ଭଂଜନଗର – ଭଞ୍ଜନଗର ବ୍ଲକ ଦୋମୁହାଁଣି ପଂଚାୟତ ଗପଦର ଗ୍ରାମର ୨୨ ପରିବାରର ୬୦ ଜଣ ରବିବାର ଭାଜପାରେ ଯୋଗଦେଇଛନ୍ତି । ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ଆଦିବାସୀ ମାନେ ସୋରିଷ ଫୁଲ ଦେଇ ସ୍ୱାଗତ କରିବା ସହ ଗ୍ରାମକୁ ବୁଲି ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ବିଧାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଗ୍ରାମ ପରିଦର୍ଶନରେ ଯିବି ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଗ୍ରାମରେ ବିଦ୍ୟୁତ୍ ସେବା କିଭଳି ପହଞ୍ଚିବ, ପକ୍କା ରାସ୍ତା ନିର୍ମାଣ , ଗ୍ରାମରେ ଏକ ବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଶ୍ରୀ ନାୟକ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ମିଶ୍ରଣ ପର୍ବରେ ଗଞ୍ଜାମ ଜିଲ୍ଲା ପରିଷଦର ଫୁଲବାଣୀ ସାଂସଦ ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ନଗର ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି, ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର ଗୌଡ, ମଣ୍ଡଳ ସଭାପତି ଧୋବା ଗୌଡ, ସନ୍ତୋଷ ପାଳ, ଆଇନଜୀବି ରଜତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଗପଦର ଗ୍ରାମକୁ ପକ୍କା ରାସ୍ତା ନାହିଁ । ତେଣୁ ଗ୍ରାମବାସୀ ପ୍ରାୟ ୭ କିମି ରାସ୍ତା ଚାଲି ଚାଲି ଯାଇଥାନ୍ତି । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ ଅନେକ ଥର ବିଗତ ଦିନରେ ପ୍ରଶାସନ ଏବଂ ଲୋକ ପ୍ରତିନିଧି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସେମାନଙ୍କର ସମସ୍ୟା ଆଜି ପର୍ଯ୍ୟନ୍ତ ଦୂର ହୋଇନାହିଁ । ତେଣୁ ସରକାର ବଦଳିବା ପରେ ଗ୍ରାମବାସୀ ମଧ୍ୟ ମନ୍ ବଦଳାଇ ଆଜି ଭାଜପା ରେ ସାମିଲ ହୋଇ ଗ୍ରାମର ବିକାଶ ପାଇଁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି।