ପୁରୁଣା ଯିବେ ନୂଆ ଆସିବେ : ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାରତୀୟ ଜନତା ପାର୍ଟି ନୂଆ ଚେହେରାଙ୍କୁ ଦାୟିତ୍ୱ ଦେବାକୁ ବିଚାର
ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାରତୀୟ ଜନତା ପାର୍ଟି ପୁରୁଣା ଚେହେରା ବଦଳରେ ନୂଆ ଚେହେରାଙ୍କୁ ଦାୟିତ୍ୱ ଦେବାକୁ ବିଚାର କରୁଛି । ଏପରିକି ବିଧାୟକ ହୋଇନଥିବା ବ୍ୟକ୍ତିଙ୍କ ନାଁ ଉପରେ ମଧ୍ୟ ବିଚାର କରାଯାଉଛି ।
ବିଜେପି ସହ ଜଡ଼ିତ ସୂତ୍ରରୁ ପ୍ରକାଶ ଯେ ଦଳ ପୁରୁଣା ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ମୁଡରେ ନାହିଁ।
ସୂଚନାଯୋଗ୍ୟ, ନିକଟରେ ଏହି ୩ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଚମତ୍କାର ପ୍ରଦର୍ଶନ କରି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। କିନ୍ତୁ ଏସବୁ ନିର୍ବାଚନରେ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇନଥିଲା । ଦଳ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରାରେ ଏହି ନିର୍ବାଚନ ଲଢ଼ିଥିଲା।
ସୂତ୍ରରୁ ପ୍ରକାଶ ଯେ ତିନିଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ସ୍ଥିର ହୋଇଛି ଏବଂ ବିଜେପି ଆନୁଷ୍ଠାନିକ ଭାବରେ ମନୋନୀତ ପ୍ରାର୍ଥୀଙ୍କୁ ଅନୁମୋଦନ କରିଛି। ତେବେ ଆନୁଷ୍ଠାନିକ ଘୋଷଣା ହୋଇନଥିବାରୁ ଏହାକୁ ନେଇ ରାଜନୈତିକ କଳ୍ପନାଜଳ୍ପନା ବଢିବାରେ ଲାଗିଛି । ଛତିଶଗଡ଼ରେ କେନ୍ଦ୍ରମନ୍ତ୍ରୀ ରେଣୁକା ସିଂହଙ୍କୁ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରାଯାଉଛି। ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ବାକି ରହିଛି।