୍ଦ୍ଧ ବେଆଇନ ଖାଦାନକୁ ଆଜି ତହସିଲ ପକ୍ଷରୁ ବନ୍ଦ କରାଯାଇଛି । ପଥର ମାଫିଆମାନେ ଏହି ପାହାଡରୁ ବେଆଇନ ଭାବେ ରାତିରେ ପଥର ଉତୋଳନ କରି ଚାଲାଣ କରୁଛନ୍ତି । ଏସମ୍ପର୍କରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ନିକଟରେ ଅଭିଯୋଗ ହେବା ପରେ ଆଜି ତହସିଲ ପକ୍ଷରୁ ସେଠାରେ ଚଢାଉ କରାଯାଇଛି । ଖାଦାନକୁ ସଂଯୋଗ କରୁଥିବା ରାସ୍ତା ଗୁଡିକୁ ତହସିଲ ପକ୍ଷରୁ ଜେସିବି ଲଗାଇ ତାଡି ଦିଆଯାଇ ଅବରୋଧ କରାଯାଇଛି । ଆଜିର ଏହି ଚଢାଉରେ ତହସିଲଦାର ଶ୍ରୀ ପଣ୍ଡାଙ୍କ ସମେତ ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଜେନାପୁର ଆଇଆଇସି ସୁଶାନ୍ତ କୁମାର ଦାସ ଓ ସ୍ଥାନୀୟ ଡଙ୍କାରୀ ସର୍କଲ ଆରଆଇ ମନୋଜ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ । ବେଆଇନଭାବେ ଏଭଳି କଳାପଥର ଉତୋଳନ କରୁଥିବା ମାଫିଆଙ୍କ ବିରୁଦ୍ଧରେ ଆଗକୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲ ପକ୍ଷରୁ ସୂଚନା ଦିଆଯାଇଛି ।