ଭଂଜନଗର – ଯେ କୌଣସି ଲୋକ ଦେଖିଲେ କହିବେ, ସତେ ଯେମିତି କଥା କହୁଛି “କତା କଣ୍ଢେଇ” । ନିଖୁଣ କଳା-କୈାଶଳରେ ତିଆରି ଏସବୁ ଭଳିକି ଭଳି କଣ୍ଢେଇ । ଅତ୍ୟାଧୁନିକ ଶୈଳୀରେ ତିଆରି ଦାମୀ କଣ୍ଢେଇ ଠାରୁ, ଏହା ଅଧିକ ଆକର୍ଷଣୀୟ ଲାଗୁଛି । ଅଦରକାରୀ ଭାବି ଫୋପାଡି ଦିଆଯାଉଥିବା ଜିନିଷକୁ, ନୂଆଁ ରୂପ ଦେଇ ପାରୁଛନ୍ତି, ଜଗନ୍ନାଥପ୍ରସାଦ ବ୍ଳକ୍ ଅନ୍ତର୍ଗତ ଗଣ୍ଡାଧର ଗାଁର ମା’ ବିରଜା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ । ଯାହାକି ଏମାନଙ୍କୁ ସ୍ବାବଲମ୍ବୀ ଏବଂ ରୋଜଗାରର ନୂଆଁ ବାଟ ଦେଖାଇଛି । ଭଲ ଦି’ପଇସା, ଲାଭ ବି’ କରିପାରୁଛନ୍ତି । ଗଲା ପ୍ରାୟ ୧୪ ବର୍ଷହେଲା, ଏହି ପ୍ରୟାସ ଜାରି ରଖିଛନ୍ତି ଏମାନେ । ପିପିଲି ରୁ ନଡ଼ିଆ କତା କିଣି ଆଣିବାକୁ ହୁଏ । ସେ ସବୁକୁ ଆବଶ୍ୟକ ଅନୁସାରେ, ରଙ୍ଗୀନ୍ ସୁତା, ମଖମଲ୍ କନା ଓ ଚୁମୁକି ଲଗାଇ ହାତୀ, ମୟୂର, ହରିଣ, ଘୋଡ଼ା, କଇଁଛ ଏବଂ ବାଇ ଚଢେଇ ବସା ଭଳି ବିଭିନ୍ନ ଉପକରଣ ତିଆରି କରିଥାନ୍ତି । ଏଥିରେ କୈାଣସି ରସାୟନିକ ରଙ୍ଗ କିମ୍ବା ହାନିକାରକ ଜିନିଷ ବ୍ୟବହାର ହୋଇନଥାଏ । ଏଭଳି ମନଲୋଭା କଳିକୃତିକୁ, ଘରେ ସଜେଇ ରଖିବା ଏବଂ ପିଲାଙ୍କ ଖେଳନା ପାଇଁ ଲୋକେ ଆଗ୍ରହର ସହ କିଣି ନେଇଥାନ୍ତି । ଏହା ବ୍ୟତୀତ ଗ୍ରାହକ ମାନେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବିବାହ ଉତ୍ସବରେ, ଉପହାର ସ୍ବରୂପ ଦେଇଥାନ୍ତି ଏହି କତା କଣ୍ଢେଇକୁ । କତା ରୁ କଣ୍ଢେଇ ତିଆରି କରି, ନୂଆଁ ପରିଚୟ ସୃଷ୍ଟି କରିଛନ୍ତି ଏହି ସ୍ବୟଂ ସହାୟିକା ଗୋଷ୍ଠୀର ୩୦ ଜଣ ମହିଳା । ଏଣୁ ଆଗକୁ ଏହି ପ୍ରୟାସ ଜାରି ରହିବାପାଇଁ, ଆଉ କିଛି କିଛି ଆବଶ୍ୟକ ମଧ୍ୟ ରହିଥିବା କୁହାଯାଇଛି । ଏପରିକି ବିନା ସୁଧରେ ଋଣ ଯୋଗାଇଦେବା ସହ ସରକାରଙ୍କ ପକ୍ଷରୁ ମହିଳା ସଂଘ ଘରଟିଏ ତିଆରି କରିଦେବା ପାଇଁ, ଦାବୀ ରଖିଛନ୍ତି ସଦସ୍ୟା ମାନେ । ଅନ୍ୟପକ୍ଷରେ ଉକ୍ତ ମହିଳା ସଂଘର ଦାବୀ ପ୍ରକାରେ, ସରକାରୀ ସ୍ତରରେ ଯଥା ସମ୍ଭବ ସହଯୋଗ କରାଯିବ ବୋଲି କହିଛନ୍ତି, ଭଂଜନଗର ଉପଜିଲ୍ଲାପାଳ । ନିଜର ଅନ୍ତର୍ନିହିତ କଳା-କୈାଶଳ ଏବଂ ଇଛାଶକ୍ତି ଏମାନେଙ୍କୁ ନୂଆଁ ପରିଚୟ ଦେଇଛି । କେବଳ ସେତିକି ନୁହେଁ, ଅନ୍ୟକୁ ପ୍ରେରଣା ମଧ୍ୟ ଦେଉଛି । ଏଥିପାଇଁ ଏହି ମହିଳାମାନଙ୍କ ପରିବାର ଲୋକେ ମଧ୍ୟ, ଉତ୍ସାହିତ କରୁଛନ୍ତି । ଏବେ ସରକାରୀ ସ୍ତରରେ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି, ସଂଘର ସଭାପତି ବୁଲି ସାହୁ , ସମ୍ପାଦିକା ବାସନ୍ତୀ ନାୟକ ଏବଂ ସମସ୍ତ ସଦସ୍ୟ ମାନେ ।