Odisha news

ବିଜେଡି ଶାସନରେ ଓଡିଶା, ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ : ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

0

 ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତି ଏବଂ ସଚେତନତା ଅଭାବ କାରଣରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି
 ଗତ ୪ ବର୍ଷରେ ଓଡିଶାରେ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୨୫କୁ ଖସି ଆସିଛି
 ବର୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ନବୀନ ବାବୁ ସ୍ପଷ୍ଟ କରନ୍ତୁ
 ଆସନ୍ତା ୧୦ ତାରିଖ ଦିନ ଭୁବନେଶ୍ୱରଠାରେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, ତା ୦୮/୧୨: ମୋଦି ସରକାର ଶାସନକୁ ଆସିବା ପରେ ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ “ବେଟି ବଂଚାଅ ବେଟି ପଢ଼ାଅ” ଆରମ୍ଭ କରିଥିଲେ । ଏନେଇ ବିଭିନ୍ନ ରାଜ୍ୟ ମଧ୍ୟ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସଚେତନ ହୋଇଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ତେଣୁ ଓଡିଶାରେ ଲିଙ୍ଗଗତ ତାରତମ୍ୟ ଭୟଙ୍କର ଭାବେ ବଢ଼ିଛି । ଯାହା ଫଳରେ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୨୫କୁ ଖସି ଆସିଛି । ଗତ ୪ ବର୍ଷ ହେଲାଣି ଲଗାତାର ଭାବେ ମହିଳାଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି । ଯାହାକି ଏକ ଉଦ୍‌ବେଗଜନକ ସ୍ଥିତି ଅଟେ । ରାଜ୍ୟରେ କ୍ରମାଗତ ଭାବେ ମହିଳାଙ୍କ ସମସ୍ୟା କାହିଁକି ହ୍ରାସ ପାଇଚାଲିଛି ? ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଗମ୍ଭୀର ଭାବେ ଚିନ୍ତା କରିବା ଆବଶ୍ୟକ ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଡା. ବିଶ୍ୱାଳ କହିଛନ୍ତି ଯେ, ନବୀନ ସରକାରରେ ମହିଳା ସୁରକ୍ଷିତ ବୋଲି ଡିଣ୍ଡିମ ପିଟୁଛନ୍ତି କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ସମ୍ପୂର୍ଣ୍ଣ ଭିନ୍ନ । ଓଡିଶାରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ । ଦୀର୍ଘ ୨୩ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ବିଜୁ ଜନତା ଦଳ ମହିଳାଙ୍କ ଉନ୍ନତି, ପ୍ରଗତି ଓ ସଶକ୍ତିକରଣ ପାଇଁ କିଛି କରିନାହିଁ । ମହିଳାମାନେ ସ୍ୱାବଲମ୍ବି ହୋଇନାହାନ୍ତି । ଆଜି ବି ଜନ୍ମିତ ହେଉଥିବା ଶିଶୁ କନ୍ୟାକୁ ହତ୍ୟା କରାଯାଉଛି । ମହିଳା ଓ ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ବାବୁ କୌଣସି ପ୍ରଚେଷ୍ଟା ନକରିବା ଦୁର୍ଭାଗ୍ୟଜନକ । ବାସ୍ତବରେ ବିଜେଡି ସରକାର ମହିଳାବିରୋଧୀ । ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ଲିପ୍ତ ଥିଲେ ବି ଏଯାଏଁ ସେମାନେ ଦଣ୍ଡିତ ହୋଇନାହାନ୍ତି । ବିଜୁ ଜନତା ଦଳ ଓଡ଼ିଶାର ମହିଳାଙ୍କ ପାଇଁ କାଳ ସାଜିଛି । ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ବାବୁ ମହିଳାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଡା. ବିଶ୍ୱାଳ ଦାବି କରିଛନ୍ତି ।
ଏନ୍‌ସିଆର୍‌ବି ରିପୋର୍ଟ ଦର୍ଶାଉଛି ଯେ, ଓଡିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି । ରାଜ୍ୟରେ ଘରୋଇ ମହିଳାଙ୍କ ଆତ୍ମହତ୍ୟା ହାର ଅସମ୍ଭବଭାବେ ୬୧୩ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହାକି ୨୦୨୨ରେ ୩୧୭ ଥିଲାବେଳେ ୨୦୨୩ବେଳକୁ ତାହା ୨୬୯୧ ଛୁଇଁଛି । ଏହା ସହିତ ବିଭିନ୍ନ କାରଣରୁ ଛାତ୍ରୀଙ୍କ ଆତ୍ମହତ୍ୟା ୧୦୬ଟି ମାମଲା ରୁଜୁ ହୋଇଛି । ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ସେହିପରି ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷ ଲୋକରୁ ୩ଜଣ ହତ୍ୟାର ଶୀକାର ହେଉଛନ୍ତି ଅର୍ଥାତ୍ ସାଢେ ଚାରିକୋଟିରେ ୧୩ ଶହ ୫୦ ଜଣ ଲୋକ ହତ୍ୟାର ଶୀକାର ହେଉଛନ୍ତି । ୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ଅଛି ଓ ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଅଛି । କିନ୍ତୁ ଓଡିଶାର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ମହିଳା ବିରୋଧୀ ହିଂସାରେ ଓଡିଶା ୧ନଂ ରାଜ୍ୟ ବୋଲି ଡା.ବିଶ୍ୱାଳ କହିଛନ୍ତି ।
ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ବିଧିବଦ୍ଧ ପଦକ୍ଷେପ ନେଇନାହାନ୍ତି କିମ୍ବା ମହିଳାଙ୍କ ହିତ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ରାଜ୍ୟ ସରକାରଙ୍କର ମହିଳାଙ୍କ ପ୍ରତି ଅଣଦେଖା ମନୋଭାବ କାରଣରୁ ଓଡିଶାରେ ମହିଳାବିରୋଧୀ ଅପରାଧ କ୍ଷେତ୍ରରେ ଦଣ୍ଡବିଧାନ ହାର ହ୍ରାସ ପାଇଛି, ଯାହାକି ଭବିଷ୍ୟତରେ ଓଡ଼ିଶାକୁ ଘୋର ବିପଦମୁହାଁ କରାଇଛି । ଓଡ଼ିଶାରେ ମହିଳାଜନିତ ଅପରାଧରେ ଦଣ୍‌ଡବିଧାନ ହାର ମାତ୍ର ୮ପ୍ରତିଶତ । ଅଧିକାଂଶ କ୍ଷେତ୍ରରେ ପୋଲିସ ମହିଳାଙ୍କ ଅଭିଯୋଗ ରଖୁନାହାନ୍ତି । ଯାହାଫଳରେ ବାଧ୍ୟ ହୋଇ ମାନ୍ୟବର କୋର୍ଟଙ୍କ ନିକଟରେ ଫେରାଦ ହେବାକୁ ପଡୁଛି । ରାଜ୍ୟରେ ୱାନ-ସିସି ମାମଲା ସଂଖ୍ୟା ବହୁମାତ୍ରାରେ ବଢ଼ିଚାଲିଛି । ଏହା ସତ୍ୱେ ରାଜ୍ୟରେ ୨୦୨୨ ବର୍ଷରେ ୨୩୬୪୮ଟି ମହିଳା ବିରୋଧୀ ଓ ହିଂସା ମାମଲା ରୁଜୁ ହୋଇଛି । ଏହା କିଛି ଛୋଟ ସଂଖ୍ୟା ନୁହେଁ ବୋଲି ଡା. ବିଶ୍ୱାଳ କହିଛନ୍ତି ।
ପୂର୍ବରୁ ହରିୟାଣା ରାଜ୍ୟରେ ୨୦୧୧ରେ ୧୦୦୦ପୁରୁଷଙ୍କ ତୁଳନାରେ ୮୭୯ମହିଳାଙ୍କ ସଂଖ୍ୟା କମିକି ଥିଲା । କିନ୍ତୁ ହରିୟାଣା ସରକାର ଜନଜାଗରଣ ସୃଷ୍ଟି କରିବା ପରେ ୨୦୧୬ରେ ଏହି ସଂଖ୍ୟା ବୃଦ୍ଧି ପାଇ ୯୦୦ ଏବଂ ୨୦୧୯ରେ ୯୨୫କୁ ପଂହଚିଛି । ଅନ୍ୟ ପଟେ ଓଡିଶାରେ ଏହି ସଂଖ୍ୟା କ୍ରମାଗତ ହ୍ରାସ ପାଉଛି । ଓଡ଼ିଶାରେ ୧୯୬୧ରେ ୧୦୦୦ପୁଅ ଥିବାବେଳେ ୧୦୩୫ଝିଅ ରହିଥିଲେ । କିନ୍ତୁ ୨୦୨୩ରେ ୧୦୦୦ପୁଅ ତୁଳନାରେ ୯୨୫ଝିଅ ଅଛନ୍ତି । ଓଡ଼ିଶାରେ ମହିଳାଙ୍କ ଜନ୍ମ ସଂଖ୍ୟା କାହିଁକି ଦିନକୁ ଦିନ ତଳକୁ ଖସୁଛି ତାହାର ତର୍ଜମା ରାଜ୍ୟ ସରକାର ତୁରନ୍ତ କରନ୍ତୁ ବୋଲି ଡା. ବିଶ୍ୱାଳ ଦାବି କରିଛନ୍ତି ।
ରାଜ୍ୟରେ ତମାମ୍ ମହିଳା ବିରୋଧୀ ହିଂସା, ଦୁଷ୍କର୍ମ ସହିତ ବିଜୁ ଜନତା ଦଳର ନେତା, ମନ୍ତ୍ରୀ, ବିଧାୟକଙ୍କ ସମ୍ପୃକ୍ତି ଥିବା ସାମ୍ନାକୁ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇନାହାଁନ୍ତି । ଯାହାଫଳରେ ଅନ୍ୟମାନେ ଅପରାଧ ଘଟାଇବାପାଇଁ ସାହସ କରୁଛନ୍ତି । ବର୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ନବୀନ ବାବୁ ସ୍ପଷ୍ଟ କରନ୍ତୁ ବୋଲି ଡା. ବିଶ୍ୱାଳ ଦାବି କରିଛନ୍ତି ।
ଆସନ୍ତା ୧୦ ତାରିଖ ଦିନ ଭୁବନେଶ୍ୱରଠାରେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ । ସାଂପ୍ରତିକ ରାଜନୈତିକ ପରିସ୍ଥିତି, ମୋଦି ସରକାରଙ୍କ ବିଭିନ୍ନ ମହିଳାକଲ୍ୟାଣକାରୀ ଯୋଜନାର କ୍ରିୟାନ୍ୱୟନ, ରାଜ୍ୟରେ ଅସୁରକ୍ଷିତ ମହିଳା, ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଚରଣ ଆଦି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଡା. ବିଶ୍ୱାଳ ସୂଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ପ୍ରୀତି ପ୍ରତିଭା ଭୋଳ ଓ ରଶ୍ମିମୟୀ ପଟ୍ଟନାୟକ, ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ, ମହିଳାମୋର୍ଚ୍ଚା କୋଷାଧ୍ୟକ୍ଷା କଳ୍ପନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Har Ghar Tiranga

Leave A Reply