Odisha news

ଦୁନିଆ ସାହୁ ହତ୍ୟା ମାମଲାରେ ୫ ଅଭିଯୁକ୍ତ ଗିରଫ : ଦୁଇ କାତି , ଦୁଇ ବାଇକ ଜବତ

0
ବ୍ରହ୍ମପୁର, ୩୦/୧୦ -ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଘଟିଥିବା ଦୁନିଆ ସାହୁ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ଏଥିରେ ସାମିଲ ଥିବା ୫ଜଣଙ୍କୁ ଗିରଫ କରିଛି ପୋଲିସ।  ପୂର୍ବ ଶତ୍ରୁତା ଓ ପୁଞ୍ଜିଭୂତ ଅଶାନ୍ତିରୁ ଏହି ସୁପରିକଳ୍ପିତ ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରେ ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ନାରାୟଣପୁର ଗ୍ରାମରେ ଦୁର୍ଯ୍ୟୋଧନ ପ୍ରଧାନ ଓରଫ୍‌ ଦୁର୍ଯ୍ୟ(୩୭), ଭିକୁ ଜେନା(୨୮), ସଦର ଥାନା ଟିକରପଡ଼ା ଗ୍ରାମର କୋରା ରାଉଳ(୨୪), ଆଙ୍କୁଶପୁରର ସୁରେଶ ବେହେରା(୩୫), ଗୋସାଇଁନୂଆଗାଁ ଥାନା ଶାସ୍ତ୍ରୀନଗର ତୃତୀୟ ଲାଇନ୍‌ର ସାଗର ପଣ୍ଡା(୩୩) ବୋଲି ବ୍ରହ୍ମପୁର ଏସ୍‌.ପି. ଡା. ଶରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରେ ହତ୍ୟାକାଣ୍ଡରେ ବ୍ୟବହ୍ୟତ ହୋଇଥିବା ଦୁଇଟି କାତି ଓ ଦୁଇଟି ବାଇକ୍‌ ଜବତ କରାଯାଇଛି।‌ ସଦର ଥାନା କେସ୍ ନମ୍ବର ୫୧୦/୨୩ରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗତ ୨୭ତାରିଖ‌ ସଂଧ୍ୟାରେ ଦୁନିଆ ତା’ର ମା’ କୁନି ସାହୁ ଓ ସାନଭାଇ ଆଲୋକ ସାହୁ ଘରେ ଥିବା ବେଳେ କିଛି ଦୁର୍ବୃତ୍ତ ସମସ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ହେଲେ ଦୁନିଆର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଦୁନିଆ ନାମରେ ଅପରାଧିକ ମାମଲା ରହିଥିବା ବେଳେ ସେ ପୁଲିସ ଉପରକୁ ବୋମାମାଡ଼ କରି ଗିରଫ ହୋଇଥିଲା। ମାସେ ତଳେ ସେ ଜେଲ୍‌ରୁ ଜାମିନ୍‌ରେ ଆସିଥିଲା। ଏହି ଘଟଣାରେ ଦୁନିଆର ପଡ଼ୋଶୀ ଦୁର୍ଯ୍ୟ ସାମିଲ ଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଘଟଣା ପରେ ସେ ଫେରାର୍‌ ରହିଥିଲା। ତାକୁ ଧରିବା ପରେ ପୂରା ଘଟଣା ସ୍ପଷ୍ଟ ହୋଇଥିଲା। ଘଟଣା ଦିନ ଦୁନିଆ ଗାଁର ଟିଲୁ ସ୍ବାଇଁ ସହିତ ଝଗଡ଼ା କରିଥିଲା। ଟିଲୁ ହେଉଛି ଦୁର୍ଯ୍ୟ, ଭିକୁ ଓ କୋରାର ସହଯୋଗୀ। ସେହିପରି କୋରାର ମଧ୍ୟ ଦୁନିଆ ସହିତ ଶତ୍ରୁତା ରହିଥିଲା। କିଛିବର୍ଷ ପୂର୍ବେ କୋରା ଠାରୁ ଦୁନିଆ ଟଙ୍କା ଲୁଟି ନେଇଥିଲା ବୋଲି ପୁଲିସ କହିଛି। ସେହିଦିନ ଦୁନିଆ ଭିକୁକୁ ମଧ୍ୟ ଆକ୍ରମଣ କରିଥିଲା। ଫଳରେ ସମସ୍ତେ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲେ। ସେପଟେ ସୁରେଶ ଓ ସାଗର ସହିତ ଦୁନିଆର ଶତ୍ରୁତା ଥିଲା। ଏଣୁ ଦୁର୍ଯ୍ୟ, ଭିକୁ ଏବଂ କୋରା ଉଭୟଙ୍କୁ ଯୋଗାଯୋଗ କରିଥିଲେ। ସଂଧ୍ୟାରେ ସେମାନେ ଦୁନିଆକୁ ହତ୍ୟା କରିବା ପାଇଁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ଦୁଇଟି ବାଇକ୍‌ରେ ୫ଜଣ ଦୁନିଆର ଘରକୁ ଯାଇଥିଲେ। ଘରେ ପଶି ଦୁନିଆକୁ କାତିରେ ହାଣିବା ସହିତ ମା’ ଓ ସାନଭାଇକୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ଦୁନିଆର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ପାହାଡ଼ରେ ଲୁଚା ଯାଇଥିବା ଦୁଇଟି କାତି ଜବତ କରିଥିଲା।
Nalco

Leave A Reply