Odisha news

ଛତ୍ରପୁରରେ ଚାଂଚଲ୍ୟ: ସ୍ତ୍ରୀ ଓ ଝିଅକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

0

ଛତ୍ରପୁର : ଗଂଜାମ ଜିଲ୍ଲାର ଛତ୍ରପୁର ଥାନା ଅଧିନସ୍ଥ ପାଲିଆ ଛତ୍ରପୁରର ମଝି ସାହି ବୁଧବାର ସକାଳୁ ଗୋଟିଏ ଘରେ ତିନି ଜଣଙ୍କ ମୃତ ଦେହ ଉଦ୍ଧାର କରିଛି ଛତ୍ରପୁର ପୁଲିସ । ସମଗ୍ର ଛତ୍ରପୁର ଅଂଚଳରେ ଚାଂଚଲ୍ୟ ଖେଳାଇଦେଇଛି । ମୃତକମାନେ ହେଲେ ବୃନ୍ଦାବନ ବେହେରା, ସ୍ତ୍ରୀ ଉର୍ମିଳା ବେହେରା ଓ ଝିଅ ସୁନିତା ବେହେରା । ଉର୍ମିଳା ଓ ସୁନିତାଙ୍କ ମୃତ ଦେହ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବାବେଳେ ବୃନ୍ଦାବନଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଛତ୍ରପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତିନି ଜଣଙ୍କ ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ବୃନ୍ଦାବନ କିଆ କାତି ସାହାଯ୍ୟରେ ସ୍ତ୍ରୀ ଓ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଅନ୍ୟ ଏକ ରୁମରେ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଛତ୍ରପୁର ଥାନା ପୁଲିସ ସାଇଂଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ବିଭିନ୍ନ ପ୍ରକାର ତଦନ୍ତ ଚଳାଇଛି । ଘଟଣା ସ୍ଥଳରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିସାନ, ଛତ୍ରପୁର ଥାନାଧିକାରୀ ପ୍ରିୟସ ରଂଜନ ଛୋଟରାୟ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରିଛନ୍ତି ।

ମୃତୁ୍ୟର କାରଣ ସତ୍ୟ ଜଣାପଡ଼ିନଥିବାବେଳେ ପାରିବାରିକ ଅଶାନ୍ତି ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ମିଳିଥିବା ସୂଚନା ମୁତାବକ ବୃନ୍ଦାବନଙ୍କ ଦୁଇଟି ଝିଅ, ଗୋଟିଏ ପୁଅ । ବଡ଼ଝିଅ ସୁଜ୍ଞାନୀ ବେହେରା ଲାଠୀରେ ବିବାହ କରିଥିବାବେଳେ ସାନ ଝିଅ ସୁନିତା ବେହେରା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ୨ ବାଣିଜ୍ୟ ବିଭାଗର ଛାତ୍ରୀ ଅଟନ୍ତି । ମୃତ ବୃନ୍ଦାବନ ବେହେରା ଗ୍ରାମରେ ଏକ କିରାଣି ଦୋକାନ କରି ଗୁଜରାଣ ମେଂଟାଉଥିଲେ । ଗତକାଲି ପୁଅ ସାଗର ବେହେରା କୁରୁଣ୍ଡି ଅଂଚଳର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ ନିମନ୍ତେ ଚାଲିଯାଇଥିବାବେଳେ ଘରେ ସ୍ତ୍ରୀ ଉର୍ମିଳା, ଝିଅ ସୁନିତା ଓ ନିଜେ ବୃନ୍ଦାବନ ରହିଥିଲେ । ଗତକାଲି ରାତ୍ର ୧୧ଟା ପର୍ଯ୍ୟନ୍ତ ଗ୍ରାମବାସୀମାନେ ସେମାନଙ୍କୁ ଦେଖିଥିଲେ । ଆଜି ସକାଳୁ ଭୋରୁ ଗ୍ରାମର ଏକ କୁନି ଝିଅ କିର୍ତିକା ବେହେରା ପାଣି ଆସିଲା ବୋଲି ତାଙ୍କୁ ଡାକିବାକୁ ଗଲାବେଳେ ମୃତ ଦେହ ଦେଖି ଗ୍ରାମବାସୀଙ୍କୁ କହିବା ପରେ ଗ୍ରାମବାସୀମାନେ ଏହାର ଖବର ପୁଲିସକୁ କହିଥିଲେ ।

ଗ୍ରାମବାସୀମାନେ କହିବା ଅନୁସାରେ ବୃନ୍ଦାବନ ଓ ତାଙ୍କ ସ୍ତ୍ରୀ ଭିତରେ ଛୋଟମୋଟ କଳି ଲାଗୁଥିଲେ । ତାହା ବାହାରକୁ ଜଣାପଡ଼ୁନଥିଲା । ଗତକାଲି ସେମାନେ କବାଟ ଦେଇ ରାତିରେ ଶୋଇଥିବାବେଳେ କୌଣସି ଲୋକଙ୍କୁ ଏ ସମ୍ପର୍କରେ ଖବର ଜଣାନଥିଲା । ଅପରପକ୍ଷରେ ପୁଅ ସାଗର ଘଟଣାର ଖବର ପାଇ ଗାଁକୁ ଆସି ମର୍ମାହତ ହୋଇଯାଇଥିଲା । ବିବାହିତ ବଡ଼ଝିଅ ସୂଚନା ଦେଇଥିଲା ଯେ ସବୁବେଳେ ତାଙ୍କ ବାପା ମା କୁ ଅତ୍ୟାଚାର କରିଆସୁଥିଲେ । ଭଲଭାବେ ବି ଖାଇବାକୁ ମଧ୍ୟ ଦେଉନଥିଲେ । ବାପା ହୋଇ ମଧ୍ୟ ବାପାର କର୍ତବ୍ୟ ପାଳନ କରୁନଥିଲେ ବୋଲି କହିଥିଲେ । ପୁଲିସ ତିନି ମୃତ ଦେହକୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।

Leave A Reply