ଭୁବନେଶ୍ବର (୨୪.୦୪.୨୦୨୫): ଓଡିଶା ସଚିବାଳୟ ସେବା ସଂଘ ପକ୍ଷରୁ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ କାଶ୍ମୀରର ପହଲଗାମଠାରେ ଉଗ୍ରପନ୍ଥୀମାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦୋଷ ନାଗରିକଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ କରାଯାଇଥିଲା।
ଲୋକ ସେବା ଭବନ ପରିସରରେ ଅନୁଷ୍ଠିତ ଏହି ଶୋକ ସଭାରେ ସଂଘର ଶତାଧିକ ସଦସ୍ୟ, ବରିଷ୍ଠ ଅଧିକାରୀ, ଓ ରାଜ୍ୟ ସରକାରର କର୍ମଚାରୀଗଣ ଉପସ୍ଥିତ ରହିଥିଲେ।
ଶୋକ ସଭାରେ ଶହୀଦ ନିରୀହ ନାଗରିକଙ୍କ ପାଇଁ ଦୁଃଖ ପ୍ରକାଶ କରାଯିବା ସହ ସେମାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ଓ ସାନ୍ତ୍ୱନା ଜଣାଯାଇଥିଲା। ସଭାର ଆରମ୍ଭରେ ଏକ ମିନିଟ୍ ନିରବତା ପାଳନ କରାଯାଇ ମହାନ ଆତ୍ମାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପିତ କରାଯାଇଥିଲା।
ଓଡିଶା ସଚିବାଳୟ ସେବା ସଂଘ ପକ୍ଷରୁ ଏହି ଆତଙ୍କବାଦୀ ଆକ୍ରମଣର ତିବ୍ର ନିନ୍ଦା କରାଯାଇଥିଲା । ଏହି ପ୍ରକାର ନୃଶଂସ ଓ ଅମାନବିକ କାର୍ଯ୍ୟ ବିରୋଧରେ ସଂଘ ଅବିଚଳ ଭାବେ ଏକତା ବ୍ୟକ୍ତ କରିବା ସହ ଦେଶରୁ ଆତଙ୍କବାଦକୁ ସମୂଳେ ଧ୍ବଂସ କରିବା ପାଇଁ ସରକାର ଦୃଢ ପଦକ୍ଷେପ ନେବେ ବୋଲି ଆଶା ବ୍ୟକ୍ତ କରାଯାଇଥିଲା ।