ବେତନଟୀ: ବୈଶିଙ୍ଗା ଥାନା ଅଧୀନ ପାଟଳୀପୁରା ପଞ୍ଚାୟତ ଡେମ୍ପୌଦା ଗ୍ରାମର ଦେବେନ୍ଦ୍ର ସାସମଲ (୬୧) ସୋମବାର ଭୋର ସମୟରେ ଘର ବାରଣ୍ଡାରେ ଶୋଇଥିବା ସମୟରେ ଏକ ଧାରୁଆ ଅସ୍ତ୍ର ଯୋଗେ ତାଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଘଟଣା ରେ ମଙ୍ଗଳବାର ମୂଖ୍ୟ ଅଭିଯୁକ୍ତ ବଡପୁଅ ବିଦ୍ୟାଧରଙ୍କୁ ଗିରଫ କରି ୩୮୫/୨୩ ର ମାମଲା ମୂଳେ କୋର୍ଟ ଚାଲାଣ କଲା ବୈଶିଙ୍ଗା ପୁଲିସ। ମିଳିଥିବା ସୂଚନା ମୁତାବକ ଦେବେନ୍ଦ୍ର ସାସମଲ ସବୁଦିନ ପରି ନିଜ ୨ ପୁଅ ଏବଂ ସ୍ତ୍ରୀ ଙ୍କ ସହିତ ରାତ୍ରୀ ଭୋଜନ ସାରି ଘର ବାରଣ୍ଡାରେ ଏକୁଟିଆ ଶୋଇଥିଲେ। ଦୁଇ ପୁଅ ଓ ସ୍ତ୍ରୀ ଘର ଭିତରେ କବାଟ ମାରି ଶୋଇଥିଲେ l ତାଙ୍କ ସାନପୁଅ ରତ୍ନାକରଙ୍କ କହିବା ମୁତାବକ ସେ ରାତି ପ୍ରାୟ ୨ଘଟିକା ସମୟରେ ହଠାତ ଗୋଟିଏ ବଡ ଶବ୍ଦ ହେବା ଯୋଗୁଁ କବାଟ ଖୋଲି ଘର ବାହାରକୁ ଆସିଥିଲେ ଏବଂ ବାପାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ଦେଖିବାକୁ ପାଇଥିଲେ । ସେ ତୁରନ୍ତ ତାଙ୍କ ଭାଇ ଓ ମାଆଙ୍କୁ ଡାକି ଉଠାଇଥିଲେ ଏବଂ ପଡୋଶୀ ଲୋକଙ୍କୁ ମଧ୍ୟ ଖବର ଦେଇଥିଲେ l ଖବରପାଇ ଘଟଣା ସ୍ଥଳରେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ, ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିବା ସହିତ ଘଟଣାସ୍ଥଳରୁ କିଛି ତଥ୍ୟ ପ୍ରମାଣ ଯୋଗାଡ଼ କରିବା ସହିତ ଗ୍ରାମବାସୀ ଓ ପାଖ ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲେ l ପରେ ଶବ ବ୍ୟବଚ୍ଛେଦ ପରେ ଦୁଇ ପୁଅ ବିଦ୍ୟାଧର ଏବଂ ରତ୍ନାକରଙ୍କ ଦ୍ୱାରା ମୃତ ଦେବେନ୍ଦ୍ରଙ୍କର ଶବ ସତ୍କାର କରାଯାଇଥିଲା l ଗ୍ରାମବାସୀଙ୍କ କହିବା ମୁତାବକ ବିଭିନ୍ନ କାରଣ ନେଇ ମୃତ ଦେବେନ୍ଦ୍ରଙ୍କ ସହିତ ତାଙ୍କ ବଡପୁଅ ବିଦ୍ୟାଧରର ସମ୍ପର୍କରେ ତିକ୍ତତା ଥିଲା , ଯେଉଁଥିପାଇଁ ଅଧିକାଂଶ ସମୟରେ ସେମାନଙ୍କ ମଧ୍ୟରେ ପ୍ରାୟ ଝଗଡା ମଧ୍ୟ ଲାଗି ରହୁଥିଲା l ଶବ ସତ୍କାର ପରେ ଆଜି ଦୁଇ ପୁଅ କୁ ପଚରା ଉଚରା ନିମନ୍ତେ ଥାନାକୁ ଆଣିଥିଲା ବୈଶିଙ୍ଗା ପୁଲିସ। ତଦନ୍ତ ପୂର୍ବକ ପଚରାଉଚରା ଚାଲିଥିବା ସମୟରେ କ୍ରୋଧର ବଶବର୍ତ୍ତୀ ହୋଇ ବଡ଼ପୁଅ ବିଦ୍ୟାଧର ମଧ୍ୟରାତ୍ରରେ ଏକୁଟିଆ ବିଛଣାରୁ ଉଠି ଆକ୍ରୋଶମୂଳକ ଭାବେ ଘରେ ଥିବା ଏକ କତି ହଣା କଟୁରୀ ସାହାଯ୍ୟରେ ଅତି ନିର୍ମମ ଭାବେ ନିଜ ବାପା ଦେବେନ୍ଦ୍ରଙ୍କୁ ଚୋଟ ପରେ ଚୋଟ ମାରି ହତ୍ୟା କରିଥିଲା ବୋଲି ବୈଶିଙ୍ଗା ପୁଲିସ ସମ୍ମୁଖରେ ପ୍ରକାଶ କରିଥିଲା l ଅଭିଯୁକ୍ତର ସାନ ଭାଇ ରତ୍ନାକର ଓ ମାଆ କନକଲତା ମଧ୍ୟ ପୁଲିସ ସାମ୍ନାରେ ଉକ୍ତ ହତ୍ୟାକାଣ୍ଡ ବିଦ୍ୟାଧର ଘଟାଇଥିବା ନେଇ ସ୍ବୀକାରୋକ୍ତି ପ୍ରକାଶ କରିଥିଲେ l ମୃତକଙ୍କ ପତ୍ନୀ କନକଲତାଙ୍କ ଲିଖିତ ଅଭିଯୋଗ ପରେ ବୈଶିଙ୍ଗା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯିବା ସହିତ ବଡ ପୁଅ ବିଦ୍ୟାଧରକୁ ଗିରଫ କରାଯିବା ସହ ଆଜି କୋର୍ଟକୁ ପଠାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ମୃତ ଦେବେନ୍ଦ୍ର ଅତି ସରଳ ବିଶ୍ୱାସୀ ବ୍ୟକ୍ତି ଥିଲେ ଏବଂ ପରିବା ବିକ୍ରୀ କରି ପରିବାର ପୋଷଣ କରୁଥିଲେ। ତାଙ୍କ ବଡପୁଅ ଙ୍କ ଦ୍ୱାରା ହୋଇଥିବା ଏପରି ଜଘନ୍ୟ ହତ୍ୟାକାଣ୍ଡକୁ ସର୍ବସାଧାରଣରେ ନିନ୍ଦା କରାଯାଇଛି।