Odisha news

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ : ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ଯେପରି ତାର ନ୍ୟାଯ୍ୟ ଦାବି ହାସଲ କରିବ ନିଷ୍ପତ୍ତି ହୋଇଛି

0

ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ପୁଣି କେନ୍ଦ୍ର ବିରୋଧୀ ନାରା ଦେବାକୁ ନିଷ୍ପତ୍ତି ନେଇଛି ବିଜେଡି। ପୁଣି ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଉଦ୍ୟମ ଜାରି ରଖିବାକୁ ବି ନିଷ୍ପତ୍ତି ହୋଇଛି। ଏହାଛଡ଼ା ମହାନଦୀ, ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନିରବତା ନେଇ ଦୁଃଖପ୍ରକାଶ, କୋଇଲା ରୟାଲିଟି, ସେସ୍ ରେ ଦାବି ପୂରଣ ପାଇଁ ବିଜେଡି ଉଦ୍ୟମ କରିବାକୁ ନିଷ୍ପତ୍ତି ନେଇଛି।


ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ଯେପରି ତାର ନ୍ୟାଯ୍ୟ ଦାବି ହାସଲ କରିବ, ସେଥିନେଇ ନିଷ୍ପତ୍ତି ନେଇଛି ବିଜେଡି। ଦଳ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ୱରାନିତ କରିବା ଏବଂ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା, ଖାଉଟି ଦର ବୃଦ୍ଧି ଓ ଏହା ଯୋଗୁଁ ଘର ଚଳାଇବାରେ ମହିଳାମାନେ ସମ୍ମୁଖୀନ ହେଉଥିବା କଷ୍ଟକର ପରିସ୍ଥିତି ବିଷୟରେ ଆଲୋଚନା କରାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ।

ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା  ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମରେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା।ଏହାପରେ କାର୍ଯ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା ଉପରେ ଦଳର ବରିଷ୍ଠ ଉପ-ସଭାପତି  ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଭାଷଣ ରଖିଥିଲେ।

ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଂଚାଳନାରେ ପ୍ରଥମେ ସାଂଗଠନିକ ପ୍ରସ୍ତାବ ଦଳର ବରିଷ୍ଠ ଉପସଭାପତି  ଦେବୀ ପ୍ରସାଦ ମିଶ୍ର ଆଗତ କରିଥିଲେ । ବିଧାୟିକା  ଲତିକା ପ୍ରଧାନଙ୍କର ସମର୍ଥନ ପରେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା । ଏହାପରେ ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା ।

୨୦୦୦ ମସିହାରୁ ବିଭିନ୍ନ ବିଧାନସଭା, ଲୋକସଭା, ନିର୍ବାଚନ, ଉପ ନିର୍ବାଚନ, ସମବାୟ ନିର୍ବାଚନ ବିଶେଷ କରି ପଂଚାୟତ ଓ ପୈାର ନିର୍ବାଚନରେ ବିଜୁ ଜନତା ଦଳର ଲଗାତାର ବିଜୟ ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଅର୍ପଣ କରାଯାଇଥିଲା। କୋଟି ଓଡ଼ିଆଙ୍କର ହୃଦୟର ନେତା ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନେତୃତ୍ୱ ଲଗାତର ଭାବେ ଆମର ଆଞ୍ଚଳିକ ଦଳକୁ ବିପୁଳ ସଫଳତା ଆଣି ଦେଇଥିବାରୁ କାର୍ଯ୍ୟକାରିଣୀ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲା ।
ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଅଭିନବ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ରୂପାୟନ ପାଇଁ ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଥା ଶ୍ରୀ ଲିଙ୍ଗରାଜ, ମା ସମଲେଇ, ତାରାତାରିଣୀ ସହିତ ବିଭିନ୍ନ ଉପାସନା ପୀଠ ଓ ଐତିହ୍ୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନେଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଜି ସଂଜୀବନୀ ହୋଇଛି, ଯାହାକି ଭାରତବର୍ଷରେ ଅଭିନବ ଓ ଅନନ୍ୟ । ଓଡ଼ିଶାରେ ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ରୂପାନ୍ତରୀକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।

ମହିଳା ଓ ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ତଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗର ର ସଂପ୍ରସାରଣ କରାଯାଇଥିବାରୁ ଏବଂ ପୁଂଜିନିବେଶରେ ଓଡିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।

କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦ୍ରୁତ ବିକାଶ କରି ଯୁବଶକ୍ତିର ଆକଂକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା । ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ନବୀନ ସରକାରଙ୍କ ପ୍ରାଥମିକତା ଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

ଅନୁସୁଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।

Nalco

Leave A Reply