ଭୁବନେଶ୍ୱର : ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ମହାନ୍ତି ଜଣେ ଦକ୍ଷ କଳାକାର ଭାବେ ବେଶ ଜଣାଶୁଣା ଥିଲେ । ତାଙ୍କର ଅସାଧାରଣ ପ୍ରତିଭା ଏବଂ ନିଖୁଣ ଅଭିନୟ ଯୋଗୁଁ ସେ ଅନେକ ଜାତୀୟ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୨୦୧୪ରେ ତାଙ୍କୁ ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୮୦ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ସେ ଅଭିନୟ କରି ଦର୍ଶକଙ୍କର ହୃଦୟକୁ ଜିଣିଥିଲେ ।
ମଂଚ, ନାଟକ ଏବଂ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ବିୟୋଗ ଓଡିଶା ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ମୃତୁ୍ୟ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ମହାନ୍ତିଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।