ବାରିପଦା : ଏବେ ସାରାବିଶ୍ୱରେ କରୋନା ମହାମାରୀ ନିଜର କାୟାବିସ୍ତାର କରିଥିବାବେଳେ ତାକୁ ମୁକାବିଲା ପାଇଁ ଡାକ୍ତର, ପୋଲିସ ଓ ସରକାରୀ କର୍ମଚାରୀ ଆଗଧାଢିର ଯୋଦ୍ଧା ଭାବେ ଯୁଦ୍ଧ ଲଢୁଥିବାବେଳେ ଅନ୍ୟଜଣେ ପ୍ରମୁଖ୍ୟ ଯୋଦ୍ଧା ହେଲେ ଆମ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ସାମ୍ବାଦିକ । ସେମାନେ ନିଜ ଜୀବନକୁ ବାଜି ଲଗେଇ ଖରା, ବର୍ଷା, ଶୀତ, କାକର, ବନ୍ୟା ବାତ୍ୟାକୁ ଖାତିର ନକରି ଆମ ପାଇଁ ଖବର ପ୍ରସାରଣ କରିଥାନ୍ତି । ଏହି କରୋନା ମହାମାରୀର ଲକ୍ଡାଉନ୍ ସମୟରେ ସମସ୍ତ ସାମ୍ବାଦିକମାନେ ଲୋକଙ୍କ ପାଖରେ କରୋନା ମହାମାରୀ ସମ୍ପର୍କରେ ଖବର ପ୍ରସାରଣ ଜାରିରଖିଛନ୍ତି ।
କିନ୍ତୁ ତାଙ୍କୁ ସର୍ବଦା ଅଣଦେଖା କରାଯାଉଥିବା ନେଇ ଆଜି ସାମ୍ବାଦିକମାନଙ୍କର ଉସôାହ ବଢାଇବା ପାଇଁ ଜାଗ ମୟୂରଭଞ୍ଜ ଜାଗ ପକ୍ଷରୁ ସାନିଟାଇନର, ମାସ୍କ ଏବଂ ସାବୁନ୍ କିଟ୍ ଆଦି ପ୍ରଦାନ କରାଯାଇଛି । ଓଡିଶା କୃଷିନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ସହଯୋଗରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ସମସ୍ତ ସାମ୍ବାଦିକମାନଙ୍କୁ କରୋନା ସେଫ୍ଟି କିଟ୍ ପ୍ରଦାନ କରାଯାଇଛି । ଆସନ୍ତା କାଲିଠାରୁ ସମସ୍ତ ବ୍ଲକସ୍ତରୀୟ ସାମ୍ବାଦିକ ମାନଙ୍କୁ ଏହି କିଟ୍ ପ୍ରଦାନ କରାଯିବ ବୋଲି ଜାଗ ମୟୂରଭଞ୍ଜ ଜାଗର ସଭାପତି ସୋନାଲି ପ୍ରିୟଦର୍ଶନୀ ବେହେରା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ମାର୍ଗଦର୍ଶକ ତଥା ଦିବ୍ୟାଙ୍ଗ ସଂଘର ସଭାପତି ଅରୁଣ କୁମାର ବେହେରା, ଡଃ ଶଶିଧର ବିଶ୍ୱାଳ, ଅଞ୍ଜଳୀ ବେହେରା ଓ ବିଦ୍ୟା ଆଇଣ୍ଟଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।