Odisha news

ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଚେନ୍ନାଇ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ

0

ଖଲ୍ଲିକୋଟ ରାଣୀ ତଥା କବିସୂର୍ଯ୍ୟନଗର ଓ ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ସେ ଏ‌େବ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସ୍ବତନ୍ତ୍ର ବିମାନରେ ଚେନ୍ନାଇ ଯାଇ ହସ୍ପିଟାଲରେ ରାଣୀଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ହସ୍ପିଟାଲର ଡାକ୍ତରୀ ଦଳଙ୍କୁ କହିଛନ୍ତି। ଏହାସହ ରାଣୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ଆଜି ରାତିରେ ଭୁବନେଶ୍ବର ଫେରି ଆସିଛନ୍ତି। ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ରାଣୀଙ୍କ ପୁତୁରା ଡ. ସାକେଥ୍‌ ରାମାରାଓ, ଝିଆରୀ, ଭାଇ, ଭଉଣୀ ଓ ତାଙ୍କ ନିକଟତମ ସୀତାରାମ ପାଣିଗ୍ରାହୀଙ୍କୁ ଭେଟିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଚେନ୍ନାଇ ଯାଇଥିଲେ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଆୟୋଜିତ ବିଧାୟକଙ୍କ ଫଟୋ ସେସନ୍‌ରେ ଫଟୋ ଉଠାଇବା ପରେ ମନ୍ତ୍ରୀ ଉଷା ଦେବୀଙ୍କୁ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇ ତାଙ୍କ ସହ ଚେନ୍ନାଇ ଯିବାକୁ କହିଥିଲେ। ସୂଚନାଯୋଗ୍ୟ, ବିଜେଡିର ବରିଷ୍ଠ ନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ୧୦ ଥର ବିଧାୟିକା ଭାବେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଛନ୍ତି।

Nalco

Leave A Reply