ସମ୍ବଲପୁର ସଂଘର୍ଷ ଓ ବଳିଦାନର ଅଞ୍ଚଳ, କୁଦୋପାଲି ତ୍ୟାଗ ଓ ବୀରତ୍ୱର ପ୍ରତୀକ : ଧର୍ମେନ୍ଦ୍ର ପ୍ରଧାନ
କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ତ୍ରିରଙ୍ଗା ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି
• ଏକ କୃତଜ୍ଞ ସମାଜ ଭାବେ ଶହୀଦମାନଙ୍କୁ ଯଥୋଚିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଆମ ଦାୟିତ୍ୱ
• ଆମେ ଇତିହାସ ବଦଳାଇବା ପାଇଁ ନୁହେଁ ବରଂ ଇତିହାସକୁ ବଡ କରିବାର କାମ କରୁଛୁ
• ସମ୍ବଲପୁରର ଇତିହାସ, ବଳିଦାନ ଏବଂ ଓଡ଼ିଶା ପ୍ରତି ଥିବା ଅବଦାନର କଥା କହିଲେ କେନ୍ଦ୍ରମନ୍ତ୍ରୀ
• ଜାତୀୟ ସ୍ତରରେ ଐତିହାସିକ ସମ୍ବଲପୁର କ୍ରାନ୍ତିର ପ୍ରଚାର ପ୍ରସାର ହେବ
• ସମ୍ବଲପୁରର ଭାଷା, ସଂସ୍କୃତି, ସଭ୍ୟତା, ଇତିହାସ ଏବଂ ସଂଗ୍ରାମୀମାନଙ୍କ ଭୂମିକା ଅନନ୍ୟ ଓ ଅସାଧାରଣ
• ଦେଶକୁ ସ୍ୱାଧୀନତା ଦେବା ହେଉ କିମ୍ବା ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା କରିବା, ନଚେତ୍ ରାଜ୍ୟ ଅର୍ଥନୀତିକୁ ମଜଭୂତ୍ କରିବା ହେଉ, ସମ୍ବଲପୁର ସବୁବେଳେ ନିଜର ଦାୟିତ୍ୱ ପ୍ରତିପାଦିତ କରିଆସିଛି
• ୧୮୫୭ ମସିହା ଡିସେମ୍ବର ୩୦ରେ କୁଦୋପାଲିରେ ଶହୀଦ ହୋଇଥିବା ୫୭ ଜଣ ସଂଗ୍ରାମୀଙ୍କ ବଳିଦାନ ଯୋଗୁଁ ଦେଶ ସ୍ୱାଧୀନତା ପାଇଛି, ଆମର ଗଣତନ୍ତ୍ର ମଜଭୂତ୍ ହୋଇପାରିଛି
• ଗତକାଲି ଉନ୍ମୋଚିତ ପୁସ୍ତକ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” କୁଦୋପାଲିର ଇତିହାସକୁ ବିଶ୍ୱରେ ପହଞ୍ଚାଇବ
• ବୀର ସୁରେନ୍ଦ୍ର ସାଏ, ଉଦନ୍ତ ସାଏ, ଧ୍ରୁବ ସାଏ, ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ, ହଟେ ସିଂହ, ମଧୁ ଗଡତିଆଙ୍କ ଅବଦାନ ଅତୁଳନୀୟ
• ଗଙ୍ଗାଧର ମେହେରଙ୍କ ସାହିତ୍ୟ ୱିଲିଅମ ସେକ୍ସପିୟରଙ୍କ କାବ୍ୟଠୁ କୌଣସି ଗୁଣରେ କମ ନୁହେଁ
• କୁଦୋପାଲି ଇତିହାସକୁ ଯୁବପିଢିଙ୍କ ପାଖରେ ପହଞ୍ଚାଇବା ଦିଗରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ର ଯୁବ ବନ୍ଧୁମାନଙ୍କ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା
• ଚିତ୍ରକରମାନେ ଆଙ୍କୁଥିବା ବୀର ସୁରେନ୍ଦ୍ର ସାଏଙ୍କ ଚିତ୍ର ଏକ ଚିତ୍ର ନୁହେଁ, ଏକ ଜୀବନଶୈଳୀ
କୁଦୋପାଲି, ଡିସେମ୍ବର ୩୦ – ସମ୍ବଲପୁର ସଂଘର୍ଷ ଓ ବଳିଦାନର ଅଞ୍ଚଳ ଏବଂ ଐତିହାସିକ କୁଦୋପାଲି ଆମର ତ୍ୟାଗ ଓ ବୀରତ୍ୱର ପ୍ରତୀକ । ୧୮୫୭ ମସିହାର ଆଜିର ଦିନରେ କୁଦୋପାଲି ଘାଟିରେ ବ୍ରିଟିଶମାନଙ୍କ ବିରୋଧରେ ଲଢେଇ କରି ଶହୀଦ ହୋଇଥିବା ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ତ୍ରିରଙ୍ଗା ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୋମବାର ସମ୍ବଲପୁର କୁଦୋପାଲି ଠାରେ ଜିଲ୍ଲା ପ୍ରଶାସନ ସହଯୋଗରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ପବିତ୍ର ଦିନ । ୧୮୫୭ ମସିହା ଡିସେମ୍ବର ମାସ ୩୦ ତାରିଖ ଦିନ କୁଦୋପାଲିର ରଣଭୂମିରେ ୫୩ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ପରେ ଆଉ ୪ ଜଣ ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା । ଏହିପରି ୫୭ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ଶହୀଦମାନଙ୍କ ମଧ୍ୟରେ ମହାନ ପରାକ୍ରମୀ ବୀର ସୁରେନ୍ଦ୍ର ସାଏ ଓ ଉଦନ୍ତ ସାଏଙ୍କ ଭାଇ ବୀର ଛବିଳ ସାଏ ମଧ୍ୟ ଥିଲେ । କୁଦୋପାଲିର ତ୍ୟାଗ, ଇତିହାସ ଓ ସମର୍ପଣ ଭାବନା କୌଣସି ଗୁଣରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରୁ କମ ନୁହେଁ । କୁଦୋପାଲି ଘାଟିରେ ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ କାରଣରୁ ଦେଶ ସ୍ୱାଧୀନତା ପାଇବା ସହ ଆମର ଗଣତନ୍ତ୍ର ମଜଭୂତ୍ ହୋଇପାରିଛି । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ।
ସେ କହିଛନ୍ତି ଯେ ଆମେ ଇତିହାସ ବଦଳାଇବା ପାଇଁ ନୁହେଁ ବରଂ ଇତିହାସକୁ ବଡ କରିବାର କାମ କରୁଛୁ । ଉଦନ୍ତ ସାଏ, ଛବିଳ ସାଏଙ୍କ ପରି ଇତିହାସ ପୃଷ୍ଠାରେ ଆନାଲୋଚିତ ନାୟକଙ୍କ ବଳିଦାନକୁ ଏ ଦେଶ ଜାଣିବା ଉଚିତ୍ । କୁଦୋପାଲିର ବଳିଦାନକୁ ଦେଶ ଜାଣିବା ଉଚିତ୍ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଆହ୍ୱାନ ଦେଇଥିଲେ । ଗତକାଲି ସମ୍ବଲପୁର ଠାରେ କୁଦୋପାଲିର ଇତିହାସକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଇଂରାଜୀ ପୁସ୍ତକ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ଉନ୍ମୋଚିତ ହୋଇଛି । ଜଣେ କୃତଜ୍ଞ ସମାଜ ଭାବରେ ଶହୀଦମାନଙ୍କୁ ଯଥୋଚିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଆମର ଦାୟିତ୍ୱ । ବୀର ସଂଗ୍ରାମୀମାନଙ୍କ ଦାୟଦ ଭାବେ ଅନାଲୋଚିତ ନାୟକମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆମର ପ୍ରୟାସ ବଜାୟ ରହିବ । ଅନୁରୂପ ଭାବେ ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶହୀଦ ବିକା ନାୟକଙ୍କ ଦାୟଦଙ୍କ ସମେତ ଅନେକ ଯୁବପିଢି ସ୍ୱତପ୍ରବୃତ ଭାବେ ସମବେତ ହୋଇଛନ୍ତି, ଏହି ମନୋଭାବ ହିଁ ଶହୀଦମାନଙ୍କ ପ୍ରତି ଯୁବ ସମାଜର ଥିବା ଯଥୋଚିତ ସମ୍ମାନକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି ।
ସମ୍ବଲପୁରର ଭାଷା, ସଂସ୍କୃତି, ସଭ୍ୟତା, ଇତିହାସ ଏବଂ ସଂଗ୍ରାମୀମାନଙ୍କ ଭୂମିକା ଅନନ୍ୟ ଓ ଅସାଧାରଣ । ସମ୍ବଲପୁର କ୍ରାନ୍ତି ଓ ବ୍ରିଟିଶଙ୍କ ବିରୋଧରେ ଲଢେଇ କରିଥିଲା । ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ବ୍ରିଟିଶମାନଙ୍କ ବିରୋଧରେ ଲଢେଇ କରିଥିଲା ସମ୍ବଲପୁର । ବୀର ସୁରେନ୍ଦ୍ର ସାଏ ଜନ୍ମ ଗ୍ରହଣ କରିଥିଲେ ଖିଣ୍ଡାରେ, ମାତ୍ର ତାଙ୍କ କର୍ମଭୂମି ଥିଲା ବାରପାହାଡ । ଓଡ଼ିଶାର ପଶ୍ଚିମାଞ୍ଚଳ ବିଶେଷ ଭାବରେ ମାତୃଭୂମିର ସୁରକ୍ଷା ପାଇଁ ଧ୍ରୁବ ସାଏ , ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ, ହଟେ ସିଂହ, ଶହୀଦ ମଧୁ ଗଡତିଆଙ୍କ ଅବଦାନ ଅତୁଳନୀୟ । ସେହିପରି ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଗଙ୍ଗାଧର ମେହେରଙ୍କ ସାହିତ୍ୟ ୱିଲିଅମ ସେକ୍ସପିୟରଙ୍କ କାବ୍ୟଠୁ କୌଣସି ଗୁଣରେ କମ ନଥିଲା ।
ସେ କହିଛନ୍ତି ସମ୍ବଲପୁରରେ ସ୍ଥାପିତ ହୀରାକୁଦ ବନ୍ଧର ଭୂମିକା ଓଡ଼ିଶାର ଏକ ପରିଚୟ । ଏହି ଡ୍ୟାମ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ କରିବାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଇତିହାସର ମୁକସାକ୍ଷୀ ଭାବେ ଦେବ୍ରୀଗଡ଼ ଅଭୟାରଣ୍ୟ ପର୍ଯ୍ୟଟନର ଅପାର ସମ୍ଭାବନା ରଖୁଛି । ସମ୍ବଲପୁରରେ ଧାନ ଉତ୍ପାଦନ ଯୋଗୁଁ ରାଜ୍ୟରେ ଚାଷ ଅର୍ଥନୀତି ସୁଦୃଢ ହୋଇଛି । ଦେଶକୁ ସ୍ୱାଧୀନତା ଦେବା ହେଉ କିମ୍ବା ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା କରିବା, ନଚେତ୍ ରାଜ୍ୟ ଅର୍ଥନୀତିକୁ ମଜଭୂତ୍ କରିବା ହେଉ, ସମ୍ବଲପୁର ସବୁବେଳେ ନିଜର ଦାୟିତ୍ୱ ପ୍ରତିପାଦିତ କରିଆସିଛି । ରାଜ୍ୟ ଓ ଦେଶ ସମାଧାନର ସୂତ୍ର ସମ୍ବଲପୁର ବାହାର କରିବ । ବିକଶିତ ଭାରତ ଗଠନରେ ସମ୍ବଲପୁର ଆମ ସମସ୍ତଙ୍କ ସହଯୋଗରେ ଏକ ପ୍ରୟୋଗଶାଳା ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସମଲେଇଙ୍କ ପାଖରେ ପ୍ରାର୍ଥନା । ଜାତୀୟ ସ୍ତରରେ ସମ୍ବଲପୁର କ୍ରାନ୍ତିର ପ୍ରଚାର କରିବା ପାଇଁ ଯୋଜନା ରହିଥିବା ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ବିପ୍ଲବୀ ସୁରେନ୍ଦ୍ର ସାଏଙ୍କ ସମେତ କୁଦୋପାଲି ଇତିହାସକୁ ଯୁବପିଢିଙ୍କ ପାଖରେ ପହଞ୍ଚାଇବା ଦିଗରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ର ଯୁବ ବନ୍ଧୁମାନଙ୍କ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ । ଏହା ଉପରେ ସେ ଉଲ୍ଲେଖ କରି କହିଥିଲେ ଆଜିର ପ୍ରଦର୍ଶନୀରେ ଚିତ୍ରକର ବନ୍ଧୁମାନେ ଆଙ୍କୁଥିବା ବୀର ସୁରେନ୍ଦ୍ର ସାଏଙ୍କ ଚିତ୍ର ଏକ ଚିତ୍ର ନୁହେଁ ବରଂ ଆମ ପାଇଁ ଏକ ଜୀବନଶୈଳୀ । ୧୮୫୭ ମସିହା ଡିସେମ୍ବର ୩୦ରେ ଛବିଳ ସାଏଙ୍କ ବଳିଦାନ ଆମ ପାଇଁ ଏକ ତାରିଖ ନୁହେଁ, ବରଂ ପାଇଁ ଆମର ଏକ ଅଭୂଲା ସ୍ମୃତି । କୁଦୋପାଲିର ଗୌରବମୟ ସ୍ମୃତିକୁ ବଞ୍ଚାଇ ରଖିଥିବାରୁ ଗ୍ରାମବାସୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।