Odisha news

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି କ୍ୟାବିନେଟ୍‌ରେ ଦୁଇଟି ବଡ଼ ଓ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ମିସନ ଶକ୍ତି ହେଲା ନୂଆ ବିଭାଗ ୭ ଜିଲ୍ଲାକୁ ବିଶୁଦ୍ଧ ପାନୀୟ ଜଳ ଲାଗି ୧୫୦୦ କୋଟି

0

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି କ୍ୟାବିନେଟ୍‌ରେ ଦୁଇଟି ବଡ଼ ଓ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର କ୍ୟାବିନେଟ୍‌ରେ ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକାଥରକେ ୧୫୦୦ କୋଟିର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଦ୍ବିତୀୟ ବଡ଼ ନିଷ୍ପତ୍ତି ହେଲା, ରାଜ୍ୟ ସରକାର ମହିଳା ଭୋଟ୍‌କୁ ହାତେଇବା ଲାଗି ଗୋଟିଏ ପଟେ ସଂସଦରେ ମହିଳା ସଂରକ୍ଷଣ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ଏପଟେ ସରକାରଙ୍କ ଭୋଟ୍‌ ରାଜନୀତିର ସବୁଠାରୁ ବଡ଼ ଅସ୍ତ୍ର ବୋଲି କୁହାଯାଉଥିବା ମିସନ୍ ଶକ୍ତି ପାଇଁ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି। ଏଣିକି ଏ ବିଭାଗରେ ନୂଆ ମନ୍ତ୍ରୀ ରହିବେ। ବିଭିନ୍ନ ବିଭାଗ ଭଳି ସଚିବ ବି। କେବଳ ସେତିକି ନୁହେଁ, ପଞ୍ଚାୟତିରାଜ ବିଭାଗ ଓ ମହିଳା ଶିଶୁ ବିକାଶ ବିଭାଗର କିଛି ଅଂଶ ଏହାର ନିର୍ଦେଶାଳୟରେ ସାମିଲ ହେବ। ଏଥିସହିତ କ୍ୟାବିନେଟ୍‌ରେ ଆଜି ମୋଟ ୧୬ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

କ୍ୟାବିନେଟ୍ ନିଷ୍ପତ୍ତି ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏବଂ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସୂଚନା ଦେଇ କହିଥିଲେ ଯେ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗରୁ ‘ମିସନ୍ ଶକ୍ତି’ ଅଲଗା ହେବ। ‘ମିସନ୍ ଶକ୍ତି’ ନାମରେ ଏକ ନୂଆ ବିଭାଗ ଖୋଲିବ। ଫଳରେ ରାଜ୍ୟ ସରକାରଙ୍କ ମୋଟ୍‌ ବିଭାଗ ସଂଖ୍ୟା ୪୦ରେ ପହଞ୍ଚିବ।

ନୂଆ ନିଷ୍ପତ୍ତି କ୍ରମେ ବିଭିନ୍ନ ବିଭାଗ ଓ ସଂସ୍ଥା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକୁ ଏଣିକି ‘ମିସନ୍ ଶକ୍ତି’ ବିଭାଗ ମାଧ୍ୟମରେ ପରିଚାଳନା କରାଯିବ। ଗୋଟିଏ ପ୍ଲାଟ୍‌ଫର୍ମରେ ସବୁ ସୁବିଧା ଉପଲବ୍ଧ କରାଯିବା ନିମନ୍ତେ ପ୍ରାଧାନ୍ୟ ଦିଆଯିବ। ମିସନ୍ ଶକ୍ତି ବିଭାଗ, ମିସନ୍ ଶକ୍ତି ନିର୍ଦ୍ଦେଶାଳୟ ଓ ଓଡ଼ିଶା ଜୀବିକା ମିସନ୍‌ ଅଧୀନରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀ ନୂଆ ବିଭାଗ ଅଧୀନରେ କାମ କରିବେ।

ମନ୍ତ୍ରୀ କହିଥିଲେ ଯେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ଅଗ୍ରଗତି ନିମନ୍ତେ ରାଜ୍ୟରେ ୨୦୦୧ ମସିହାରୁ ମିସନ୍ ଶକ୍ତି ଏକ ପ୍ରମୁଖ ଅନୁଷ୍ଠାନ ଭାବେ କାର୍ଯ୍ୟ କରୁଛି। ନୂଆ ବିଭାଗ ହେବା ଦ୍ବାରା ମହିଳାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ କାର୍ଯ୍ୟକ୍ରମର ପ୍ରଶାସନିକ ପରିଚାଳନା ଓ କାର୍ଯ୍ୟକ୍ରମ ଗୋଟିଏ ପ୍ଲାଟ୍‌ଫର୍ମରେ କାର୍ଯ୍ୟ କରିବ। ଏହି ବିଭାଗ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସେମାନଙ୍କ ମହାସଂଘ ପାଇଁ କାର୍ଯ୍ୟ କରିବ। ସାରା ରାଜ୍ୟରେ ସମସ୍ତ ସ୍ତରରେ ସମନ୍ବୟ ରକ୍ଷା କରିବାରେ ସହାୟକ ହେବ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ କ‌ାର୍ଯ୍ୟକ୍ରମର ଅଗ୍ରଗତିର ଠିକ୍ ପରିଚାଳନାରେ ଗୋଷ୍ଠୀ ଓ ସରକାରଙ୍କ ସ୍ତରରେ ସମନ୍ବୟ ରକ୍ଷା କରିବା ନିମନ୍ତେ ପ୍ରମୁଖ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିବ। ଏହି ବିଭାଗ ଦ୍ବନ୍ଦ୍ବ ଦୂରୀକରଣ, ଉତ୍ତମ ସେବା ପ୍ରଦାନ, ଠିକ୍ ତତ୍ତ୍ବାବଧାନ, ମାନବ ସମ୍ବଳର ସୁପରିଚାଳନା, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘ ନେଟ୍‌ୱର୍କର ସୁପରିଚ‌ାଳନାରେ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ବୃଦ୍ଧିରେ ସହାୟକ ହେବ। ଏହି ବିଭାଗ ବାହାରର ହିତ‌ାଧିକାରୀଙ୍କ ନିମନ୍ତେ ଗୋଟିଏ ଯୋଗାଯୋଗ ପଏଣ୍ଟ୍‌ ଭାବେ କାର୍ଯ୍ୟ କରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମାର୍ଚ୍ଚ ୮ ତାରିଖ ବିଶ୍ବ ମହିଳା ଦିବସ ଅବସରରେ ମିସନ୍ ଶକ୍ତି ବିଭାଗ ଖୋଲିବା ପାଇଁ ଘୋଷଣା କରିଥିଲେ। ଏହା ପୂର୍ବରୁ ୨୦୧୭ ମସିହାରେ ମହିଳା ଓ ଶିଶୁ ବିକାଶ ବିଭାଗର ନାମ ବଦଳାଇ ମହିଳା, ଶିଶୁ ବିକାଶ ଓ ମିସନ୍ ଶକ୍ତି ରଖାଯାଇଥିଲା।

ସେହିଭଳି ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏଭଳି ଏକ ସଂକଳ୍ପ ସରକାର ନେଇଛନ୍ତି ସରକାର। ବିଧାନସଭାରେ ନିକଟରେ ଉପସ୍ଥାପିତ ସାଧାରଣ ବଜେଟ୍‌ରେ ୧୨ହଜାର କୋଟି ଟଙ୍କା ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବିନିଯୋଗ ଲକ୍ଷ୍ୟ ରଖାଯାଇଛି। ବଜେଟ୍‌ ବିଧାନସଭାରେ ପାରିତ ହୋଇନଥିଲେ ହେଁ, ସରକାର ତାଙ୍କ ସଂକଳ୍ପର ତ୍ବରିତ କାର୍ଯ୍ୟାନ୍ବୟନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏକାଥରକେ ୧୫୦୦ କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଆଜି ଅନୁମୋଦନ ଦିଆଯାଇଛି। ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସରକାର ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଘର ଭଳି ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଏକ କାର୍ଡ ଭାବେ ଗ୍ରହଣ କରିଛନ୍ତି।

ଏହି କ୍ରମରେ ଆଜି ୭ଟି ଜିଲ୍ଲାର ୩୧୯ ପଞ୍ଚା‌ୟତର ଲୋକଙ୍କ ନିକଟରେ ପାନୀୟ ଜଳ ପହଞ୍ଚାଇବା ପାଇଁ ରାସ୍ତା ଖୋଲିଛି। ଜଳ ଜୀବନ ମିସନ୍ (ଜେଜେଏମ୍‌) ଯୋଜନାରେ ୯ଟି ବୃହତ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ଟେଣ୍ଡର୍‌ ଡକାଯାଇଥିଲା। ସେହି ଟେଣ୍ଡର୍‌ଗୁଡ଼ିକରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ଟେଣ୍ଡର୍‌ରେ ‌େଯାଗ୍ୟ ବିବେଚିତ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି। କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା ଓ କଳାହାଣ୍ଡି‌ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ବ୍ୟୟ ଅଟକଳ ପାଖାପାଖି ୧୫୦୦ କୋଟି ଟଙ୍କା ରହିଛି। ସବୁତକ ପ୍ରକଳ୍ପ ୨୪ ମାସ ଭିତରେ ଶେଷ କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply