ବ୍ୟାସନଗର : ସମ୍ଭାବ୍ୟ ବାତ୍ୟା “ଦାନା”ର ମୁକାବିଲା ପାଇଁ ଆଜି ସକାଳ ୧୧ ଘଟିକା ସମୟରେ ରସୁଲପୁର ବ୍ଲକ୍ ସମ୍ମିଳନୀ କକ୍ଷ, ଦିନ ୧୨ ଘଟିକା ସମୟରେ କୋରେଇ ବ୍ଲକ୍ ସମ୍ମିଳନୀ କକ୍ଷ ଓ ଅପରାହ୍ନ ୪ ଘଟିକା ସମୟରେ ବ୍ୟାସନଗର ପୌରପରିଷଦ କେ.ଏନ୍.ଡି.ଏ. ଅଫିସ୍ ସମ୍ମିଳନୀ କକ୍ଷରେ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ସମସ୍ତ ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ବାତ୍ୟାକୁ କିପରି ମୁକାବିଲା କରାଯାଇପାରିବ ସେହି ବିଷୟରେ ଆଲୋଚନା କରିବା ସହିତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଓ ଅନେକ ସ୍କୁଲ ଗୃହରେ ତଳିଆ ଅଂଚଳ ଲୋକମାନଙ୍କୁ ଆଶ୍ରୟ ପାଇଁ ସ୍ଥାନାନ୍ତର କରିବାପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲରେ ଯେଉଁ ଲୋକମାନେ ରହିବେ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ଡାକ୍ତରଖାନାରେ ଆସନ୍ନ ପ୍ରସୂତି ମହିଳାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଣି ଡାକ୍ତରଖାନାରେ ରଖିବା ସହ ସାପ କାମୁଡା ଇଂଜେକସନ୍ ଓ ହାଲୋଜିନ୍ ବଟିକା ବହୁ ପରିମାଣରେ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ମହଜୁଦ୍ କରି ରଖିବା ପାଇଁ ଯୋଗାଣ ବିଭାଗକୁ ଶ୍ରୀ ଦାସନାୟକ ନିର୍ଦ୍ଦେଶ ଦେଇଥିଲେ । ଟ୍ୟାଙ୍କର୍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ପାଇଁ ସଚେତନତା କରାଇବା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯାଇ ଲୋକମାନଙ୍କୁ ଅବଗତ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ସରକାରୀ ଅଫିସର ଓ କର୍ମଚାରୀମାନେ ହେଡ୍କ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ୍ ଓ ପୌରପରିଷଦରେ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ରସୁଲପୁର ବ୍ଲକ୍ ବିଡିଓ, ତହସିଲଦାର, କୁଆଖିଆ ଥାନା ଅଧିକାରୀ, କୋରେଇ ବ୍ଲକ୍ ବିଡିଓ, ବ୍ୟାସନଗର ତହସିଲଦାର, କୋରେଇ ଥାନା ଅଧିକାରୀ, ବ୍ୟାସନଗର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲପାଳ, ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀ, ସମସ୍ତ ଜନପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।