Odisha news

ବିଏସଏନଏଲ କାଜୁଆଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ବିରୋଧରେ ଶ୍ରମିକମାନଙ୍କ ଟିଡିଏମ ଅଫିସ ସମ୍ମୁଖରେ ଧାରଣା

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁରରେ ସବ୍ଡିଭିଜନ୍ ମାନଙ୍କରେ ୧୦୮ଜଣ ଠିକା କର୍ମଚାରୀ ଦୀର୍ଘ ୨୦/୨୫ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ମୁଖ୍ୟତଃ ବିଏସଏନଏଲର ନିଜସ୍ୱ କର୍ମଚାରୀ ନଥିବାରୁ ସମସ୍ତ ମରାମତି କେବୁଲ ଯୋଡିବା, ବ୍ରଣ୍ଡବ୍ୟାଣ୍ଡ ସଂଯୋଗ, ଲିଜ୍ ଲାଇନ୍ ଠିକ୍କରିବା, ପିଲର, କେବିନେଟରେ ଟେଲିଫୋନ୍ ନମ୍ବର ଠିକ୍କରିବା, ନୂଆ ଟେଲିଫୋନ୍ ସଂଯୋଗ କରିବା ଇତ୍ୟାଦି କରିଥାନ୍ତି, ମାତ୍ର ଗତ ୨ବର୍ଷ ଧରି ନିୟମିତ ମାସକୁ ଶ୍ରମିକଙ୍କ ଦରମା ମିଳୁନାହିଁ । ଫଳରେ ବର୍ତ୍ତମାନ ସୁଦ୍ଧା ୧୨ମାସର ଦରମା ବାକି ଅଛି । ବିଏସଏନଏଲ କେନ୍ଦ୍ର ସରକାରଙ୍କର ପରିଚାଳନାଧୀନ ହୋଇଥିବାରୁ ଶ୍ରମିକମାନେ ଆଶା ରଖିଥିଲେ ଯେ, ସରକାର ତାଙ୍କ କରିଥିବା ଆଇନ୍୍କୁ ପ୍ରଣୟନ କରିବେ ।

କେନ୍ଦ୍ରସରକାର କହିଛନ୍ତି ଲକ୍ଡାଉନ୍ ସମୟରେ କାହାରି ଚାକିରୀ ଯିବ ନାହିଁ ବା ଦରମା କଟିବ ନାହିଁ । ଇପିଏଫ ଓ ଇଏସଆଇ ସରକାର ବହନ କରିବେ । କାର୍ଯ୍ୟରତଃ ଲକ୍ଡାଉନ୍ ସମୟରେ ଶ୍ରମିକମାନେ ଦରମା ପାଇନାହାଁନ୍ତି, ଫଳରେ ଇପିଏଫ ଓ ଇଏସଆଇ ଜମା ହୋଇନାହିଁ । ବିଏସଏନଏଲ ଏକ ଅତ୍ୟାବଶକ ସେବା ସଂସ୍ଥା ହୋଇଥିବାରୁ ଲକ୍ଡାଉନ୍ ସମୟରେ ଶ୍ରମିକମାନେ ଧାର କରଜ କରି ସଂସ୍ଥାରେ କାମ କରିଛନ୍ତି । ଗତ ଜୁଲାଇ ୧ତାରିଖରେ ସମସ୍ତ ଏସଡିଓମାନେ କହିଲେ ତୁମେ ଆଜିଠାରୁ ଶହେ ଟଙ୍କା ଲେଖାଏଁ ମଜୁରୀ ପାଇବ । କେନ୍ଦ୍ରସରକାର ସର୍ବନିମ୍ନ ମଜୁରୀ ଧାର୍ଯ୍ୟକରି ସମସ୍ତ ପ୍ରତିଷ୍ଠାନକୁ ଆଇନ ଅନୁଯାୟୀ ଦେବାକୁ କହିଛନ୍ତି ନ ହେଲେ ଶ୍ରମବିଭାଗ ପାଖରେ ଆବେଦନ କରିବାକୁ କହିଛନ୍ତି । କିନ୍ତୁ ବିଏସଏନଏଲ ନିଜେ କିପରି ଶହେଟଙ୍କା ଦେବେ ଏ ବାବଦରେ ଏସଡିଓମାନଙ୍କୁ ପଚାରିବାରୁ କୌଣସି ଉତ୍ତର ଦେଉନାହାଁନ୍ତି ବୋଲି ଅଭିଯୋଗ କରାଯାଇଛି ।

ପ୍ରତ୍ୟେକ ଦିନ ମରାମତି ଓ ରକ୍ଷଣାବେକ୍ଷଣ ନହେଲେ ବିଏସଏନଏଲ ସେବା ବ୍ୟାହତ ହେବାର ସଭାବନା ରହିଛି । ଏଥିପ୍ରତି ମଧ୍ୟ ତାଙ୍କର ଦାୟିତ୍ୱ ନାହିଁ ଏହା ବିରୋଧରେ ଟିଡିଏମ ଅଫିସ ସମ୍ମୁଖରେ ବାରିପଦା, ବେତନଟୀ, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆ ସବ୍ଡିଭିଜନରେ ଗତ ଜୁଲାଇ ୧ତାରିଖରୁ ଧାରଣା ଚାଲୁ ରହିଥିବାବେଳେ ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁରହିବ ବୋଲି ୟୁନିୟନ ନିଷ୍ପତ୍ତି ନେଇଛନ୍ତି ବୋଲି ସାଧାରଣସମ୍ପାଦକ କ୍ଷିତିଶ ସାସମଲ ଜଣାଇଛନ୍ତି । ଉକ୍ତ ଧାରଣାରେ ସଭାପତି ରବି ଗୋସ୍ୱାମୀ, ଶରତଚନ୍ଦ୍ର ମହାନ୍ତ, ଶ୍ରୀନିବାସ ନାଏକ, ରଘୁନାଥ ମହାନ୍ତ, ଡମ୍ବୁରୁଧର ମହାନ୍ତ, ସଞ୍ଜୟ କୁମାର ବେହେରା, ମନରଞ୍ଜନ ମହାନ୍ତ, ଏସକେ, ଏମଡି ରିଜୁଆନ୍, ନରେଶ ଚନ୍ଦ୍ର ମହାନ୍ତ , ରବିନ୍ଦ୍ରନାଥ ସିଂ, କମଲ ଲୋଚନ ମହାନ୍ତ, ସଞ୍ଜୟ କୁମାର ସେଠୀ, ଗୌରାଙ୍ଗ ବାରିକ୍, ଜଗେନ୍ଦ୍ର ନାଥ ମହାନ୍ତ ଓ ଜଗନ୍ନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply