ଵ୍ରହ୍ମପୁର, ୮/୯- ସହରରରେ ଏବେ ବାଇକ ଲୁଟିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୋଲିସ ସେମାନଙ୍କୁ ଧରିପାରିନାହିଁ। ଲୋକମାମଙ୍କ ବାଇକ ଚୋରି କରି ଲୁଟିଆ ଗ୍ୟାଙ୍ଗ ଗଞ୍ଜେଇ ଓ ମଦ ଚାଲାଣ କାରବାରରେ ଲଗାଉଥିବା ନଜିର ରହିଛି। କିଛିଦିନ ତଳେ ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ପୃଥକ ଭାବେ ୬ଟି ବାଇକ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ପୋଲିସ ଏଯାବତ ଲୁଟିଆ ଗ୍ୟାଙ୍ଗକୁ ଠାବ କରିପାରିନଥିବା ବେଳେ ଏବେ ପୁଣିଥରେ ଉକ୍ତ ଥାନା ଅଞ୍ଚଳରୁ ତିନୋଟି ଓ ଗୋଶାଣିନୁଆଗାଁ ଥାନା ଇଲାକରୁ ଗୋଟିଏ ବାଇକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାଇ ବୁଗୁଡା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ମୂଳ ନିବାସୀ ପ୍ରଭାତ କୁମାର ଭୋଳ ଵ୍ରହ୍ମପୁର ଅରବିନ୍ଦନଗରରେ ଘର ଭଡ଼ା ନେଇ ରହୁଛନ୍ତି। ୨୦୧୭ ମସିହାରେ ତାଙ୍କ ଟିଭିଏସ ଅପାଚି ଆରଟିଆର -୧୬୦ ବାଇକ ନମ୍ବର (ଓଡ଼ି ୩୨ବି- ୧୬୮୯ ) ଗାଢିଟି ଘର ସମ୍ମୁଖରୁ ଚୋରି ହୋଇଥିଲା। ସେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କ ବାଇକ ମିଳିନଥିଲା। ତେବେ ଗତ ଅଗଷ୍ଟ ୧୭ତାରିଖରେ ଭୁବନେଶ୍ୱର ଧଉଳି ଥାନରେ ତାଙ୍କ ବାଇକଟି ଥିବା ସେ ଖବର ପାଇଥିଲେ। ସେ ଏନେଇ ଗତ ୫ତାରିଖରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏସଂକ୍ରାନ୍ତରେ ୪୩୬/୨୩ ରେ ଏକ ମାମଲା ରୁଜୁ କରିଛି। ସେହିପରି ଆମ୍ବପୁଆ ମାରୁତିନଗର ରେ ରହୁଥିବା କେ.କ୍ରିଷ୍ଣା ରାଓ ଗତ ୩ ତାରିଖରେ କମାପଲି ଭେଣ୍ଡିଂଯୋନକୁ ପରିବା କିଣିବା ପାଇଁ ଆସିଥିଲେ। ସେଠାରେ ସେ ତାଙ୍କର ହିରୋ ବାଇକ ନମ୍ବର(ଓଡ଼ି ୦୭କେ- ୭୦୬୮)ପାର୍କିଂ କରିଥିଲେ। ପରିବା କିଣିବା ପରେ ସେ ଗାଡ଼ି ନିକଟକୁ ଆସି ଦେଖିବା ବେଳେ ତାଙ୍କ ଗାଢିଟି ସେଠାରୁ କେହି ଚୋରି କରି ନେଇଯାଇଥିବା ଦେଖିବାକୁ ପାଇଥିଲେ। ପରେ ସେ ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ୪୩୭/୨୩ ରେ ଏକ ମାମଲା ରୁଜୁ କରିଛି। ସେହିପରି ସୋରଢା ନିକଟ ସରାବାଢ଼ି ଗ୍ରାମର ମୂଳ ନିବାସୀ ସିଦ୍ଧାର୍ଥ ବିଷୋୟୀ ଵ୍ରହ୍ମପୁର ଭାବାନଗର ତୃତୀୟ ଲାଇନରେ ଏକ ଘର ଭଡ ନେଇ ରୁହନ୍ତି। ସେ ଏକ ହୋଟେଲରେ କାମ କରନ୍ତି। ତାଙ୍କ ଘର ସମ୍ମୁଖରୁ ୟାମାହା ବାଇକ ନମ୍ବର (ଓଡ଼ି୦୭ ଜେଡ – ୬୮୦୪)ଗାଢ଼ିଟି ଗତ ୪ତାରିଖରେ ଚୋରି ହୋଇଯାଇଥିଲା। ସେ ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏସଂକ୍ରାନ୍ତରେ ୪୩୮/୨୩ ରେ ଏକ ମାମଲା ରୁଜୁ କରିଛି। ସେହିପରି ଗୋଶାଣିନୁଆଗାଁ ଫୁଲଟା ଗ୍ରାମର ଅଜିତ କୁମାର ପ୍ରଧାନ ତାଙ୍କ ବାଇକ ନମ୍ବର (ଓଡ଼ି ୧୦ ଜେ- ୨୫୦୫) ଗତ ୪ତାରିଖ ରାତ୍ର ଘର ସମ୍ମୁଖରେ ପାର୍କିଂ କରିଥିଲେ। ସକାଳୁ ଉଠି ଦେଖିବା ବେଳେ ତାଙ୍କ ଗାଢ଼ିଟି ସେଠାରୁ ଗାୟବ ହୋଇଯାଇଥିଲା। ବିଭିନ୍ନ ସ୍ଥାନର ଖୋଜାଖୋଜି କରିବା ପରେ ମଧ୍ୟ ଗାଢ଼ିତ ମିଳିନଥିଲା । ଶେଷରେ ସେ ଗୋଶାଣିନୁଆଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ଏସଂକ୍ରାନ୍ତରେ ୨୫୯/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ସହରରେ ଦିନକୁ ଦିନ ଗାଢ଼ି ଚୋରି ବୃଦ୍ଧି ପାଉଛି। ଏଣୁ ପୋଲିସ ଉଚ୍ଚ କତ୍ତୃପକ୍ଷ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବାଇକ ଲୁଟିଆଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହେଉଛି।