ଦଶରଥପୁର ବନ୍ୟା ବିଭୀଷିକା , ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରୀ : ଗ୍ରାଉଣ୍ଡ ଜିରୋ ସ୍ଥିତି ଅତ୍ୟନ୍ତ ଭୟଙ୍କର , ବନ୍ୟାଞ୍ଚଳରେ ଜିଲ୍ଲା ବିଜେଡ଼ି ସଭାପତି
ଦଶରଥପୁର : ଦଶରଥପୁର ବ୍ଲକ୍ରେ ବନ୍ୟାର ବିଭୀଷିକା ଅତ୍ୟନ୍ତ ଭୟଙ୍କର । ଗ୍ରାଉଣ୍ଡ ଜିରୋକୁ ଯାଇ ବାସ୍ତବସ୍ଥିତି ଦେଖିବା ପରେ ଏହି ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ଏହି ବନ୍ୟା କେଉଁଠି ରାସ୍ତାକୁ ସମ୍ପୂର୍ଣ୍ଣ ଧୋଇ ଦେଇଛି ତ କେଉଁଠି ବିପନ୍ନଙ୍କ ଘର ମାଟିରେ ମିଶାଇ ଦେଇଛି । ଦତ୍ତପୁର ଘାଇ ପାଖରେ ଥିବା ୫୦ ରୁ ଉଦ୍ଧ୍ୱର୍ କଚ୍ଚାଘର ସମ୍ପୂର୍ଣ୍ଣରୂପେ ଭାଙ୍ଗିଯାଇଛି । ଏବେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋରସୋର ଜାରିରହିଛି । ବନ୍ୟାଞ୍ଚଳରେ ଥିବା ବିପନ୍ନମାନଙ୍କୁ ଚୂଡ଼ା, ଗୁଡ଼ ପ୍ରଥମେ ଦିଆଯାଇଥିବାବେଳେ ଏବେ ସେମାନଙ୍କୁ ଚାଉଳ ବଣ୍ଟନ କରାଯାଉଥିବାର ଜଣାପଡ଼ିଛି ।
ଆଜି ବନ୍ୟାଞ୍ଚଳରେ ବିଜେଡ଼ି ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ସରୋଜ ମହାପାତ୍ର ବୁଲୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ସାଙ୍ଗରେ କସପା ସରପଞ୍ଚ ମୀନାକ୍ଷୀଲତା ସାହୁ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ, ମନୋଜ ରାଉତ, ଯୁବନେତା ବସନ୍ତ ସାହୁ, ପ୍ରକାଶ ସାମଲ, ତାପସ ଜେନା ପ୍ରମୁଖ ଏହି ବନ୍ୟାଞ୍ଚଳକୁ ଯାଇଥିଲେ । ଘାଇ ସମେତ ବନ୍ୟାଞ୍ଚଳରେ ବିଭିନ୍ନ ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିବାପରେ କସପା ପଞ୍ଚାୟତ ଅଫିସ୍ଠାରେ ଶ୍ରୀ ମହାପାତ୍ର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବନ୍ୟା ବିଗତ ସମସ୍ତ ବନ୍ୟାକୁ ଟପିଛି । ପ୍ରାୟ ଗତ ସମସ୍ତ ବନ୍ୟାଠାରୁ ଅଧିକ ୨ ମିଟରରୁ ଉଦ୍ଧ୍ୱର୍ ଉଚ୍ଚରେ ବନ୍ୟାଜଳ ବୈତରଣୀ ଓ କାଣୀରେ ପ୍ରବାହିତ ହୋଇ ସମସ୍ତ ରେକର୍ଡ଼କୁ ଭଙ୍ଗ କରିଥିବାର ଶ୍ରୀ ମହାପାତ୍ର କହିଥିଲେ ।
ବନ୍ୟାଞ୍ଚଳର ବିପନ୍ନଙ୍କ ସ୍ଥିତି ଅତ୍ୟନ୍ତ ଭୟଙ୍କର । ଆଖିରେ ନଦେଖିଲେ ସ୍ଥିତି ପରଖି ହେବନାହିଁ । ଏଥିସହ ବିପନ୍ନମାନଙ୍କୁ ଏପର୍ଯ୍ୟନ୍ତ ୧୦୨ କୁଇଣ୍ଟାଲ ଚୂଡ଼ା, ୧୦ କୁଇଣ୍ଟାଲ ଗୁଡ଼ ସହ ୨୨୦୦ କୁଇଣ୍ଟାଲ ଚାଉଳ ରିଲିଫ୍ ଆକାରରେ ବଣ୍ଟନ କରାଯାଇଛି । ଏଥିସହ ଆସନ୍ତା ଦୁଇଦିନ ମଧ୍ୟରେ ଘାଇର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଏ ସମ୍ପର୍କରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜଳସମ୍ପଦ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ସଙ୍ଗେ ଆଲୋଚନା କରିବାପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଅପରପକ୍ଷେ ବହୁ ବେସରକାରୀ ସ୍ୱେଚ୍ଛାସେବୀ ସଙ୍ଗଠନ ବନ୍ୟାଞ୍ଚଳରେ ରିଲିଫ୍ ବାଣ୍ଟୁଥିବାର ଦେଖିବାକୁ ମିଳିଛି । ସତ୍ୟ ମଲ୍ଟିପ୍ଲେକ୍ସ ପ୍ରାଇଭେଟ୍ ଲିମିଟେଡ଼୍ ସଂସ୍ଥା ପକ୍ଷରୁ ଯୁବ ସମାଜସେବୀ ଜଗଦୀଶ ଶଙ୍କର ସାହୁ, ତାପସ ପଣ୍ଡା, ରମେଶ ବେହୁରିଆ, ବିଜୟ କୁମାର ସାହୁ, ସଞ୍ଜୟ ସାମଲ ପ୍ରମୁଖ ଆଜି ବନ୍ୟାଞ୍ଚଳରେ ପାଣିଘେରରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟଦ୍ରବ୍ୟ ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା