ବେତନଟୀ : ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଜୁଆଳିଭଙ୍ଗା ଗ୍ରାମ ପଞ୍ଚାୟତ କାଳିଆନାଳ ଗ୍ରାମରେ ଦନ୍ତା ହାତୀର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ତିନୋଟି ଦନ୍ତା ହାତୀ ଗାଁ ଭିତରକୁ ପଶି ଉତ୍ପାତ କରିଥିଲେ। ତେବେ ଦନ୍ତା ହାତୀର ଆକ୍ରମଣରେ ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୋରଡ଼ା ଥାନା ଅନ୍ତର୍ଗତ କାଳିଆନାଳ ଗ୍ରାମର ୫୫ ବର୍ଷିୟ ପୁଇନା ଦେହୁରୀ। ମିଳିଥିବା ସୂଚନା ମୁତାବକ, ପୁଇନା ଦେହୁରୀ ତା’ର ଦୁଇ ଝିଅ ସହିତ ଘରେ ଶୋଇଥିବା ବେଳେ ହଠାତ ତିନୋଟି ହାତୀ ଆସି ଉତ୍ପାତ କରିଥିଲେ। ହାତୀ ଆସିବାର ଜାଣିପାରି ଦୁଇ ଝିଅ ଏଣେତେଣେ ଦୌଡ଼ି ପଳାଇବା ବେଳେ ପୁଇନାକୁ ଗୋଟେ ଦନ୍ତା ହାତୀ ଟାଣିନେଇ ଦଳି ଦେଇଥିଲା । ଘଟଣାସ୍ଥଳରେ ପୁଇନାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଗାଁ ଲୋକଙ୍କ କହିବା ଅନୁସାରେ ଦନ୍ତା ହାତୀ ଜଙ୍ଗଲକୁ ଆସିଥିବା ନେଇ ବନବିଭାଗ କୌଣସି ସୂଚନା ଦେଇନଥିଲେ | ଖବରପାଇ ବେତନଟୀ ରେଞ୍ଜ ଅଧିକାରୀ ମନୱର ଖାଁ ଏବଂ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ ଏଣ୍ଡ ହସ୍ପିଟାଲକୁ ନେଇଥିବା ଜଣା ଜଣାଯାଇଛି ।