Odisha news

ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ୟ୍ୟକ୍ରମର କାର୍ୟ୍ୟାନ୍ୱୟନ ସଂପର୍କିତ “ଜିଲ୍ଲାପାଳ ସମ୍ମିଳନୀ”

0

• ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ବ୍ୟାଙ୍କିଂ ଆଉଟଲେଟ୍ ଖୋଲିବା, ମୋ ଘର ଏବଂ ଗ୍ରାମୀଣ ଆବାସ ଯୋଜନା କାର୍ୟ୍ୟକାରିତା ସମ୍ପର୍କରେ ସମୀକ୍ଷା ।
• ମୋ ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନାରେ ଆମ ବସ୍ ଷ୍ଟାଣ୍ଡ ନିର୍ମାଣ ଅଗ୍ରଗତି, ଜିଲ୍ଲାସ୍ତରରେ ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଏବଂ ଫସଲ ପାଣିପାଗ ସଂପର୍କିତ ଆପଦକାଳୀନ ଯୋଜନା ଉପରେ ବ୍ୟାପକ ଆଲୋଚନା ।
• ଡିଏମଏଫ ଏବଂ ଓଏମବିଏଡିସି ପାଣ୍ଠିର ବ୍ୟବହାରରେ ଜୀବିକା ନିର୍ବାହ କାର୍ୟ୍ୟକଳାପକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ।
ଭୁବନେଶ୍ୱର ତା-୧୨.୦୯ .୨୦୨୩
ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ଠାରେ ଆଜି “ଜିଲ୍ଲାପାଳ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ୟ୍ୟକ୍ରମର କାର୍ୟ୍ୟାନ୍ୱୟନ ସଂପର୍କରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅନ୍ୟ ସଂପୃକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର-ତଥା ଶାସନ ସଚିବ ଏବଂ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଜିଲ୍ଲାସ୍ତରରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଉନ୍ନୟନ କମିଶନର କହିଥିଲେ ଯେ ରାଜ୍ୟ ସରକାର ଅନେକ ଜନହିତକର ଓ ଉନ୍ନୟନମୂଳକ କାର୍ୟ୍ୟକ୍ରମକୁ ପ୍ରାଥମିକତା ଦେଇଛନ୍ତି । ସେସବୁର ତ୍ୱରିତ କାର୍ୟ୍ୟକାରିତା ଉପରେ ସେ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ୟ୍ୟ କରାଯାଇଥିବା ବିଭିନ୍ନ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ତଥା ଜିଲ୍ଲାଗୁଡ଼ିକ ଟିମ୍ ଭାବରେ କାର୍ୟ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ନିୟମିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ମଧ୍ୟ “ମୋ ଘର ଯୋଜନା” ଏବଂ ପିଏମଏୱାଇ(ଜି)ରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସ୍ଥିତି ସମୀକ୍ଷା କରିଥିଲେ ।
ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଦ୍ୟାବଧି ବ୍ୟାଙ୍କି ସେବା ଉପଲବ୍ଧ ନଥିବା ଗ୍ରାମ ପଂଚାୟତଗୁଡ଼ିକରେ ବ୍ୟାଙ୍କିଙ୍ଗ୍ ଆଉଟ୍ ଲେଟ୍ ଖୋଲିବାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଏହା ଫଳରେ ଗ୍ରାମାଞ୍ଚଳର ଲୋକମାନେ ନିଜ ଘର ନିକଟରେ ବ୍ୟାଙ୍କିଂ ସେବାର ଲାଭ ପାଇବେ ।
ବାଣିଜ୍ୟ ଓ ପରିବହନ ବିଭାଗ, ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ “ଲକ୍ଷ୍ମୀ” ଯୋଜନାରେ ଆମ ବସ୍ ଷ୍ଟାଣ୍ଡ ନିର୍ମାଣ ଓ ଏହାର ଅଗ୍ରଗତି ସମ୍ପର୍କରେ ବୁଝାଇଥିଲେ । ଏହି ଯୋଜନାରେ ପ୍ରଥମ ପର୍ୟ୍ୟାୟରେ ୫୫ଟି ଆମ ବସଷ୍ଟାଣ୍ଡ ପ୍ରତିଷ୍ଠା ହୋଇଥିବା ବେଳେ ୧୨୪ଟି ନିର୍ମାଣାଧିନ ରହିଛି । ପୂର୍ବରୁ କାର୍ୟ୍ୟକ୍ଷମ ଥିବା ଆମ ବସଷ୍ଟାଣ୍ଡଗୁଡିକର ରକ୍ଷଣାବେକ୍ଷଣ ଓ ନିୟମିତ କାର୍ୟ୍ୟକାରିତା ଦିଗ ପ୍ରତି ଦୃଷ୍ଟି ଦେବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ସେ ମଧ୍ୟ ବିଭିନ୍ନ ବିଭାଗ ସମନ୍ୱୟରେ ଜିଲ୍ଲାସ୍ତରରେ ଦକ୍ଷତା ବିକାଶ କାର୍ୟ୍ୟକ୍ରମ କରାଯାଉଥିବା ସଂପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଚଳିତ ଖରିଫ ଋତୁରେ ଫସଲ ପାଣିପାଗ ସ୍ଥିତି ଓ ଆପଦକାଳୀନ ଯୋଜନା ଏବଂ ରବି ଚାଷ ପାଇଁ ପ୍ରସ୍ତୁତି ସହ ଓଡ଼ିଶା ମିଲେଟ୍ ମିଶନ କାର୍ୟ୍ୟକଳାପ ସମ୍ପର୍କରେ ଉପସ୍ଥାପନା କରିଥିଲେ ।
ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ବିଦ୍ୟାଳୟ ଏବଂ ଅଙ୍ଗନଓ୍ୱାଡି କେନ୍ଦ୍ର ଗୁଡିକରେ ଦ୍ରୁତ ବିଦ୍ୟୁତିକରଣ ସଂପର୍କରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୌଳିକ ସୁବିଧାସୁଯୋଗ ଏବଂ ଜୀବିକା ନିର୍ବାହ କାର୍ୟ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଡିଏମ୍ଏଫ୍ ଏବଂ ଓଏମ୍ବିଏଡିସି ପାଣ୍ଠିର ଉପଯୋଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

Nalco

Leave A Reply