କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହାଙ୍କ କୁଶ ପୁତ୍ତଳିକା ଦାହ , କେନ୍ଦ୍ର ଗୃହ ମନ୍ତ୍ରୀ ସାହା କ୍ଷମା ପ୍ରାର୍ଥନା ଓ ଇସ୍ତଫା ଦାବିକଲା କଂଗ୍ରେସ , ରାହୁଲ ଗାନ୍ଧୀଙ୍କ ନାମରେ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରାଯାଉ : କଂଗ୍ରେସ
ମଙ୍ଗଳପୁର : ଭାରତ ଶାସନ ବ୍ୟବସ୍ଥା ପାଇଁ ଲେଖାଯାଇଥିବା ସମ୍ବିଧାନର ମୁଖ୍ୟ ତଥା ସମ୍ବିଧାନ ପ୍ରଣେତା ଡ଼. ବାବା ସାହେବ ଆମ୍ବେଦକରଙ୍କୁ ଚଳିତ ଲୋକସଭା ଗୃହରେ ଯେଉଁଭଳି ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା କଟାକ୍ଷ କଲେ ସେ ବିବାଦୀୟ ମନ୍ତବ୍ୟକୁ ଦେଶବାସୀ ଗ୍ରହଣ କରିପାରିନାହାନ୍ତି | ଅନ୍ୟ ପକ୍ଷରେ ଆଦାନୀଙ୍କୁ ବିଜେପି ସରକାରଙ୍କ ଅହେତୁକ ଅନୁକମ୍ପା ଏବଂ ସାହାଙ୍କ ତାତ୍ସଲ୍ୟକୁ ବାଟବଣା କରିବା ପାଇଁ ଯେଉଁ ପ୍ରୟାସ ବିଜେପି କରିଛି ଲୋକଙ୍କ ନିକଟରେ ଅଛପା ନାହିଁ | ଏଣୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସ୍ବରକୁ ଦବାଇବା ପାଇଁ ୨ ସାଂସଦକୁ ଠେଲିଦେବା ଭଳି ତାଙ୍କ ନାମରେ ମିଥ୍ୟା ମାମଲା କରାଯିବା ନିନ୍ଦାର ବିଷୟ | ଏହାର ପ୍ରତିବାଦରେ ସୋମବାର ଦିନ ଦଶରଥପୁର ବ୍ଲକ କଂଗ୍ରେସ ଦଳ ପକ୍ଷରୁ ନିକଟସ୍ଥ ପଶୁପତି ଶିବ ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ସେଠାରେ ବିଜେପି ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ | କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ସାଂସଦରେ ଡ଼. ବାବା ସାହେବ ଆମ୍ବେଦକରଙ୍କ ବିରୁଦ୍ଧରେ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଥିଲେ ତାହାକୁ ଘୋର ନିନ୍ଦା କରାଯିବା ସହ ଅମିତ୍ ସାହା ଏଥିପାଇଁ କ୍ଷମା ପ୍ରାର୍ଥନା ଓ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିକ୍ଷୋଭକାରି ମାନେ ନାରା ଲଗାଇଥିଲେ | ବ୍ଲକ ସମ୍ମୁଖରେ ରାସ୍ତା ରୋକ କରି ଜୟ ଭୀମ୍ ଜୟ ସମ୍ବିଧାନ, ସମ୍ବିଧାନ ପ୍ରଣେତାଙ୍କ ପ୍ରତି ଏଭଳି ଅପମାନ ଚଳିବନାହିଁ,ଅମିତ୍ ସାହା ହାଏ ହାଏ, ନରେନ୍ଦ୍ର ମୋଦି ହାଏ ହାଏ ସ୍ଲୋଗାନ ଦେଇ ନାରାବାଜି କରିବା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ | ଶେଷରେ ବିକ୍ଷୋଭକାରି ମାନେ ସ୍ଲୋଗାନ ଦେଇ ବ୍ଲକ ଭିତରକୁ ପ୍ରବେଶ କରି ହେଉଥିବା ଜନଶୁଣାଣି ଗୃହକୁ ଧସେଇ ପଶିବା ସହ କିଛି ସମୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବାସହ ସମ୍ବିଧାନ ପ୍ରଣେତା ଡ଼. ବାବା ସାହେବ ଆମ୍ବେଦକରଙ୍କର ଏକ ପ୍ରତିମୃତ୍ତି ସ୍ଥାପନ ପାଇଁ ଦାବି କରିଥିଲେ | କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରୀ ସାହା କ୍ଷମା ପ୍ରାର୍ଥନା ଓ ଇସ୍ତଫା ଦାବି କରିବା ସହ ରାହୁଲ ଗାନ୍ଧୀଙ୍କ ନାମରେ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା ନେଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ବି.ଡି.ଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ | ଏଥିରେ କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ଦେବେନ୍ଦ୍ର କୁମାର ପଣ୍ଡା,ସନ୍ତୋଷ ନନ୍ଦ,ନେତ୍ରୀ କନକ ଲତା ମଲ୍ଲିକ,ପାଲଟପୁର ସରପଞ୍ଚ ଶୁଶ୍ରୀ ଲିପିକା ମଲ୍ଲିକ,ଅମ୍ବିକା ରାଉତ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡା,ଶ୍ୟାମସୁନ୍ଦର କର,ଯୁବନେତା ଚନ୍ଦ୍ର ଶେଖର ସାହୁ,ଚନ୍ଦ୍ରନାରାୟଣ ଦାସ,ଶେଖର ସମ୍ବିତ୍ ଧଳ,ପୂର୍ବତନ ସମିତି ସଭ୍ୟ ବିମଳ ମଲ୍ଲିକ,ଅନନ୍ତ ଜେନା,ରାଜୀବ ମଲ୍ଲିକ,ଏକାଦଶୀ ତ୍ରିପାଠୀ ଅନୁସୂଚିତ ଜନଜାତି ସଙ୍ଘ ପକ୍ଷରୁ ସଭାପତି ଅନୁପମ ମଲ୍ଲିକ,ସମ୍ପାଦକ ରବିନାରାୟଣ ଜେନାଙ୍କ ସହ କଂଗ୍ରେସ ଦଳ ପକ୍ଷରୁ ଶତାଧିକ କର୍ମୀ ଉପସ୍ଥିତ ରହି ଆନ୍ଦୋଳନକୁ ସଫଳ କରିଥିଲେ |