Odisha news

ମାନବ ଚାଲାଣ ରୋକିବା ଆମପାଇଁ ଏକ ଆହ୍ବାନ 

0

ବିଷ୍ଣୁ ପ୍ରସାଦ ଦାସ  , ଝାଞ୍ଜିରୀ  ମଙ୍ଗଳା : ପୃଥିବୀ ପୃଷ୍ଠରେ ଘଟି ଯାଉଥିବା ଅନେକ ଅପରାଧ ମଧ୍ୟରେ ମାନବ ଚାଲାଣ ମଧ୍ୟ ଏକ ଅପରାଧ ବୋଲି ବିବେଚିତ ହୁଏ, ଏହି ପ୍ରକ୍ରିୟାରେ ପୁରୁଷ, ମହିଳା,ଯୁବକ, ନାବାଳକ  ଶିଶୁ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ନିଯୁକ୍ତି ବାହାନାରେ ଅନ୍ୟ ସ୍ଥାନକୁ  ସ୍ଥାନାନ୍ତର  କରି ଶାରୀରିକ, ମାନସିକ ତଥା ଆର୍ଥିକ   ଶୋଷଣ କରାଯାଏ  । ଯେଉଁମାନେ ଲୋଭର ବଶବର୍ତ୍ତୀ ହୁଅନ୍ତି ନାହିଁ ସେମାନଙ୍କୁ ବଳ ପ୍ରୟୋଗ, ଭୟ ଦ୍ୱାରା, ତଥା ବ୍ଲାକ ମେଲ କରି ଲୁଚା ଛପାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲାଣ କରାଯାଏ , ଏହା ପଛରେ ଅପରାଧିକ ଉଦେଶ୍ୟ ରହିଥାଏ ।କ୍ରୀତ  ଦାସ ସଦୃଶ ଏମାନେ ନିଜର ନିଜତ୍ବ ଦଲାଲ ପାଖରେ ବିକି ଦେଇ ଥା’ନ୍ତି , କିଛି ସ୍ଥାନରେ ଏହି ପ୍ରକାର ଲୋକ ମାନେ ଦାଦନ ଶ୍ରମିକ , କ୍ରୀତ ଦାସ , ଯୌନ କର୍ମୀ , ସମୟ ଭିତ୍ତିକ ଠିକା ଶ୍ରମିକ ରୂପେ କାର୍ଯ୍ୟ କରନ୍ତି ଆଉ କିଛି ଉନ୍ନତ ଜୀବନ ଯାପନର ରଙ୍ଗୀନ ସ୍ୱପ୍ନରେ ବିଭୋର ହୋଇ  ଦେଶାନ୍ତର ହେବା ଆଶାରେ ମାନବ ଚାଲାଣ କାରୀ ଗୋଷ୍ଠୀଙ୍କର କବଳରେ ପଡି ନିଜ ଭବିଷ୍ୟତ କୁ ନିଜେ ଅନ୍ଧାର ଭିତରକୁ ଠେଲି  ଦେବାକୁ ଆଗେଇ ଆସି ଥାନ୍ତି …ଆଶାର ଆଲୋକ ଦେଖିବା ଆଗରୁ କିଛି ଆର ପାରିକୁ ଚାଲିଯାଇ ଥାନ୍ତି ତ’ ଆଉ କିଛି, ବିଭିନ୍ନ ଦେଶର  ଜେଲର କାଳ କୋଠରୀ ଭିତରେ  ଅସହ୍ୟ କଷ୍ଟ ଭୋଗ କରି ନୀରବରେ ନିଜ ଲୋତକକୁ ନିଜେ ପିଇ ଯାଇ ଥା’ନ୍ତି , ଖୁବ୍ କମ  ଭାଗ୍ୟବାନ ଶ୍ରମିକ ବା ମନୁଷ୍ୟ ମାନେ ମାନବ ଚାଲାଣକାରୀ ଙ୍କ ଠାରୁ କିଛି ସରକାରୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା  ଉଦ୍ଧାର ପାଇ  ଥା’ନ୍ତି ।  ଆଜି ପୃଥିବୀରେ ଅନେକ ଦେଶ ଅଛନ୍ତି ଯେଉଁଠାରେ କି ଭାରତୀୟ ବଂଶୋଭ  ମାନେ କ୍ରୀତ ଦାସ ଭାବେ ଯାଇ ସେଠାକାର ସ୍ଥାୟୀ ବାସିନ୍ଧା ପାଲଟି ଯାଇଛନ୍ତି , ଯେପରିକି ଫିଜି, ମରିସସ୍ , ଗୁଏନା , ଗୁଏଟମାଲା, ସୁରିନାମ୍, କାନାଡ଼ା, ମାଲେସିଆ ଇତ୍ୟାଦି ଦେଶରେ ଭାରତୀୟ ସମ୍ପ୍ରଦାୟ ଦେଖିବାକୁ ମିଳନ୍ତି । 

     ଡିସେମ୍ବର ମାସ ୨୧ ତାରିଖ ୨୦୨୩ ମସିହାର କଥା   ଏକ ଯାତ୍ରୀବାହୀ  ବିମାନରେ ୩୦୩ ଜଣ ଭାରତୀୟ ନିକାରଗୁଆ କୁ ମାନବ ଚାଲାଣ ହେଉଥିବା ସମୟରେ ଫ୍ରାନ୍ସ ର ଏକ ଛୋଟ ବିମାନ ବନ୍ଦରଠାରେ ଅଟକ ଥିଲେ, ସଂବାଦରୁ ଜଣାଯାଏ ଯେ, ଦୁବାଇ ରୁ କେହିଜଣେ ଅଜଣା ବ୍ୟକ୍ତି ରୁମାନିଆ ଦେଶର  ଲିଜାଣ୍ଟ  ଏଆର୍ ଲାଇନ୍ସ ର ଏକ ବିମାନକୁ ଭଡାରେ ଆଣି ୩୦୩ ଜଣ ଭାରତୀୟଙ୍କୁ ଦୁବାଇ ଠାରୁ ନେଇ ନିକାରଗୁଆ ଦେଶର ମନାଗୁଆ ସହର ଅଭିମୁଖେ  ଉଡାଣ ଆରମ୍ଭ କରିଥିଲା  , ଦୀର୍ଘ ୮୭୭୮ କିଲୋମିଟର ଆକାଶ ପଥରେ ଏହାର ଉଡାଣ ମାର୍ଗ ନିର୍ଧାରିତ ହୋଇଥିଲା ।  ବିମାନଟି ଇନ୍ଧନ ଭରିବାକୁ ଯେତେବେଳେ ଫ୍ରାନ୍ସ  ଦେଶର ବିମାନ ବନ୍ଦରରେ ଓଲ୍ହାଇ ବାକୁ ଚେଷ୍ଟା କଲା ଫ୍ରାନ୍ସ ସରକାର ପ୍ରଥମେ ଅନୁମତି ଦେଇ ନ’ଥିଲେ ଏବଂ ପରବର୍ତ୍ତୀ ସମୟରେ ଯାତ୍ରୀ ମାନଙ୍କ ଜୀବନ ରକ୍ଷା ପାଇଁ  ପ୍ୟାରିସ୍ ସହରଠାରୁ ପୂର୍ବ ଦିଗରେ ୧୫୦ କିଲୋମିଟର ଦୂର ‘ବେରଟି’ ବିମାନ ବନ୍ଦରରେ ବିମାନଟିକୁ ଓଲ୍ହାଇବାକୁ ଅନୁମତି ମିଳିଥିଲା ।  ଫ୍ରାନ୍ସ ସରକାର ବିମାନ ବିଷୟରେ କିଛି ଗୁପ୍ତ ତଥ୍ୟ ପାଇଥିଲେ ତେଣୁ ବିମାନରେ ଇନ୍ଧନ ଭରିବା ପରେ ମଧ୍ୟ ବିମାନକୁ ନିଜ ଗନ୍ତବ୍ୟ ପଥରେ ଯିବାକୁ ଅନୁମତି କତୃପକ୍ଷ ଦେଇ ନ’ଥିଲେ , ତେବେ ଏହି ଗୁପ୍ତ ତଥ୍ୟ କଣ ଥିଲା? ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା କି ଉକ୍ତ ବିମାନରେ ୩୦୩ ଜଣ ଭାରତୀୟ ଅଛନ୍ତି ତନ୍ମଧ୍ୟରୁ କିଛି ନାବାଳକ ଯାତ୍ରୀ  ଅଛନ୍ତି ଯେଉଁମାନେ କି ପରିବାର ଛଡା ଏକା ଯାତ୍ରା କରୁଛନ୍ତି ।  ଫ୍ରାନ୍ସ ସରକାର ଏହା ମାନବ ଚାଲାଣ ଛଡା ଆଉ କିଛି ନୁହେଁ ବୋଲି ହୃଦ୍ବୋଧ କରିଥିଲେ,  ତେଣୁ ଚାରିଦିନ ଧରି ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଲା ।

         ଅନୁସନ୍ଧାନ କଣ ହେଲା ତାହା ତ’ ଫ୍ରାନ୍ସ ସରକାର ଗୋପନ ରଖିଲେ କିନ୍ତୁ ସେହି ବିମାନରେ  ୩୦୩ ଜଣ ଯାତ୍ରୀଙ୍କ ସ୍ଥାନରେ ୨୭୬ ଜଣ ଯାତ୍ରୀଙ୍କୁ ବସାଇ ଭାରତ ପଠାଇବାକୁ ସରକାରୀ ସ୍ତରରେ ଅନୁମତି ନେଇଥିଲେ ।  ଶେଷରେ ବିମାନଟି ୨୭୬ ଜଣ ଯାତ୍ରୀଙ୍କୁ ଧରି ସୁରୁଖୁରୁରେ ମୁମ୍ବାଇର ଛତ୍ରପତି ଶିବାଜୀ  ଆନ୍ତର୍ଜାତିକ ବିମାନ ବନ୍ଦରରେ ଓଲ୍ହାଇଲା । ତେବେ ପ୍ରଶ୍ନ ଉଠୁଛି ଯେ ୩୦୩ ଯାତ୍ରୀଙ୍କ ମଧ୍ୟରୁ ୨୭୬ ଫେରିଲେ ବାକି ଯାତ୍ରୀ କୁଆଡେ ଗଲେ ? ଏହାର ସଠିକ ଉତ୍ତର କିଏ ଦେବେ? କିଛି ବିମାନ ଯାତ୍ରୀ  ଫ୍ରାନ୍ସ ଦେଶରେ ଶରଣାର୍ଥୀ ଭାବେ ରହିବାର ଅନୁମତି ପାଇବା ଅପେକ୍ଷାରେ ଅଛନ୍ତି , କିନ୍ତୁ କାହିଁକି? ସେମାନେ କ’ଣ ଭାରତରେ ରହିବାକୁ ଉଚିତ ମଣିଲେ ନାହିଁ? ନା’ କୌଣସି ଅପରାଧିକ ମାମଲାରେ ଛନ୍ଦି ହୋଇ ଗଳା ବାଟଦେଇ ଦୁବାଇ ଯାଇ ସେଠାରୁ ନିକାରଗୁଆ ଯାଇ ଥା’ନ୍ତେ ? ଏହା ଏକ ଜଟିଳ ପ୍ରଶ୍ନ ଏବଂ ଭାରତର ସାର୍ବଭୌମତ୍ୱ / ନିରାପତ୍ତା  ଉପରେ ଆଞ୍ଚ ଆସିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ’ ପାରେ । କିଛି କରିତ୍ ତ୍କର୍ମା ଦଲାଲ ଗଳାବାଟ ଦେଇ ସମୁଦ୍ର ପଥରେ ଦୁବାଇ ତଥା ଅନ୍ୟ ମଧ୍ୟ-ପ୍ରାଚ୍ୟ ଦେଶକୁ ମାନବ ଚାଲାଣ କରୁଛନ୍ତି ଏମାନଙ୍କ ହାତ ଖୁବ ଲମ୍ବା, ଏମାନଙ୍କର ଚେର ସବୁ ଦେଶରେ ମାଡି ଯାଇଛି , ଏମାନେ ଏହି ଉପାୟରେ କୋଟି କୋଟି ଟଙ୍କା ଉପାର୍ଜନ କରନ୍ତି ।ମାଛ ଧାରା ଡଙ୍ଗାରେ  ଲୁଚି ଛପି ଗଭୀର ସମୁଦ୍ରକୁ ଯାଇ ସେଠାରୁ ପଣ୍ୟବାହୀ ଜାହାଜର କଣ୍ଟେନର୍ ଭିତରେ ଲୁଚି ଛପି ତାଙ୍କର ନିର୍ଧାରିତ ସ୍ଥାନକୁ ଯାଇ ପାରୁଛନ୍ତି  ଏହି କାର୍ଯ୍ୟରେ କିଛି ଅସାଧୁ ସରକାରୀ କର୍ମଚାରୀଙ୍କର ହାତ ଥିବା ପରି ହୃଦ୍ବୋଧ ହୁଏ ।  ହୁଏତ ଏହି ଉପାୟରେ ଉକ୍ତ ୩୦୩ ଜଣ ଭାରତରୁ ଦୁବାଇ ପହଞ୍ଚି ସେଠାରୁ ନକଲି କାଗଜପତ୍ର ଦ୍ୱାରା ଦୁବାଇ ଆନ୍ତର୍ଜାତିକ ବିମାନ ବନ୍ଦରରୁ ନିକାରଗୁଆ ଅଭିମୁଖେ ଯାଉଥିଲେ , ଏଥିପାଇଁ ରୁମାନିଆ ଦେଶର ଏକ ଏଆର୍ ବସ୍ ୩୪୦  ବିମାନକୁ ଭଡା ସୂତ୍ରରେ  ଅଣା ଯାଇଥିଲା । ଏଆର୍ ବସ୍ ୩୪୦ ବିମାନକୁ ଭଡା ସୂତ୍ରରେ ଆଣିଥିବା ବ୍ୟକ୍ତିଙ୍କର ନାମ ଏପର୍ଯ୍ୟନ୍ତ ଜଣା ପଡି ନାହିଁ, ହୁଏତ ଆଗକୁ ଜଣା ପଡିବ ବା ସର୍ବ ସାଧାରଣଙ୍କ ପାଇଁ  ଗୋପନ ରହିଯିବ ତାହା ସମୟ କହିବ ।

       ଗୁଜୁରାଟ ସରକାରଙ୍କ ଗୁଇନ୍ଦା ବିଭାଗ ତଥା ଭାରତ ସରକାରଙ୍କ ନିରାପତ୍ତା ସଂସ୍ଥା ଏହାର ତଦନ୍ତ କରୁଛନ୍ତି , ତେବେ ଏହା ପଛରେ କାହାର ହାତ ଅଛି ତାହା ଜାଣିବା ଏବଂ ଉଦେଶ୍ୟ କ’ଣ ତାହା ଜାଣିବା ଜରୁରୀ ହୋଇ ପଡିଛି । ଏହି ୩୦୩ ଜଣ ଯାତ୍ରୀ ନିକାରଗୁଆ ଯାଇ ସେଠାରୁ ମଧ୍ୟ-ଆମେରିକା ଯାଇ ଥା’ନ୍ତେ ଏବଂ ସେଠାରୁ ସେମାନେ କଳେ ବେଳେ କୌଶଳେ  ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ମେକ୍ସିକୋ ଇତ୍ୟାଦି ଦେଶକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା କୁ  ଏଡାଇ ଯାଇ ହେବ ନାହିଁ ।  ଭାରତୀୟ ତଟରକ୍ଷୀ ବାହିନୀ  ଯେତେ କଡା କଡ଼ି ଯାଞ୍ଚ କଳେ ମଧ୍ୟ ସମୁଦ୍ର ମଧ୍ୟ ଦେଇ ଏହି ପରି ଅପରାଧିକ କାର୍ଯ୍ୟ କଳାପକୁ ଶତ ପ୍ରତିଶତ ରୋକା ଯାଇ ପାରୁନାହିଁ । ଦେଶର ସୁରକ୍ଷା ଉପରେ ଆଦୌ ଆଞ୍ଚ ଆଣିବାକୁ ଦିଆଯିବା ଉଚିତ ନୁହେଁ, ତଦନ୍ତକାରୀ ସଂସ୍ଥା ନିଶ୍ଚିତ ଭାବେ ଅପରାଧୀକୁ ଚିହ୍ନଟ କରିବେ ଏବଂ ତାଙ୍କୁ କଠୋରରୁ କଠୋର ଦଣ୍ଡ ବ୍ୟବସ୍ଥା ହେଲେ ଭବିଷ୍ୟତ ରେ ଆଉ ଏପରି ଅପରାଧ କରିବାକୁ ଅପରାଧୀ ସାହସ କରିବ ନାହିଁ ବୋଲି ଆଶା କରାଯାଏ ।

        ମୁମ୍ବାଇରେ ପହଞ୍ଚି ଥିବା ୨୭୬ ଜଣ ଯାତ୍ରୀ ମିଡ଼ିଆ କୁ କିଛି କହି ନ’ଥିଲେ , ସାମ୍ବାଦିକ ମାନେ ଅନେକ ଚେଷ୍ଟା କରି ମଧ୍ୟ ନିରାଶ ହୋଇ ଥିଲେ ଏହାର କାରଣ  କଣ  ହୋଇପାରେ ? ହୁଏତ ଅନୈତିକ ଉପାୟରେ ଯାତ୍ରା କରି ଧରା ହୋଇ ପୁଣି ଭାରତ ଫେରିବାର କ୍ଷୋଭ ବା କାହାର  ଧମକର ଶିକାର ହୋଇଛନ୍ତି ଏହି ଯାତ୍ରୀମାନେ ତାହା ବୁଝିବା ମୁସ୍କିଲ ହୋଇ ପଡିଛି । ଯଦି ଅତୀତକୁ ଟିକେ ନଜର ପକାଇବା ତେବେ ଜାଣିବା ଯେ, ୨୦୧୨ ମସିହାରେ  ୩,୫୫୪ ଜଣ , ୨୦୧୩ ମସିହାରେ ୩,୯୪୦ ଜଣ , ୨୦୧୪ ମସିହାରେ ୫,୨୩୫ ଜଣ , ୨୦୧୫ ମସିହାରେ ୭,୧୪୩ ଜଣ , ୨୦୧୬ ମସିହାରେ ୮,୧୩୨ ଟି ମାନବ ଚାଲାଣ ଅପରାଧ ନଜରକୁ ଆସିଥିଲା ଏବଂ ସମସ୍ତଙ୍କୁ ଉଦ୍ଧାର କରା ଯାଇଥିଲା ।  ଲୋକସଭାରେ ଗତ ୧୭/୦୩/୨୦୨୩ ତାରିଖ ଦିନ ମାନ୍ୟବର ସାଂସଦ ଶ୍ରୀମତୀ  ଚିନ୍ତା ଅନୁରାଧାଙ୍କ ମାନବ ଚାଲାଣ ଉପରେ  ପ୍ରଶ୍ନ ଉପରେ ଉତ୍ତରରେ ଏହିପରି ଥିଲା ଯେ, ସରକାରୀ ଭାବେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ରିପୋଟ୍ ଅନୁଯାଇ  ୨୦୧୯ ମସିହାରେ ମାନବ ଚାଲାଣ ସରକାରୀ ଭାବେ ୨୨୦୮ ଲିପିବଦ୍ଧ ହୋଇଛି , ୨୦୨୦ ମସିହାରେ ୧୭୧୪ ଜଣ, ୨୦୨୧ ମସିହାରେ ୨୧୮୯ ଜଣ  ଲିପିବଦ୍ଧ ହୋଇଛି । ମାନବ ଚାଲାଣ ରୋକିବା ଆମ ପାଇଁ ଏକ ଆହ୍ୱାନ ହୋଇଛି , ସର୍ବସାଧାରଣ ତଥା ସରକାର ଅନ୍ତରରୁ ଚାହିଁଲେ ମାନବ ଚାଲାଣକୁ ଅନେକାଂଶରେ ରୋକା ଯାଇ ପାରିବ, ଦଲାଲ ଏବଂ ତାଙ୍କ ପଛରେ ଥିବା କ୍ଷମତା ସୀନ ବ୍ୟକ୍ତିଙ୍କୁ ଆଇନ ଅନୁଯାଇ କାଠ ଗଡ଼ାକୁ ଆଣି ଉପଯୁକ୍ତ ଶାସ୍ତି ଦେବାକୁ ହେବ ନଚେତ ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଚାଲୁଥିବ ଏଥିରେ ତିଳେ ମାତ୍ର  ସନ୍ଦେହ ନାହିଁ । 

 

Nalco

Leave A Reply