ବାତ୍ୟା ମୁକାବିଲା ଓ ସୁପରିଚାଳନା ପାଇଁ ମୁଖ୍ୟମନ୍ତୀ, ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପୁରା ଟିମ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି
ପ୍ରଭାବିତ ଅଂଚଳରେ ସ୍ଥିତି ସ୍ୱଭାବିକ କରିବା ପାଇଁ ଯୁଦ୍ଧକାଳନୀ ଭିତିରେ ଉଦ୍ୟମ କରୁଛନ୍ତି
କ୍ଷତିଗ୍ରସ୍ତଙ୍କ ଆର୍ଥିକସ୍ଥିତି ପ୍ରଭାବିତ ନ ହେବାକୁ ଗୁରୁତ୍ୱ ଦିଆଯାଉଛି
ଭୁବନେଶ୍ୱର ତା.୨୭/୧୦: ବାତ୍ୟା “ଦାନା”ର ମୁକାବିଲା ରାଜ୍ୟ ସରକାର ଯେଉଁଭଳି ଭାବେ ମିଳିତ ପ୍ରୟାସ କଲେ ତାହା ପ୍ରଶଂସନୀୟ ଅଟେ । ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟବୃନ୍ଦ, ସରକାରୀ ଅଧିକାରୀ, ଏନ୍ଡିଆରଏଫ, ଏସ୍ଡିଆରଏଫ, ଅଗ୍ନିଶମ ବିଭାଗ, ଉଦ୍ଧାରକାରୀ ଦଳ, ବିଭିନ୍ନ ସାମାଜିକ ସଂଗଠନମାନେ ମିଳିମିଶି ବାତ୍ୟା “ଦାନା”ର ମୁକାବିଲା ଏବଂ ପରିଚାଳନା କରିଛନ୍ତି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ମଧ୍ୟ ନିଜ ନିଜ ଅଂଚଳରେ ରହି ପ୍ରଶାସନ ଏବଂ ସରକାରଙ୍କୁ ସଂପୂର୍ଣ୍ଣ ସହଯୋଗ କରିଛନ୍ତି । ଓଡ଼ିଶାର ସରକାର ଯେଉଁଭଳି ଭାବେ ବିଭିନ୍ନ ଜିଲ୍ଲାରେ ବାତ୍ୟା ପରିଚାଳନା କଲେ ତାହା ବିଶ୍ୱସ୍ତରୀୟ । ଏଭଳି ବାତ୍ୟା ପରିଚାଳନା ସମଗ୍ର ବିଶ୍ୱରେ ସର୍ବୋକୃଷ୍ଟ କହିଲେ ଅତୁକ୍ତି ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ବାତ୍ୟା ପୂର୍ବରୁ ଆଗୁଆ ଯୋଜନା ପ୍ରସ୍ତୁତ କରାଯାଇ ତାହାକୁ ସଠିକ କାର୍ଯ୍ୟକାରୀ କରାଗଲା । ପ୍ରତ୍ୟେକଟି ଜୀବନର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା । ‘ଜିରୋ କାଜୁଆଲ୍ଟି’ ଉପରେ ଗୁରୁତ୍ୱ ଦିଆଯାଇ ତଳିଆ ଓ ଅସୁରକ୍ଷିତ ଅଂଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଅଂଚଳକୁ ସ୍ଥାନାନ୍ତର କରଗଲା । ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ପରିବେଷଣକୁ ପ୍ରାଧାନ୍ୟ ଦିଆଯିବା ସହ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି ।
ବିଜେପି ସରକାର “ଦାନା” ବାତ୍ୟାଜନିତ କ୍ଷୟକ୍ଷତି ଭରଣ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । ରାସ୍ତାଘାଟ ସଫା କରି ଯୋଗାଯୋଗ ପୁନଃକ୍ଷମ କରିବା, ବିଜୁଳି ଓ ପାନୀୟ ଜଳକୁ ଲୋକଙ୍କ ପାଖକୁ ପହଂଚାଇବା ଉପରେ ବର୍ତମାନ ଗୁରୁତ୍ୱ ଦିଆଯାଉଛି । ପ୍ରଭାବିତ ଅଂଚଳରେ ସ୍ଥିତି ସ୍ୱଭାବିକ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳନୀ ଭିତିରେ ପ୍ରୟାସ ଜାରି ରଖିଛନ୍ତିି । ଏହି ବାତ୍ୟାରେ ଅଧିକାଂଶ ସ୍ଥାନରେ ବହୁ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି । ଏସବୁର ଆକଳନ କରି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ବାତ୍ୟାଯୋଗୁ କ୍ଷତିଗ୍ରସ୍ତ ଲୋକଙ୍କ ଆର୍ଥିକ ସ୍ଥିତି ଯେପରି ପ୍ରଭାବିତ ନ ହେବ, ସେସବୁ ଉପରେ ରାଜ୍ୟରେ ବିଜେପି ସରକାର ଗୁରୁତ୍ୱ ଦେଉଛନ୍ତି । ଏନେଇ ମୁଖ୍ୟମନ୍ତୀ, ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପୁରା ଟିମ୍କୁ ଶ୍ରୀ ସାମଲ ଧନ୍ୟବାଦ ଦେଇଛନ୍ତି