Odisha news

ନୂଆଦିଲ୍ଲୀରେ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମ : ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ

0

ଭୁବନେଶ୍ୱର (Suvendra Pattanaik)  :- ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର ଉତ୍ସର୍ଗିକୃତ ସେବା ମନୋଭାବ ଏବଂ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।

ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ଡ଼ ପ୍ରମିଳା ବରାଳ ଏବଂ ଯୁଗ୍ମ-ନିର୍ଦ୍ଦେଶକ-ତଥା-ଏସଏସଓ ଆଇଡିଏସପି ଡ଼ ଅଶୋକ କୁମାର ପାଇକରାୟ ଦିଲ୍ଲୀଠାରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ବିପର୍ଯ୍ୟୟ, ବନ୍ୟା, ବାତ୍ୟା ସମୟରେ ରାଜ୍ୟ ନିରୀକ୍ଷଣ ୟୁନିଟ ୨୪ ଘଣ୍ଟିଆ କାର୍ଯ୍ୟକରି ବିଭିନ୍ନ ରୋଗକୁ ଠିକ୍ ସମୟରେ ଚିହ୍ନଟ କରିବା ସହ ସେଗୁଡିକର ମୁକାବିଲା ସୁନିଶ୍ଚିତ କରିଥାଏ । କଣ୍ଟ୍ରୋଲ ରୁମ୍ ଗୁଡିକ ରୋଗର ଧାରା ଉପରେ ତୀକ୍ଷ୍ଣ ନଜର ରଖିବା ସହ ପ୍ରାପ୍ତ ତଥ୍ୟର ବିଶ୍ଳେଷଣ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି । ଏହି ସକ୍ରିୟ ଆଭିମୁଖ୍ୟ ଜନସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ସହିତ ଅନେକ ମହାମାରୀର ପ୍ରାରମ୍ଭିକ ଚିହ୍ନଟ ଏବଂ ନିୟନ୍ତ୍ରଣ କରିବାରେ ରାଜ୍ୟ ନିରୀକ୍ଷଣ ୟୁନିଟ ସକ୍ଷମ ହୋଇପାରିଛି ।

ରାଜ୍ୟ ନିରୀକ୍ଷଣ ୟୁନିଟ ଦ୍ୱାରା ଯଥା ସମୟରେ ରୋଗ ନିରୀକ୍ଷଣ ପାଇଁ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ (ଆଇଏଚ୍ଆଇପି)ର ସଫଳ ରୂପାୟନ କରାଯାଇ ନିୟମିତ ତଦାରଖ କରାଯାଉଛି ।
ଭେକ୍ଟରବାହିତ, ଖାଦ୍ୟବାହିତ, ଜଳବାହିତ, ଜୁନୋଟିକ୍ସରୁ ଉତ୍ପନ୍ନ ରୋଗ ଓ ଅନ୍ୟାନ୍ୟ ରୋଗର ପ୍ରାଦୁର୍ଭାବକୁ ଠିକ୍ ସମୟରେ ଚିହ୍ନଟ ଏବଂ ଏଗୁଡିକର ସଠିକ ଅନୁସନ୍ଧାନ ପାଇଁ ସମୟୋପଯୋଗୀ ଡାଟା ଏଣ୍ଟ୍ରି ଏବଂ ତାହାର ବିଶ୍ଳେଷଣ କରାଯାଉଛି । ଏହା ସହିତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ସମୁଚିତ ସମନ୍ୱୟ ମାଧ୍ୟମରେ ସଂକ୍ରମଣର ଦ୍ରୁତ ମୁକାବିଲା କରାଯାଉଛି ।

ସଂକ୍ରମଣ ପ୍ରବଣ ରୋଗ ନିର୍ଣ୍ଣୟ ପାଇଁ ରାଜ୍ୟରେ ୩୨ଟି ଜିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାରର ପ୍ରତିଷ୍ଠା ବା ସୁଦୃଢ଼ୀକରଣ କରାଯାଇଛି । ଜିଲ୍ଲାମାନଙ୍କରେ ୩୦ଟି ଆରଟିପିସିଆର ପରୀକ୍ଷାଗାର ମଧ୍ୟ କାର୍ଯ୍ୟକ୍ଷମ ହୋଇଛି । ନିୟମିତ ପ୍ରଶିକ୍ଷଣ ମାଧ୍ୟମରେ ପରୀକ୍ଷାଗାର କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି କରାଯାଉଛି । ପ୍ରତ୍ୟେକ ମଙ୍ଗଳବାର ଏବଂ ଗୁରୁବାର ଦିନ ପରୀକ୍ଷାଗାର ତଥ୍ୟର ସମୀକ୍ଷା ଏବଂ ବିଶ୍ଳେଷଣ କରାଯାଉଛି । ରୋଗ ନିରୀକ୍ଷଣ ଓ ନିୟନ୍ତ୍ରଣ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ବୈଷୟିକ ମାର୍ଗଦର୍ଶନ ପ୍ରଦାନ କରାଯାଉଛି । ଜିଲ୍ଲା ନିରୀକ୍ଷଣ ୟୁନିଟ୍ ଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି କରାଯାଉଛି । ତାସହ ରାଜ୍ୟ ନିରୀକ୍ଷଣ ୟୁନିଟ ପକ୍ଷରୁ ରୋଗ ନିରୀକ୍ଷଣ ଏବଂ ନିୟନ୍ତ୍ରଣ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ପ୍ରଦାନ କରାଯାଇଛି ।

ଜନସ୍ୱାସ୍ଥ୍ୟର ଗୁରୁତ୍ୱକୁ ଉପଲବ୍ଧିକରାଯାଇ ବିଭିନ୍ନ ରୋଗର ଉପଯୁକ୍ତ ତଦାରଖ ପାଇଁ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ, କୃଷି ଏବଂ କୃଷକ ସଶକ୍ତିକରଣ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଜଳ ସମ୍ପଦ, ବିଦ୍ୟାଳୟ ଏବଂ ଗଣ ଶିକ୍ଷା ଏବଂ ଅନ୍ୟାନ୍ୟ ବିଭାଗ ସହିତ ରାଜ୍ୟ ନିରୀକ୍ଷଣ ୟୁନିଟ ସମନ୍ୱୟ ରକ୍ଷା କରିଆସୁଛି ।

Leave A Reply