ଖରିଫ ଋତୁ ପାଇଁ କୃଷି ବିଭାଗର ବୈଠକ : ଖରିଫ ୨୦୨୫ ପାଇଁ ବିଭିନ୍ନ ବିହନର ଆବଶ୍ୟକତା ଯୋଗାଣ ଏବଂ ଉପଲବ୍ଧତା ଉପରେ ଆଲୋଚନା
ଭୁବନେଶ୍ୱର(Suvendra Pattanaik) : ଆଜି ମଧ୍ୟାନ୍ନରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଚାଷୀଭାଇମାନଙ୍କୁ ବିହନ ଯୋଗାଣ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହେଇଥିଲା । ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓଡିଶାର ଚାଷୀ ଭାଇମାନଙ୍କ ନିମନ୍ତେ ଖରିଫ ୨୦୨୫ ପାଇଁ ବିଭିନ୍ନ ବିହନ ଯୋଗାଣ, ଆବଶ୍ୟକତା ଓ ଉପଲବ୍ଧି ଉପରେ ବିସ୍ତୃତ ଅଲୋଚନା କରାଯାଇଥିଲା । ବୈଠକରେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ କହିଲେ ଯେ ସମସ୍ତ ଚାଷୀଙ୍କୁ ସୁଲଭ ମୂଲ୍ୟରେ ବିହନ ଯୋଗାଇ ଦିଆଯିବ । ଖରିଫ ଋତୁ ପାଇଁ ବିହନଗୁଡିକ ଉପଯୁକ୍ତ ସମୟରେ ଚାଷୀଭାଇଙ୍କ ନିକଟରେ ଯୋଗାଣ ଉପଲବ୍ଧ ହେବା ଆବଶ୍ୟକ । ବିଭାଗ ଦ୍ୱାରା କୃଷକଙ୍କ ପସନ୍ଦ ଅନୁଯାୟୀ ବିହନ ଯୋଗାଣ ତ୍ୱାରାନିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଆରୋପ କରିବା ସହିତ ବିଭିନ୍ନ କିସମ ବିହନର ଗୁଣବତ୍ତା ନିଶ୍ଚିତ କରିବାକୁ ନିୟମିତ ନମୁନା ସଂଗ୍ରହ ଏବଂ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ବିଶେଷ କରି ଖରିଫ ରୁତୁରେ ପନିପରିବା ମଞ୍ଜି କ୍ରୟ ଓ ଯୋଗାଣ ଉପରେ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । ବିହନ ବିକ୍ରୟ ପାଇଁ ସବସିଡି ରାଜ୍ୟ ସରକାର ପ୍ରଦାନ କରୁଛନ୍ତି । ୨ ହେକଫରରୁ ଅଧିକ ଏବଂ ୩ ହେକଫର ଚାଷଜମି ପର୍ଯ୍ୟନ୍ତ ବିହନ ବିକ୍ରୟ ପାଇଁ ରାଜ୍ୟ ସରକାର ସବସିଡି ପ୍ରଦାନ କରିବେ ।
କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କହିଲେ ଯେ କୃଷକଙ୍କୁ ଗୁଣାତ୍ମକ ବିହନ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସବସିଡି ଚାଷୀଙ୍କୁ ଡିବିଟି ମୋଡରେ ପ୍ରଦାନ କରାଯିବ । ଖରିଫ ଋତୁ ୨୦୨୫ ପାଇଁ ବିହନ ଯୋଗାଣ ଓ ଆବଶ୍ୟକତା କ୍ଷେତ୍ରରେ ଆମେ ବଳକା ଅଛୁ ବୋଲି ଡ. ପାଢ଼ୀ କହିଥିଲେ । ବୈଠକରେ ଖରିଫ ୨୦୨୫ ସମୟରେ ବିଭିନ୍ନ ବିହନଗୁଡିକର ଆବଶ୍ୟକତା ଏବଂ ଉପଲବ୍ଧତା ଉପରେ ପିପିଟି ମାଧ୍ୟମରେ ବିସ୍ତୃତ ତଥ୍ୟ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରା ଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ନିର୍ଦ୍ଦେଶକ ଶୁଭମ ସାକସେନା, ଉଦ୍ୟାନ କୃଷି ବିଭାଗ ନିର୍ଦେଶକ ନିଖିଲ ପବନ କଲ୍ୟାଣ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।