ବାରିପଦା : ବାରିପଦା କଲେଜ ପଡିଆରେ ସିକ୍ରେଟ-୧୧ ଆନୁକୂଲ୍ୟରେ ଆୟୋଜିତ ମୟୂରଭଞ୍ଜ ଭେଟେରାନ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଦୀପ କୁମାର ରଥ, ସମ୍ପାଦକ ବିପ୍ଳବ ବାରିକ, ସମାଜସ୍ୱେୀ ରାକେଶ ସିଂ, ମୁଖ୍ୟ ଆୟୋଜକ ସଂଜୀବ ଦ୍ୱିବେଦୀ, ଆଇନଜୀବୀ ଜ୍ୟୋତି ପ୍ରକାଶ ରଥ ଓ ସନ୍ତୋଷ ଓତା ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ପ୍ରଥମ ମ୍ୟାଚରେ ଏଟାକ-୧୧ ଏଆର ଫାଇଟରକୁ ୯ ଉଇକେଟରେ ପରାସ୍ତ କରିଥିଲା ଓ ପ୍ରଥମେ ବ୍ୟାଟିଂ କରି ଏଆର ଫାଇଟର ୧୦ ଓଭରରେ ୮ ଉଇକେଟ ହରାଇ ୪୯ ରନ କରିଥିଲେ । ଦଳ ପକ୍ଷରୁ ଲମ୍ବୋଦର ମହାନ୍ତ ସର୍ବାଧିକ ୧୩ ରନ କରିଥିବା ବେଳେ ବିପକ୍ଷ ଦଳର ବିଜୟ ମହାନ୍ତି ୫ଟି ଓ ଭରତ କୁମାର ସ୍ୱାଇଁ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଉତ୍ତରରେ ଏଟାକ-୧୧, ୫.୪ ଓଭରରେ ଗୋଟିଏ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ଦଳ ପକ୍ଷରୁ ଭରତ କୁମାର ସ୍ୱାଇଁ ସର୍ବାଧିକ ୧୬ରନ କରିଥିବା ବେଳେ ବିପକ୍ଷ ଦଳର ଚନ୍ଦ୍ର ଶେଖର ଏକ ମାତ୍ର ଉଇକେଟ ଅକ୍ତିଆର କରିଥିଲେ । ଦ୍ୱିତୀୟ ମ୍ୟାଚରେ ସିକ୍ରେଟ-୧୧ ଭିଣ୍ଟେଜ ୧୧ କୁ ୨୧ ରନରେ ପରାସ୍ତ କରିଥିଲା ଓ ପ୍ରଥମେ ବ୍ୟାଟିଂ କରି ସିକ୍ରେଟ ୧୦ ଓଭରରେ ୫ ଉଇକେଟ ହରାଇ ୮୮ରନ କରିଥିଲେ । ଅବିନାଶ ପାତ୍ର ୩୮ ଓ ଆଲୋକ କୁମାର ପରିଡା ୧୮ ରନ କରିଥିବା ବେଳେ ବିପକ୍ଷ ଦଳର ଜୟ ପ୍ରକାଶ ସାହା ୩ ଟି ଉଇକେଟ ଅକ୍ତିଆର କରିଥିଲେ । ଉତ୍ତରରେ ଭିଣ୍ଟେଜ ୧୦ ଓଭରରେ ୬ ଉଇକେଟ ହରାଇ ୬୮ ରନ କରିପାରିଥିଲେ । ଦଳ ପକ୍ଷରୁ ତାପସ ନାୟକ ୧୬ରନ ଓ ଆୟୁଷ୍ମାନ ସେଠି ୧୪ରନ କରିଥିବାବେଳେ ବିପକ୍ଷ ଦଳର ଆଶିଷ ବସା ଓ ପଙ୍କଜ କୁମାର ସାହୁ ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଶେଖ ଲାଇକୁଦ୍ଦିନ, ଅଶୋକ ପାଲ ଓ ଅବିନାଶ ରଥ ଖେଳ ପରିଚାଳନା କରିଥିବାବେଳେ ଆନିଷ ମିଶ୍ର, ସମ୍ବିତ ସାହା ଓ ନାପିସଲ ହୁସେନ ସ୍କୋରିଙ୍ଗରେ ସହାୟତା କରିଥିଲେ । ଦୀପକ ଦାସ ଓ ଗୌତମ ଦାସ ଧାରା ବିବରଣୀ ଦେଇଥିଲେ ।