ଦେଶର ୨୨ଟି ସହରରେ ମେଟ୍ରୋ ରେଳ ହେଲା ପରେ ଏବେ ଓଡିଶା ସରକାରଙ୍କର ମେଟ୍ରୋ ରେଳ ପ୍ରକଳ୍ପ କଥା ମନେପଡିଛି
୨୦୧୭ରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ମେଟ୍ରୋ ଟ୍ରେନ ପଲିସି ଆଣିଛନ୍ତି ଯେଉଁଥିରେ କେନ୍ଦ୍ର ସରକାର ୫୦ ପ୍ରତିଶତ ଅର୍ଥ ଦେବାର ବ୍ୟବସ୍ଥା କରିଛନ୍ତି
ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଦାୟୀତ୍ୱ ଦିଆଯାଇଛି ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ କ୍ରିୟାନ୍ୱୟନ ପାଇଁ
କୁଆଡେ ଗଲା ଜାଗମରା–ଖଣ୍ଡଗିରି ଆଜକୁ ୧୦ ବର୍ଷ ତଳେ ଘୋଷଣା ହୋଇଥିବା ୨୦୦ ଫୁଟିଆ ରାସ୍ତା?
କେବେ ସରିବ ବର୍ଷ ବର୍ଷ ହେଲାଣି ଚାଲୁଥିବା ଜୟଦେବ ବିହାର- ନନ୍ଦନ କାନନ ରାସ୍ତା ପ୍ରଶସ୍ତିକରଣ?
୨୦୧୪ରେ ମୋଦି ସରକାର ଆସିବା ଆଗରୁ ଦେଶରେ ମାତ୍ର ୫ଟି ସହରରେ ମେଟ୍ରୋ ଚାଲୁଥିଲା । ଆଜି ମାତ୍ର ୯ ବର୍ଷ ଭିତରେ ଏବେ ଏହା ୧୫ଟି ସହରରେ ପହିଂଚିଲାଣି, ଆଉ ୭ଟି ସହରରେ ନୂଆ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣଧୀନ ଅଛି
ଭୁବନେଶ୍ୱର,ତା.୧୯/୧୦: ଆଜି ସାରା ଦେଶରେ ୧୫ଟି ସହରରେ ମେଟ୍ରୋ ରେଳ ଚାଲିସାରିଲାଣି । ସେହିଭଳି ଆଉ ୭ଟି ସହରରେ ନୂଆ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣଧୀନ ଅଛି । ଗରିବଙ୍କ ରାଜ୍ୟ ବିହାରରେ ମଧ୍ୟ ମେଟ୍ରୋ ରେଳ ଚାଲିଲାଣି । ଦେଶର ୨୨ଟି ସହର ଏବେ ମେଟ୍ରୋ ରେଳ ସୁବିଧା ପାଇସାରିଲା ପରେ ଏବେ ଓଡିଶା ସରକାରଙ୍କର ମେଟ୍ରୋ ରେଳ ପ୍ରକଳ୍ପ କଥା ମନେପଡିଛି । ପ୍ରାୟ ସମସ୍ତ ବଡ ବଡ ରାଜ୍ୟରେ ମେଟ୍ରୋ ରେଳ ଚାଲିଲାଣି କିନ୍ତୁ ଓଡିଶା ସରକାର ଡିପିଆର, ବିଜ୍ଞାପନରେ ଅଟକି ଯାଇଛନ୍ତି । ବିଜୁ ଜନତା ଦଳ ଶାସନରେ ଓଡିଶା ସବୁଠୁ ପଛରେ ପଡିଛି । ଓଡିଶାରେ ଏକ ସ୍ଥିର ସରକାର ଚାଲିଛି କିନ୍ତୁ ଆମର ବିକାଶ ବିଳମ୍ବିତ ହୋଇଛି । ୨୦୧୭ରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ମେଟ୍ରୋ ଟ୍ରେନ ପଲିସି ଆଣିଥିଲେ । ସେଥିରେ କେନ୍ଦ୍ର ସରକାର ୫୦ ପ୍ରତିଶତ ଅର୍ଥ ସମସ୍ତ ପ୍ରକଳ୍ଗକୁ ଦେବାର ବ୍ୟବସ୍ଥା କରିଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କର ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଦାୟୀତ୍ୱ ଦିଆଯାଇଛି ଦେଶରେ ସବୁ ବଡ ସହରରେ ମେଟ୍ରୋ ପ୍ରକଳ୍ପ କ୍ରିୟାନ୍ୱୟନ ପାଇଁ କିନ୍ତୁ ଓଡିଶା ସରକାରଙ୍କ ହୀନ ରାଜନୀତି ଓ ଉଦ୍ୟମର ଅଭାବ ପାଇଁ ଓଡିଶା ଲୋକେ ସେମାନଙ୍କର ଅଧୀକାରରୁ ବଂଚିତ ହେଉଛନ୍ତି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଏପ୍ରିଲ ୧ ତାରିଖ ପବିତ୍ର ଉକ୍ରଳ ଦିବସ ଦିନ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ପ୍ରକଳ୍ପର ଅନୁମୋଦନ କରିଥିଲେ ବୋଲି ଖବର ପ୍ରକାଶ ପାଇଥିଲା । ହେଲେ ସୂଚନା ଅଧୀକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ସେହି ଘୋଷଣା କରିବା ପୂର୍ବରୁ କୌଣସି ବୈଠକ ବା କୌଣସି ଆଲୋଚନା ସରକାରୀ ସ୍ତରରେ କରିନଥିଲେ । ଏମିତି ବିନା ଆଲୋଚନା, ବିନା ବୈଠକରେ ହଠାତ୍ ଘୋଷଣା କରିବାରେ ମୁଖ୍ୟମନ୍ତ୍ରୀ ବୋଧହୁଏ ବିଶ୍ୱରେ ଏକମାତ୍ର ଶାସନମୁଖ୍ୟ । ଉକ୍ରଳ ଦିବସ ଦିନ ଓଡିଶା ଲୋକଙ୍କୁ “ଏପ୍ରିଲ ଫୁଲ” କରାଇବାର ପ୍ରୟାସ କରିଥିଲେ କି ମୁଖ୍ୟମନ୍ତ୍ରୀ ? ପ୍ରତିଶୃତି ଦେବାରେ ଓ ପ୍ରତାରଣା କରିବାରେ ଉଭୟରେ ମୁଖ୍ୟମନ୍ତ୍ରୀ ରେକର୍ଡ କରିଛନ୍ତି । କୁଆଡେ ଗଲା ଆଜକୁ ୧୦ ବର୍ଷ ତଳେ ଘୋଷଣା ହୋଇଥିବା ଜାଗମରା–ଖଣ୍ଡଗିରି ୨୦୦ ଫୁଟିଆ ରାସ୍ତା ? କେବେ ସରିବ ୧୩ ବର୍ଷ ହେଲାଣି ଚାଲୁଥିବା ଜୟଦେବ ବିହାର- ନନ୍ଦନ କାନନ ରାସ୍ତା ପ୍ରଶସ୍ତିକରଣ ଏବଂ ଦୁଇ ପଟରେ ପ୍ରସ୍ତାବିତ ସର୍ପୋଟ ରୋଡର କାମ ? କେବେ ଭୁବନେଶ୍ୱର ସହର ଜଳମଗ୍ନ ସମସ୍ୟାରୁ ମୁକ୍ତି ପାଇବ । ଏସବୁ ଦେଖିଲେ ଲାଗୁଛି ସତରେ କ’ଣ ମେଟ୍ରୋ ରେଳ ପ୍ରକଳ୍ପ କାମ ସରିବ ନା ଏହା କେବଳ ବିଜୁ ଜନତା ଦଳର ସୋସିଆଲ ମିଡିଆ ପେଜରେ ହୋଇଥିବା ରଙ୍ଗ ରଙ୍ଗିଆ ଆନିମେଟଡ ଭିଡିଓ ପାଖରେ ଅଟକିଯିବ ।
କେନ୍ଦ୍ର ସରକାରଙ୍କ ସହଭାଗିତାରେ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଥିବା ବେଳେ ଏହାକୁ ମିଛରେ କୁହାଯାଉଛି ଯେ, ଏହା ରାଜ୍ୟ ସରକାରଙ୍କ ନିଜସ୍ୱ ବଜେଟ୍ରେ ହେଉଛି ବୋଲି । ଠିକ ଯେମିତି କୋଭିଡ ସମୟରେ ନିଜ ଅର୍ଥରେ ଗ୍ଲୋବାଲ ଟେଣ୍ଡର ଘୋଷଣା କରି ଭ୍ୟାକ୍ସିନ ଦେବୁ ବୋଲି କହିଥିଲେ, ହେଲେ ଗୋଟିଏ ଛୁଂଚି ମଧ୍ୟ କିଣିପାରିଲେ ନାହିଁ । ସମସ୍ତ କୋଭିଡ ଟିକା କେନ୍ଦ୍ର ସରକାର ଯୋଗାଇଲେ । ୨୦୧୮ରେ ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ମହାନଦୀରେ ୨୯ଟା ବନ୍ଧ ବାନ୍ଧିବୁ ବୋଲି ହେଲେ ଗୋଟିଏ ମଧ୍ୟ କରିପାରିଲେ ନାହିଁ । ୨୦୧୩ରେ ସବୁ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନା କରିବା କଥା ସରକାର ଘୋଷଣା କରିଥିଲେ ହେଲେ କରିପାରିଲେ ନାହିଁ । କେବଳ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା ହୁଏ, ନିର୍ବାଚନ ପରେ ଭୁଲିଯାଆନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ୨୦୦୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଜି ମଧ୍ୟପ୍ରଦେଶରେ ଦୁଇଟି ସହରରେ ମେଟ୍ରୋ ରେଳ ଚାଲିଲାଣି । ନରେନ୍ଦ୍ର ମୋଦି ୨୦୦୧ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେଠାରେ ଏବେ ୩ଟି ସହରରେ ମେଟ୍ରୋ ରେଳ ଚାଲିଲାଣି । ନବୀନ ବାବୁ ନିଜେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେଲେ । ନବୀନ ବାବୁ ସବୁଠୁ ଆଗ ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ବିକାଶର ଦୌଡରେ ସବୁଠୁ ପଛରେ ପଡିଗଲେ । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ୨୦୧୪ରେ ଆସିବା ଆଗରୁ ଦେଶରେ ମାତ୍ର ୫ଟି ସହରରେ ମେଟ୍ରୋ ଚାଲୁଥିଲା । ଆଜି ମାତ୍ର ୯ ବର୍ଷ ଭିତରେ ଏବେ ଏହା ୧୫ଟି ସହରରେ ପହିଂଚିଲାଣି । ସେହିଭଳି ଆଉ ୭ଟି ଅନ୍ୟ ସହରରେ ନୂଆ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣଧୀନ ଅଛି । ୨୦୧୪ରେ ଦେଶରେ ମେଟ୍ରୋ ଲାଇନ ଥିଲା ୨୨୯ କିମି । ଏବେ ଏହା ୮୪୫ କିମି ପାର କରିସାରିଲାଣି । ଏହା ସହିତ ଆହୁରି ୧୦୦୦ କିମିର ମେଟ୍ରୋ ରେଳ ପ୍ରକଳ୍ପ ଦେଶରେ ନିର୍ମାଣଧୀନ ଅଛି, କିନ୍ତୁ ଓଡିଶା ଏହି ଲାଭ ନେଇପାରୁନାହିଁ । କାରଣ ନବୀନ ବାବୁଙ୍କୁ ନରେନ୍ଦ୍ର ମୋଦି କାଳେ ନାଁ ନେଇଯିବେ ସେହି ଡର ଘାରିଛି । ଏହା ଡାର୍ଟି ପଲିଟିକସର ଲକ୍ଷଣ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ କୁମାର ଦାସ୍ ଉପସ୍ଥିତ ଥିଲେ ।