ଉତ୍କଳ ବିପନ୍ନ ସହାୟତା ସମିତିର ବାର୍ଷିକୋତ୍ସବ ଏବଂ ଉତ୍କଳମଣି ସେବା ସମ୍ମାନ ସମାରୋହ –୨୦୨୫, ଉତ୍କଳ ମଣ୍ଡପ ଠାରେ ତା.୧୬.୦୪.୨୦୨୫ ରିଖ ଅପରାହ୍ନ ୬.୩୦ ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଓ ଶ୍ରୀ ବିଜୟ କୁମାର ପୁରାନିକ୍, ଯୁଗ୍ମ ସାଧାରଣ ସମ୍ପାଦକ, ରାଷ୍ଟ୍ରୀୟ ସେବା ଭାରତୀ, ନୂଆଦିଲ୍ଲୀ, ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ଵଳନ କରି ସଭା କାର୍ଯ୍ୟର ଶୁଭ ଉଦ୍ଘାଟନ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ଅଚ୍ୟୁତା ନନ୍ଦ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସମିତି ଦ୍ୱାରା ଚାଲୁଥିବା ସେବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ମହା ବାତ୍ୟା ସମୟରେ ସମିତିର ସେବା ଓ ଦାହ ସଂସ୍କାର, ହୁଡହୁଡା଼, ଭୁଜର ଭୂମିକମ୍ପ, ତିତିଲି, ଫନି ତଥା ଉତରାଖଣ୍ଡର ପ୍ରଳୟଙ୍କାରୀ ବନ୍ୟା ସମୟରେ ତଥା ସେବା ସମ୍ବନ୍ଧୀତ ତଥ୍ୟ ବେଦ ଓ ଉପନିଷଦରୁ ଉଦାହରଣମାନ ଦେଇଥିଲେ। ଏହି ଅବସରରେ ସ୍ମରଣିକା ‘ସେବା ତର୍ପଣ’ ଉନ୍ମୋଚିତ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପୁରାନିକ୍ଙ୍କ ବକ୍ତବ୍ୟରେ ସେବାର ମହତ୍ଵ ଓ ଗୁରୁତ୍ବ ବିଭିନ୍ନ ଉଦାହରଣ ମାନ ଦେଇ କହିଥିଲେ ।
ଉକ୍ତ ଉତ୍ସବରେ ସମାଜସେବା କ୍ଷେତ୍ରରେ ନିଜର ଜୀବନକୁ ସମର୍ପଣ କରିଥିବା ମଦ ବିରୋଧୀ ଆନ୍ଦୋଳନର ସମ୍ପାଦକ ଡ଼. ବିଜୟ କୁମାର ସ୍ୱାଇଁ ଏବଂ ଶ୍ରୀଯୁକ୍ତ ଅଭିମନ୍ୟୁ ଦାସ, ଶ୍ରୀଯୁକ୍ତ ଗଗନ ବିହାରୀ ପାଇଟାଲ, ଶ୍ରୀଯୁକ୍ତ ଲଳିତ ରାୟ ଓ ଶ୍ରୀ ମାନସ ରଞ୍ଜନ ପଣ୍ଡା ଆଦି ସମାଜସେବୀଙ୍କୁ ୭ମ ଉତ୍କଳମଣି ସେବା ସମ୍ମାନରେ ସମ୍ମାନୀତ କରାଯିବା ସହ ନାରୀକେଳ ଓ ଉପଢୌକନମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶ୍ରୀ ପୁରାଣିକ୍ଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ସମାଜସେବୀଙ୍କୁ ୧୧ ହଜାର ୧ ଶହ ୧ ଟଙ୍କା ଲେଖାଏଁ ରାଶି ପ୍ରଦାନ କରାଯାଇଥିଲା। ପ୍ରକ୍ତନ ସଭାପତି ଶ୍ରୀଯୁକ୍ତ ଅଭୟ କୁମାର ସାମନ୍ତରାୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସମିତିର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ବିଟ୍ ସଭାପତିତ୍ୱ କରି ସେବା ପାଇଁ ଜନ ସାଧାରଣଙ୍କର ସହଯୋଗ କାମନା କରିଥିଲେ। ଶେଷରେ ଶ୍ରୀଯୁକ୍ତ ହିମାଂଶୁ ଶେଖର ନାୟକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା।