ବ୍ରହ୍ମପୁର, ୨୩୯ : ବ୍ରହ୍ମପୁରୁ ପୋଲିସ ଝାରଖଣ୍ଡରୁ ଜଣେ ସାଇବର ଠକକୁ ଗିରଫ କରିଛି। ଝାଡ଼ଖଣ୍ଡର ଦେବଘର ଜିଲ୍ଲା କରୋନ ଥାନା ନଗାଡୋରି ଗ୍ରାମର ମହମ୍ମଦ
ଅବଜଲ୍ ଅନୁସାରି(୨୬)ଙ୍କୁ ଗିରଫ କରିଛି ପୋଲିସ । ଦେବଘର ବଜାରରେ ବୁଲୁଥିବା ବେଳେ ଅବଜଲ୍କୁ ବ୍ରହ୍ମପୁରରୁ ଯାଇଥିବା ପୋଲିସ ଟିମ୍ ସ୍ଥାନୀୟ ପୋଲିସ ସହାୟତାରେ କାବୁ କରିଦେଇଥିଲା । ପରେ ତାଙ୍କୁ ସ୍ଥାନୀୟ ଜେଏମସି କୋର୍ଟରେ ହାଜର କରି ତିନିଦିନିଆ ରିମାଣ୍ଡରେ ଵ୍ରହ୍ମପୁର ଅଣାଯାଇଥିଲା।। ଶନିବାର ତାଙ୍କୁ ଏସଡ଼ିଜେଏମ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଜେରା ବେଳେ ଅଭିଯୁକ୍ତ ଜଣଙ୍କ ଦେବଘର ସହ ଛତିଶଗଡ଼, ଚେନ୍ନାଇ ଓ ହାଇଦ୍ରାବାଦରେ ଅବଜଲ୍ ନାମରେ ବହୁ ସାଇବର ମାମଲା ରହିଛି। ଅବଜଲ୍ ଯୁକ୍ତଦୁଇ ଶ୍ରେଣୀ ପାଠ ପଢ଼ିଛି। ଅବଜଲ ଏକ ଗ୍ୟାଙ୍ଗ୍ରେ କାମ କରୁଥିବା ବେଳେ ଅନେକ ଯୁବକ ସେହି ଗ୍ୟାଙ୍ଗ୍ରେ ଅଛନ୍ତି । ଏମାନେ ସୋସିଆଲ୍ ମିଡିଆରେ ନିଜର ଫୋନ୍ ନମ୍ବର ଦେଉଥିଲେ । ଯଦି ଗୁଗଲ୍ରେ କେହି ହେଲ୍ପ ଲାଇନ୍ ନମ୍ବର ସର୍ଚ୍ଚ କରୁଥିଲେ, ତାହେଲେ ଏହି ଗ୍ୟାଙ୍ଗ୍ର ଜଣେ ସଦସ୍ୟଙ୍କ ଫୋନ୍ ନମ୍ବର ଆସୁଥିଲା। ସେହି ନମ୍ବରରେ କଲ୍ କଲେ, ପୁଣି ସେମାନେ କଲ୍ ବ୍ୟାକ୍ କରୁଥିଲେ । ଫୋନ୍ରେ କଥା ହେବା ସମୟରେ ବ୍ୟାଙ୍କର ସମସ୍ତ ତଥ୍ୟ ନେଇ ଆକାଉଣ୍ଟରୁ ଟଙ୍କା ଗାଏବ୍ କରିହେଉଥିଲେ । ବ୍ରହ୍ମପୁର ପୁଲିସ ଏଭଳି ଠକକୁ ଧରିବାରେ ଏହା ପ୍ରଥମ । ଦେଶର ବିଭିନ୍ନ ଥାନାରେ ଅବଜଲ୍ ନାମରେ ଅନେକ ମାମଲା ଥିବା କହିଛନ୍ତି ବଡ଼ବଜାର ଥାନା ଆଇଆଇସି ତଥା ସାଇବର ଥାନା ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ ଭୂପତି।
୨୦୨୩ ଅଗଷ୍ଟ ୧୬ ତାରିଖରେ ସାଇବର ଥାନାରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗର ୩ୟ ଲାଇନ୍ର ବାସିନ୍ଦା ଅଜିତ କୁମାର ମିଶ୍ର ଅଭିଯୋଗ କରିଥିଲେ ଯେ, ତାଙ୍କ ବ୍ୟାଙ୍କ୍
ଆକାଉଣ୍ଟରୁ ଜଣେ ଠକ ୯୪ହଜାର ଟଙ୍କା ଗାଏବ୍ କରିଦେଇଛି । ଅଭିଯୋଗକୁ ଆଧାର କରି ୨୧/୨୦୨୩ରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ପ୍ରକାରେ ତାଙ୍କର କ୍ରେଡିଟ୍ କାର୍ଡ ଆସିବାରେ ବିଳମ୍ବ ହୋଇଥିଲା । ସେଥିପାଇଁ ସେ ଗୁଗଲରେ ସଂପୃକ୍ତ କୋରିୟର ସଂସ୍କାର ହେଲ୍ପ ଲାଇନ୍ ସର୍ଚ୍ଚ କରିଥିଲେ । ସେଥିରେ ଉପରୋକ୍ତ ଠକର ନମ୍ବର ଆସିଥିଲା।
ତାଙ୍କୁ ଫୋନ କରିବାରୁ ସେ କିଛି ନିର୍ଦ୍ଦେଶ ଦେଇଥିଲେ । ସେ କହିବା ପ୍ରକାରେ ସମସ୍ତ ତଥ୍ୟ ଦେଲେ ତାଙ୍କ କାର୍ଡ ଆସିଯିବ ବୋଲି କହିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ
ମୋବାଇଲ୍ ଫୋନ୍କୁ ଏକ ଓଟିପି ଆସିଥିଲା। ସେହି ଓଟିପି ଠକକୁ ଦେଇଥିଲେ। ଠକ ଜଣକ ସେହି ଓଟିପି ଜରିଆରେ ୯୪ହଜାର ଟଙ୍କା ଗାଏବ କରିଦେଇଥିଲେ ।
ଏହି କେସ୍ର ତଦନ୍ତ ବେଳେ ପୁଲିସ ସିଡିଆର୍ ବାହାର କରିଥିଲା। ଏହାପରେ ମୋବାଇଲ୍ ଆଇଏମ୍ଆଇ ନମ୍ବର ମଧ୍ୟ ବାହାର କରିଥିଲା। ଅଭିଯୁକ୍ତଙ୍କ ପ୍ରକୃତ
ଲୋକେସନ୍ ଜାଣିବା ପରେ ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ଙ୍କୁ ଜଣାଇଥିଲା ପୁଲିସ ଟିମ୍। ଏସ୍ପିଙ୍କ ନିର୍ଦ୍ଦେଶ ପ୍ରକାରେ ଆଇଆଇସି ପ୍ରଶାନ୍ତ ଭୂପତିଙ୍କ ତତ୍ତ୍ୱାବଧାନରେ ଚାରିଜଣିଆ ଟିମ୍ ଝାରଖଣ୍ଡ ଦେଓଘର ଯାଇଥିଲେ । ଗତ ୧୯ତାରିଖରେ ଏମ୍ଡି ଅବଜଲ୍ ଅନୁସାରକୁ ଗିରଫ କରିବା ପରେ ୨୦ରେ ଦେଓଗଡ଼ ସିଜିଏମ୍ଙ୍କ ନିକଟରେ ହାଜର କରାଯାଇଥିଲା । ତିନିଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡ ମଞ୍ଜୁର କରିଥିଲେ କୋର୍ଟ। ଆଜି ଅଭିଯୁକ୍ତକୁ ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ ନିକଟରେ ହାଜର କରାଯାଇଥିଲା। କୋର୍ଟ ଜାମିନ୍ ନାମଞ୍ଜୁର କରିବା ପରେ ଅଭିଯୁକ୍ତକୁ ଜେଲ୍ ହାଜତକୁ ପଠାଇଦିଆଯାଇଛି।