ଵ୍ରହ୍ମପୁର : ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡ଼ିଏସପି ଶୃତିକାନ୍ତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା। ଉକ୍ତ ଟିମ ମଙ୍ଗଳବାର ଗୋପାଳପୁର ଥାନା ଅନ୍ତର୍ଗତ ବଡ଼କୁଶସ୍ଥଳୀ ନିକଟରେ ଯାନବାହନ ଯାଞ୍ଚ କରିଥିଲା। ସେଠାରେ ଵ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର ନଂ ( ଓଡ଼ି ୦୨ ବିଭି – ୮୫୯୯) କୁ ଅଟକାଇ ଯାଞ୍ଚ କରାଯାଇଥିଲା। ସେଥିରୁ ୩୪ କେଜି ଗଞ୍ଜେଇ ଜବତ ହୋଇଥିଲା। ଗାଢ଼ି ଡ୍ରାଇଭର ସମେତ ୫ ଜଣଙ୍କୁ ଉକ୍ତ ଟିମ ବାନ୍ଧିଥିଲା। ସେମାନେ ହେଲେ ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ଖଜୁରିଆରେ ପ୍ରକାଶ ପ୍ରଧାନ(୫୭) , ଗୌତମ ପ୍ରଧାନ( ୨୬), ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ପୂର୍ଣଚନ୍ଦ୍ର ଭରସଗାର (୩୦), କନ୍ଧମାଳ(ଫୁଲବାଣୀ) ବିଶିପଢ଼ାର ସାରଥୀ କର(୩୨) ଓ ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣିପଲିର ପଞ୍ଚାନନ ବେହେରା(୨୭)। ଜେରା ବେଳେ ସେମାନେ ଉକ୍ତ ଗଞ୍ଜେଇ କନ୍ଧମାଳ ଜିଲାରୁ ଵ୍ରହ୍ମପୁର ଦେଇ ଭୁବନେଶ୍ୱର ଚାଲାଣ କରୁଥିଲେ ବୋଲି ସ୍ୱୀକାର କରିଛନ୍ତି। ସେହିପରି ଜବତ ଗଞ୍ଜେଇ ଓ ଗାଢ଼ିର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ହେବ ବୋଲିତଦନ୍ତକାରୀ ଅଧିକାରୀ ତଥା ଏସଆଇ ଅଜିତ ନାୟକ ସୂଚନା ଦେଇଛନ୍ତି। ମାମଲା ନଂ ୪୩୮/୨୪-୨୫ ରେ ଗିରଫ ୫ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢଉରେ ଅନ୍ୟମାନଙ୍କ ମଧ୍ୟରେ କନେଷ୍ଟେବଳ ବଳରାମ ଜେନା, କୁମୁଦ ପ୍ରଧାନ, ପ୍ରବୀର ସାମଲ, ସନ୍ତୋଷ ନାୟକ ପ୍ରମୁଖ ସାମିଲ ଥିଲେ।ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ସହ ଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ରୀତିମତ ଭାବେ ବିଭିନ୍ନ ସ୍ଥାନର ଚଢଉ କରାଯାଉଛି ବୋଲି ଡ଼ିଏସପି ରାଉତ ସୂଚନା ଦେଇଛନ୍ତି।