Odisha news

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଓ ୨ କାଠ ମାଫିଆ ଗିରଫ

0

ବାରିପଦା  : ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ସମୟରେ କାଠ ମାଫିଆ ଓ ଶିକାରୀଙ୍କ ପାଦୃଭାବ ବଢୁଥିବାବେଳେ ବନ ବିଭାଗକୁ ମିଳିଛି ବଡ ସଫଳତା । ବନ ବିଭାଗର ପେଟ୍ରୋଲିଂ ବେଳେ ୪ଜଣ ଶିକାରୀ ଏବଂ ୨କାଠ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ସେମାନଙ୍କଠାରୁ ବନ୍ଧୁକ ଓ ଶିକାର ନିମନ୍ତେ ବ୍ୟବହୃତ ମାରଣାସ୍ତ୍ର ସରଞ୍ଜାମ ଜବତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଶିମିଳିପାଳ ସତନ୍ତ୍ର ବ୍ୟାଘ୍ର ସୁରକ୍ଷା ଫୋର୍ସ (ଏସଟିପିଏଫ)କୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାର କରିବା ଉଦେ୍ଦଶ୍ୟରେ ଶିକାରୀ ପ୍ରବେଶ କରିଥିବାର ନେଇ ଖବର ମିଳିଥିଲା । ଏନେଇ ଫୋର୍ସ ପେଟ୍ରୋଲିଂ କରି ଦକ୍ଷିଣ ଡିଭିଜନ ଅନ୍ତର୍ଗତ ଜେନାବିଲ ରେଞ୍ଜ ଅଞ୍ଚଳରେ ୪ଜଣ ଶିକାରୀଙ୍କୁ ଦେଖିଥିଲେ । ତେବେ ଫୋର୍ସକୁ ଦେଖି ଦୁଇଜଣ ବନ୍ଧୁକଧାରୀ ଶିକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୁଇଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଉଦଳା ଥାନା ଅନ୍ତର୍ଗତ କାଦମଡା ଗ୍ରାମର ଜଗବନ୍ଧୁ ସିଂ(୬୦) ଏବଂ ଅଙ୍ଗାରପଦା ଗ୍ରାମର ବାବୁ ମୁର୍ମୁ(୨୫) । ତାଙ୍କ ନିକଟରୁ ୪୦ଗ୍ରାମ ବାରୁଦ, ଗୋଟେ ୧୪୧ସେମିର ବନ୍ଧୁକର ଲୁହା ଗଜ, ଗୋଟିଏ କଟୁରି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏନେଇ ଜେନାବିଲ ରେଞ୍ଜରେ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଦକ୍ଷିଣ ଡିଭିଜନ ଉପ ନିଦେ୍ର୍ଦଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି । ସେହିପରି ଯୁଗ୍ମ ଟାସ୍କଫୋର୍ସ ଦ୍ୱାରା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଆଉ ଦୁଇଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତାଙ୍କ ନିକଟରୁ ବନ୍ଧୁକ ଓ ମାରଣାସ୍ତ୍ର ସରଞ୍ଜାମ ଜବତ ହୋଇଛି ।

ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାରକୁ ରୋକିବା ପାଇଁ ଯୁଗ୍ମ ଟାସ୍କଫୋର୍ସ ଫୋର୍ସ ଟିମ ନିୟୋଜିତ ଅଛନ୍ତି । ଶିକାରୀ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବାର ନେଇ ଖବର ମିଳିଥିଲା । ଏନେଇ ଫୋର୍ସ ଡୁକୁରା ରେଞ୍ଜ ଅଞ୍ଚଳର ଘଟଣାସ୍ଥଳରେ ପହଁଞ୍ଚିଥିଲେ । ତେବେ ସେଠାରେ ଫୋର୍ସକୁ ଦେଖି ସାତ ଜଣ ଶିକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ବଡ଼ଖମଣ ଗ୍ରାମ ପଞ୍ଚାୟତର ମାଣିକପୁର ଗ୍ରାମର ସୁରେଶ ଟୁଡୁ(୫୦) ଓ ବାଜୁନ କିସ୍କୁ (୪୦) । ତାଙ୍କ ନିକଟରୁ ଗୋଟେ ଦେଶୀ ବନ୍ଧୁକ ସମେତ ୫୦ଗ୍ରାମ ଗ୍ରାମ ବାରୁଦ, ଗୋଟେ ବନ୍ଧୁକର ଲୁହା ଗଜ, ଗୋଟେ କଟୁରି, ୭୦ଗୋଟି ଆଇରନ ବଲ, ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଘଟଣା ନେଇ ପଚରା ଉଚରା କରିବା ପରେ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଛାନଭିନ କରି ଲୁଚାଇ ରଖିଥିବା ଅନ୍ୟ ଦୁଇ ଗୋଟି ଦେଶୀ ବନ୍ଧୁକ ସମେତ ଦୁଇଟି ଲୁହା ଗଜ ମଧ୍ୟ ଜବତ କରାଯାଇଛି । ଏନେଇ ଡୁକୁରା ରେଞ୍ଜରେ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କ୍ଷେତ୍ର ନିଦେ୍ର୍ଦଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ସେହିପରି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଦୁଇ ଜଣ କାଠ ମାଫିଆଙ୍କୁ ମଧ୍ୟ ବନ ବିଭାଗ ଗିରଫ କରିଛି । ସେମାନଙ୍କ ନିକଟରୁ କାଠ ଓ ସରଞ୍ଜାମ ଜବତ ହୋଇଛି । ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବନ କର୍ମଚାରୀ ପେଟ୍ରୋଲିଂ ସମୟରେ ଦକ୍ଷିଣ ଡିଭିଜନ ଅନ୍ତର୍ଗତ ପିଠାବଟା ଉତ୍ତର ରେଞ୍ଜର ଚମ୍ପାଗଡ଼ ବିଟ ଅଞ୍ଚଳରେ ଗଛ କାଟୁଥିବାର ଦେଖିବାକୁ ମିଳିଥିଲା । ବିକ୍ରୟ ଉଦେ୍ଦଶ୍ୟରେ ଗଛ କାଟି କାଠ ପଟ୍ଟା ପ୍ରସ୍ତୁତ କରୁଥିଲେ । ଗିରଫ ଦୁଇ ଜଣ ଘର ଲୁଲୁଙ୍ଗ ନିକଟସ୍ଥ ଯୋଗେନ୍ଦ୍ରଦାସପୁର ଗ୍ରାମରେ ଅଟେ । ତାଙ୍କ ନିକଟରୁ ୨.୩ ସିଏଫଟିର ୫ଖଣ୍ଡ କାଠ ପଟ୍ଟା ଏବଂ ଗୋଟେ ଦେଶୀ କରତ ଜବତ କରାଯାଇଛି । ଏନେଇ ପିଠାବଟା ଉତ୍ତର ରେଞ୍ଜରେ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଦକ୍ଷିଣ ଡିଭିଜନ ଉପ ନିଦେ୍ର୍ଦଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।

Leave A Reply