Odisha news

ମୁଖ୍ୟମନ୍ତ୍ରୀଙ୍କୁ ସିଏସ୍‌ଇ-ରତ୍ନ ଆୱାର୍ଡ : ଡିଜିଟାଲ ଗଣତନ୍ତ୍ରରେ ସମସ୍ତେ ସାମିଲ ହୁଅନ୍ତୁ

0

ଭୁବନେଶ୍ବର : ସାରା ବିଶ୍ବରେ ଭାରତର ଡାଟା ବ୍ୟବହାର ସର୍ବୋଚ୍ଚ ସ୍ତରରେ ରହିଛି। ଡାଟାକୁ ନେଇ ଧନୀ ଓ ଗରିବଙ୍କ ମଧ୍ୟରେ ରହିଥିବା ତାରତମ୍ୟ ଦୂର ହେବା ସହ ସୂଚନାଭିତ୍ତିକ ସମାଜ ଗଠନ ହୋଇ ପାରିଛି। ତେବେ ଭାରତରେ ଡିଜିଟାଲ ଗଣତନ୍ତ୍ର ଏବେ ଆଦ୍ୟସ୍ତରରେ ରହିଛି ଏବଂ ଭବିଷ୍ୟତରେ ଏହା ଆଗକୁ ବଢ଼ିବାର ବିପୁଳ ସୁଯୋଗ ସୃଷ୍ଟି କରିଛି। ଡିଜିଟାଲାଇଜେସନ ପାଇଁ ଓଡ଼ିଶା ସରକାର ସର୍ବଦା ପ୍ରତିବଦ୍ଧ ରହିଛନ୍ତି। ‘୫-ଟି’ ଏ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶ୍ରମ ପରିଚାଳନା, ସ୍ବାସ୍ଥ୍ୟ, କୌଶଳ ବିକାଶ ଓ ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ସଂସ୍କାର ଆଣାଯାଇଛି। ଯେଉଁଥିରେ ପ୍ରଶାସନିକ ପ୍ରକ୍ରିୟାରେ ନାଗରିକମାନେ ସାମିଲ ହୋଇପାରିଛନ୍ତି। ତେଣୁ ଡିଜିଟାଲ ଗଣତନ୍ତ୍ର ଆଡ଼କୁ ଓଡ଼ିଶା ଠିକ୍‌ ଦିଗରେ ଅଗ୍ରସର ହେଉଛି ବୋଲି କମ୍ପ୍ୟୁଟର ସୋସାଇଟ୍‌ ଅଫ୍‌ ଇଣ୍ଡିଆ(ସିଏସ୍‌ଆଇ) ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

କିଟ୍‌ ବିଶ୍ବବିଦ୍ୟାଳୟରେ ଚାଲିଥିବା ଏହି ସମ୍ମିଳନୀର ଦ୍ବିତୀୟ ଦିବସରେ ଓଡ଼ିଶାରେ ଇ-ଗର୍ଭନାନ୍ସ ଓ ଆଇସିଟି କ୍ଷେତ୍ରରେ ନେଇଥିବା ପଦକ୍ଷେପ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ସିଏସ୍‌ଇ-ରତ୍ନ ଆୱାର୍ଡ’ ପ୍ରଦାନ କରାଯାଇଥିଲା। ଉତ୍ସବରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, ସିଏସ୍‌ଆଇର ଫେଲୋ ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସତିଶ୍‌ କେ.କେଙ୍କୁ ଲାଇଫ୍‌ଟାଇମ୍‌ ଆୱାର୍ଡ, କିଟ୍‌ର ପ୍ରୋ-କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଓ ଇଲେକ୍‌ଟ୍ରେନିକ୍ସ ଓ ଆଇଟି ତଥା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଫେଲୋସିପ୍‌ ଆୱାର୍ଡ, ଗୁଲସନ୍‌ ରାଏ, ଏ ‌କେ ସାଇନିଙ୍କୁ ଫେଲୋ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହି ଅବସରରେ କମ୍ପ୍ୟୁଟର ସୋସାଇଟି ଅଫ୍‌ ଓଡ଼ିଶା(ସିଏସ୍‌ଓ) ପକ୍ଷରୁ ବିଭିନ୍ନ ରାଜ୍ୟକୁ ସମ୍ବର୍ଦ୍ଧିତ କରାଯିବା ସହ ଏକାଧିକ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

Leave A Reply