Odisha news

ଧାମନଗରରେ ପୀରବାବାଙ୍କ ପ୍ରସିଦ୍ଧ ଉର୍ଷ ଉତ୍ସବ  ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତିଙ୍କ ଯୋଗଦାନ 

0
ଧାମନଗର : ପୀର ବାବା ହଜୁର ମୁଜାହିଦ-ଏ-ମିଲ୍ଲତ ଙ୍କ ୪୫ ତମ ଉର୍ଷ ଉତ୍ସବ ଧାମନଗର ଖାନକାସରିଫ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଛି।ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ପୀର ବାବାଙ୍କ ଏହି ପ୍ରସିଦ୍ଧ ଉର୍ଷ ଉତ୍ସବ ପାଳନ କରାଯାଇଥିବାବେଳେ ଆଜି ଦ୍ବିତୀୟ ଦିନ ତଥା ମୁଖ୍ଯ ପର୍ବରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା।ଶନିବାର ଭୋର ୪ଟାରେ ପୀର ବାବାଙ୍କ ଗୁସଲ ସରିଫ ବା ସ୍ନାନ କରାଯାଇଥିଲା।ସକାଳ ୬ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଦର ପୋସି  କରାଯାଇଥିବାବେଳେ  ପୀର ବାବାଙ୍କ ଦର୍ଶନ ପାଇଁ ମଜାର ଖୋଲା ରହିଥିଲା।ଏହି ସମୟରେ ହଜାରହଜାର ଭକ୍ତ ଓ ଶ୍ରଦ୍ଧାଳୁ ପୀର ବାବାଙ୍କ ଆସ୍ତାନା ରେ ଚାଦର ଚଢାଇ ନିଜ ନିଜର ମାନସିକ ପୂରଣ କରିବାସହ ଆଶିର୍ବାଦ ଭିକ୍ଷା କରିଥିଲେ।ଅପରାହ୍ନ ୪ଟା ରୁ ୫ ଟା୧୫ ପର୍ଯ୍ୟନ୍ତ ଖାନକାସରିଫ ପରିସରରେ କୁୁଲ ସରିଫ ବା ସମୂହ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।ଏହି ପ୍ରାର୍ଥନା ସଭାରେ ଲକ୍ଷାଧିକ ମୁସଲମାନଭାଇ ଭଉଣୀମାନେ ଯୋଗଦେଇଥିଲେ।ସମବେତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଖାନକାସରିଫର ମତଓ୍ବଲି ସାଜାଦା ନସିନ ଅଲହାଜ ସୟଦ ଗୋଲାମ ମହମ୍ମଦ ହବିବି ନମାଜପାଠ କରାଇବାସହ ଧର୍ମୀୟ ଉଦବୋଧନ ଦେଇଥିଲେ।ସନ୍ଧ୍ୟା ୮ଟା ରୁ ଭାରତର ବିଭିନ୍ନ  ରାଜ୍ୟରୁ ଆସିଥିବା ପ୍ରଖ୍ଯାତ ମୌଲାନା ମାନଙ୍କ ଦ୍ବାରା ଧର୍ମୀୟ ପ୍ରବଚନ କାର୍ଯ୍ଯକ୍ରମ ଚାଲୁରହିଥିବାବେଳେ ଏହା ରବିବାର ଭୋର ୪ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା।ଉତ୍ତରାଞ୍ଚଳ ଡିଆଇଜି ଡକ୍ଟର ସତ୍ଯଜିତ ନାୟକ,ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମାଡକର ସନ୍ଦୀପ ସମ୍ପତ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାସୁଦେବ ସ୍ବାଇଁ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ବିଭିନ୍ନ ସମୟରେ ଉର୍ସ ଉତ୍ସବ ସ୍ଥଳକୁ ଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ସମସ୍ଯା ଅନୁଧ୍ୟାନ କରିଥିଲେ।ଡିଏସପି ପୁଷ୍ପଲତା ବାରିକ,ଏସଡିପିଓ ତ୍ରିଲୋଚନ ସେଠୀ,ଧାମନଗର ତହସିଲଦାର ଦୀପକ କୁମାର ଦାସ,ବିଡିଓ ବନବିହାରି ଦିନ୍ଦା ପ୍ରମୁଖ ବହୁ ପଦାଧିକାରୀ ଅହରହ ଉପସ୍ଥିତ ରହି ଆଇନ ଶୃଙ୍ଖଳା ତଦାରଖ କରୁଥିଲେ।ଭାରତବର୍ଷର ବିଭିନ୍ନ ରାଜ୍ୟରୁ ବଡ ବଡ ବ୍ଯବସାୟୀମାନେ ଆସି ସେମାନଙ୍କର ଉଠା ଦୋକାନ ଲଗାଇ ଥିବାବେଳେ ଶୀତ ବସ୍ତ୍ରର ପସରା ଗ୍ରାହକଙ୍କୁ ବେସ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି।ଶହଶହ ସଂଖ୍ୟାରେ ଚାରିଚକିଆ ଯାନ ଓ ହଜାର ହଜାର ବାଇକ ଗୁଡିକୁ ପାର୍କିଂ କରିବା ପାଇଁ ପୋଲିସ ଓ ସ୍ବେଛାସେବୀ ମାନଙ୍କୁ ନାକେଦମ ହେବାକୁ ପଡିଥିଲା।ଏହି ଉର୍ଷ ଉତ୍ସବ ରେ ବହୁ ରାଜନେତା,ବରିଷ୍ଠ ସରକାରୀ ପଦାଧିକାରୀ ଓ ବିଶିଷ୍ଟ ବ୍ଯକ୍ତି ମାନେ ଯୋଗଦେଇ ପୀର ବାବାଙ୍କୁ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Leave A Reply