ଭଂଜନଗର – କାର୍ତ୍ତିକ ମାସ । ବର୍ଷ ତମାମର ଶ୍ରେଷ୍ଠ ମାସ । ଏହି ମାସରେ ପାଳନ ହେଉଥିବା, ପୂଜା, ବ୍ରତ, ଓ ବିଭିନ୍ନ ଉତ୍ସବ ମଧ୍ୟରେ “ଆକାଶ-ଦୀପ” ଉଠିବାର ପରମ୍ପରା ଅନ୍ୟତମ । ପୀଢ଼ି ପରେ ପୀଢ଼ି, ଏହି ବିଶ୍ବାସ କୁ ପାଳନ କରି ଆସୁଛନ୍ତି । ମାଟି ହାଣ୍ଡି ଭିତରେ, ଦୀପାଳୀ ଜାଳି ଗାଁ ଦାଣ୍ଡ ଅବା ମନ୍ଦିର ବେଢ଼ାରେ ପୋତା ଯାଇଥିବା ଲମ୍ବା ବାଉଁଶ କିମ୍ବା କାଠରେ ରସି ଲଗାଇ ଉପରକୁ ଉଠାଇ ରଖାଯାଏ । ଉପସ୍ଥିତ ଥିବା ଗାଁର ସବୁ ଲୋକେ ହରିବୋଲ ହୁଳହୁଳି ଦେଇ, ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ଏହି ଭଳି ଭାବେ ଗଂଜାମର ଗାଁ ଗଣ୍ଡାରେ, କାର୍ତ୍ତିକ ମାସରେ ଆୟୋଜନ ହୋଇଥାଏ, “ଆକାଶ-ଦୀପ” ପରମ୍ପରା । ପ୍ରତିଦିନ ସନ୍ଧ୍ୟା ହେଲେ, ଅଧିକାଂଶ ଗ୍ରାମାଞ୍ଚଳରେ ଆକାଶ-ଦୀପ ଉଠିଥାଏ । ବର୍ତମାନ ସମୟରେ ସହରାଞ୍ଚଳର ବିଭିନ୍ନ ମନ୍ଦିର ବେଢାରେ, ଏହି ପରମ୍ପରା ଦେଖିବାକୁ ମିଳେ । ବିଶେଷ କରି ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଗୋପୀନାଥ ମନ୍ଦିରର ଭଳି ବୈଷ୍ଣବୀୟ ଉପାସନା ସ୍ଥଳରେ ଏହି “ଆକାଶ-ଦୀପ” ଉଠିବା ବିଧିବିଧାନ ଦେଖିବାକୁ ମିଳିଥାଏ । କେଉଁଠି କେଉଁଠି ଏକାଧିକ “ଆକାଶ-ଦୀପ” ମଧ୍ୟ ପ୍ରସ୍ତୁତ ହୋଇଥାଏ । ଆଧ୍ୟାତ୍ମିକ ଚିନ୍ତାଧାରାକୁ ଆଧାରକରି ଭକ୍ତି ଓ ବିଶ୍ବାସର ସହ ପାଳନ କରାଯାଇଥାଏ । ଏହାବ୍ୟତୀତ ସମସ୍ତେ ଏକାଠି ହେବାର ଉଦାହରଣ ସୃଷ୍ଟି ହୋଇଥାଏ । କାର୍ତ୍ତିକ ମାସ ଆରମ୍ଭରୁ, କାର୍ତ୍ତିକ ପୂର୍ଣ୍ଣମା ଯାଏଁ, ଏହି “ଆକାଶ-ଦୀପ” ଉଠିବାର ପରମ୍ପରା ରହି ଆସିଛି ଆମ ଓଡ଼ିଆ ଚଳଣିରେ । ଅତୀତରୁ ଆଜିଯାଏଁ, ଅଧିକାଂଶ ପର୍ବପର୍ବାଣୀ, ପରମ୍ପରା, ଏବଂ ପୂଜା ଉପାସନା ପାଳନ ହୋଇ ଆସୁଥିଲେ ମଧ୍ୟ ସେଥିରୁ କିଛି କିଛି , ପରିବର୍ତ୍ତନ ହୋଇଛି । ସମୟ ଅନୁଯାୟୀ ଯୁଗପଯୋଗୀ ହୋଇଛି । କିଛି ବିକୃତ ହୋଇଛି ଏବଂ ଆଉ କିଛି ଦୂରେଇ ଦୂରେଇ ଯାଇଛି । କିନ୍ତୁ ଏହି “ଆକାଶ ଦୀପ” ପରମ୍ପରା ଯେମିତି ଥିଲା, ଏବେବି ସେମିତି ରହିଛି ।