Odisha news

ସ୍ପଷ୍ଟ ହେଉନି ସରକାରଙ୍କ ନିଷ୍ପତ୍ତି , ଆରମ୍ଭ ହୋଇପାରୁନି ରଥ ନିର୍ମାଣ କାର୍ଯ୍ୟ

0

ପୁରୀ :ଆସନ୍ତା ଜୁନ୍ ୨୩ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା । ଲକ୍ଡ଼ାଉନ ଜନିତ କଟକଣା ଯୋଗୁ ଅକ୍ଷୟ ତୃତୀୟା ତିଥିରେ ପରମ୍ପରା ଅନୁଯାୟୀ ଜଗଦ୍ଗୁରୁଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ବେଢ଼ାରେ ରଥ ଅନୁକୂଳ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ କଟକଣାର ନୂତନ ଗାଇଡ଼୍ଲାଇନ ଅନୁଯାୟୀ ପୁରୀ ଗ୍ରୀନ୍ ଜୋନରେ ଆସୁଥିବାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ଗତ ୪ତାରିଖ ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସରକାରଙ୍କ ଅନୁମତି ମିଳିନଥିବାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ କରାଯାଇଥିବା ସୁପାରିଶ ଉପରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆଯାଇନାହିଁ । ରାଜ୍ୟ ସରକାର ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିବା କୁହାଯାଇଛି ।

ରଥ ନର୍ମାଣ କାର୍ଯ୍ୟ ପାଇଁ ବିଶ୍ୱକର୍ମା ମହାରଣା ଓ ରୂପକାର ସେବାୟତ ରଥଖଳାକୁ ଆସି ଦୁଇଦିନ ହେଲା ଫେରୁଛନ୍ତି । ରଥ ନିର୍ମାଣ ଆରମ୍ଭ ପାଇଁ ବିଶ୍ୱକର୍ମା ମହାରଣାମାନେ ପ୍ରସ୍ତୁତ ଥିଲେ ମଧ୍ୟ ଆଇନ୍ ବିଭାଗର ଅନୁମତି ମିଳିନଥିବାରୁ କାର୍ଯ୍ୟା ଆରମ୍ଭ କରିପାରୁ ନାହାଁନ୍ତି । ପରମ୍ପରା ଅନୁଯାୟୀ ସରସ୍ୱତୀ ପୂଜାରେ ରଥଖଳାକୁ କାଠ ଆସିବା ଆରମ୍ଭ ହୋଇଥିଲା । ଶ୍ରୀରାମ ନବମୀରେ କଟକ ଖପୁରିଆ ସ୍ଥିତ ସମିଲରେ ରଥକାଠ ଚିରଟ ଅନୁକୂଳ ହୋଇସାରିଛି । ରଥ ପାଇଁ ବିଭିନ୍ନ ବନଖଣ୍ଡରୁ କାଠ ପହଞ୍ଚିବାରେ ଲାଗିଛି ।

ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇରହିଛି ରଥଖଳା । ନର୍ମାଣ କାର୍ଯ୍ୟ ବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଚଳିତବର୍ଷ ରଥଖଳାକୁ ଦେଢଗୁଣ ବୃଦ୍ଧି କରାଯାଇଛି । ଶ୍ରୀମନ୍ଦିର ବେଢ଼ାରେ ରଥ ଅନୁକୂଳ ହେବାର ୧୦ଦିନ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ନୃସିଂହ ଚତୁର୍ଦ୍ଦଶୀରେ ରୂପକାର ସେବକମାନେ ଗୁଜ ଅନୁକୂଳ କରିଥାନ୍ତିି । ଆସନ୍ତା ୧୫ତାରିଖରେ ଭଉଁରୀ ଯାତ୍ରା । ଭଉଁରୀରେ ୩ରଥର ୨ଟି ଲେଖାଏଁ ଚକ ଅଖ ଡେରା ଯିବାର ପରମ୍ପରା ରହିଛି । ସେହିପରି ସ୍ନାନ ପୂର୍ଣ୍ଣିମାରେ ଚାରି ନାହାକା ଉଠିବା ପରେ ରଥଯାତ୍ରାର ୨ଦିନ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇ କନା ମଣ୍ଡଣି କରାଯାଇଥାଏ ।

ରଥଯାତ୍ରା ପୂର୍ବଦିନ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ୩ରଥକୁ ଅଣାଯାଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ଜନିତ ଲକ୍ଡାଉନ କଟକଣା ଯୋଗୁଁ ରଥ ନିର୍ମାଣରେ ବ୍ୟତିକ୍ରମ ଦେଖା ଦେଇଛି । ସବୁ ବର୍ଷ ଆଜିର ତିଥି ବେଳକୁ ରଥଖଳା ଚଳଚଞ୍ଚଳ ହୋଇଯାଇଥାଏ । ବିଶ୍ୱକର୍ମା ମହାରଣା, ରଥଭୋଇ, କରତି, ରୂକାର ଓ କମାର ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଥାନ୍ତି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଦୋଳବେଦୀ କୋଣର ଅସ୍ଥାୟୀ ଶାଳରେ ରଥ ପାଇଁ ଆବଶ୍ୟକ ଲୁହାକଣ୍ଟା, ବଳା, ପନ୍ଦାରୀ, ଜୋଖା ଆଦି ତିଆରି କରାଯାଏ । ମାତ୍ର ବର୍ତ୍ତମାନ ସୁଦ୍ଧା ସରକାର ନିଷ୍ପତ୍ତି ସ୍ପଷ୍ଟ କରିନଥିବାରୁ ନିଶବ୍ଦ ହୋଇ ରହିଛି ରଥଖଳା ।

Leave A Reply