Odisha news

ଅମର୍ଦା ଏୟାରଷ୍ଟ୍ରିପ୍ ଜମି ହସ୍ତାନ୍ତର କାର୍ଯ୍ୟକ୍ରମ ଲଟକିଲା ; ଜମି ଗ୍ରହଣ କରିବାକୁ ଆସିଲେ ନାହିଁ ମୟୂରଭଞ୍ଜ ଜିଲ୍ଲାପାଳ

0

ବାରିପଦା : ମଙ୍ଗଳବାର ବହୁ ଆଡମ୍ବରେ ଅମର୍ଦା ଏୟାରଷ୍ଟି୍ରପର ପୁନଃରୁଦ୍ଧାର କାର୍ଯ୍ୟ ତଥା ଏୟାରଷ୍ଟ୍ରିପ ଜମି ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା । ମୟୂରଭଞ୍ଜବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ମାତ୍ର ଜମି ଗ୍ରହଣ କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟକ୍ରମରେ ନ ପହଁଞ୍ଚିବାରୁ ଅମର୍ଦା ଏୟାରଷ୍ଟ୍ରିପ ପୁନଃରୁଦ୍ଧାର କାର୍ଯ୍ୟ ଅଟକି ଯାଇଥିଲା । ପ୍ରତିରକ୍ଷା ବିଭାଗ ପକ୍ଷରୁ ଅମର୍ଦା ଏୟାରଷ୍ଟ୍ରିପ ଠାରେ ରାଜ୍ୟ ସରକାରଙ୍କୁ ଜମି ହସ୍ତାନ୍ତର କାର୍ଯ୍ୟକ୍ରମ ରହିଥିଲା । ପୂର୍ବ ପ୍ରସ୍ତୁତି ମୁତାବକ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ମୟୂରଭଞ୍ଜ ଜିଲ୍ଲାପାଳ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଜମି ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ଜିଲ୍ଲାପାଳ ନ ଆସିବାରୁ ଜମି ହସ୍ତାନ୍ତର କାର୍ଯ୍ୟ ହୋଇପାରିଲା ନାହିଁ । ଅପରପକ୍ଷରେ ଅମର୍ଦା ଏୟାରଷ୍ଟ୍ରିପ କିପରି ପୁନଃରୁଦ୍ଧାର କାର୍ଯ୍ୟ ହେବ ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ବହୁ ପ୍ରୟାସ କରିଥିଲେ । ମୟୂରଭଞ୍ଜରେ ଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଐତିହାସିକ ଅମର୍ଦା ଏୟାରଷ୍ଟ୍ରିପରୁ ଯାତ୍ରୀବାହି ବିମାନ ଉଡିବ ସେଥିପାଇଁ ଜିଲ୍ଲାବାସୀ ଦୀର୍ଘଦିନରୁ ପ୍ରତିକ୍ଷା କରି ବସିଛନ୍ତି । ମୟୂରଭଞ୍ଜ ଲୋକସଭା ସାଂସଦ ଭାବେ ବିଶ୍ୱେଶ୍ୱର ଟୁଡୁ ନିର୍ବାଚିତ ହେବା ପରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ । ଯାହାଫଳରେ ଆଜି ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ଓ ଦାବୀ ପୂରଣ ହେବାର ଏକପ୍ରକାର ନିଶ୍ଚିତ ହୋଇଥିଲା । ଏନେଇ ଗତ ଅଗଷ୍ଟ ମାସ ୨୫ତାରିଖରେ ରାଜ୍ୟ ସରକାର ୧୬୦.୩୫ ଏକର ଜମି ବାବଦରେ ୨୬ କୋଟି ୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟରେ ପୈଠ କରିବା ପରେ ଆଜି ରାଜ୍ୟସରକାରଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ରହିଥିଲା । ଏନେଇ ମଙ୍ଗଳବାର ଅମର୍ଦା ଏୟାରଷ୍ଟ୍ରିପ ଠାରେ ଏକ ସ୍ୱତନ୍ତ୍ର ସଭା ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସହ ବାରିପଦା ବିଧାୟକ ପ୍ରକାଶ ସୋରେନ୍, ଉଦଳା ବିଧାୟକ ଭାସ୍କର ମଢେଇ, ବଡସାହି ବିଧାୟକ ସନାତନ ବିଜୁଳି ଓ ସାରସକଣା ବିଧାୟକ ଡାଃ ବୁଢାନ ମୁର୍ମୁ, ମହାରାଜା ପ୍ରବିଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ, ପ୍ରତିରକ୍ଷା ବିଭାଗର ଅତିରିକ୍ତ ନିଦେ୍ର୍ଦଶକ ସଂଜୟ କୁମାର, ଡଃ ନିଳାଦ୍ରି ରୟ, ପ୍ରତିରକ୍ଷା ବିଭାଗର ଗ୍ରୁପ ମୁଖ୍ୟ ଜିସି ଜେନା, ଟେକ୍ନିକାଲ ଅଫିସର ମହେନ୍ଦ୍ର କୁମାର, ଭୁବନେଶ୍ୱର ଡିଫେନ୍ସ ଇଷ୍ଟେର ଏସଡିଓ ସଫିକ ଅସରଫ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଜମି ଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉପସ୍ଥିତ ନରହିବା ସମସ୍ତଙ୍କୁ ଚକିତ୍ କରିଛି । ତେବେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ରାଜ୍ୟ ସରକାର ମୟୂରଭଞ୍ଜ ଉନ୍ନତିରେ ବାଧା ସାଜିବା ସହ ଜିଲ୍ଲାର ବିକାସ ପରିବର୍ତ୍ତେ ବିନାଶ ଚାହୁଁଛନ୍ତି ବୋଲି ପ୍ରକ୍ରିୟା ରଖିଥିଲେ ଏବଂ ଏହି ଘଟଣା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବ ଏବଂ କେନ୍ଦ୍ର ସରକାର ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେବା ପାଇଁ ବିଧିବଧ ଯୋଜନା କରାଯିବ ବୋଲି ଇଂ ଟୁଡୁ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ରନୱେ ମଝିରେ ସ୍ଥାନୀୟ ଅଞ୍ଚଳର ବହୁ ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିଲେ ଏବଂ ଅଭିଯୋଗ କରିଥିଲେ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ବିମାନ ଅବତରଣ ନିମନ୍ତେ ୧୯୪୬ ମସିହା ଠାରୁ ସ୍ଥାପିତ ହୋଇଛି ଏବଂ ଉକ୍ତ ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ଯେଉଁ ପଟ୍ଟାଧାରୀ ମାନଙ୍କ ଜମି ବ୍ୟବହୃତ ହୋଇଛି ସେମାନଙ୍କୁ ଏୟାରଷ୍ଟ୍ରିପ ବାବଦରେ ବାର୍ଷିକ କ୍ଷତିପୂରଣ ଦିଆଯିବ ବୋଲି ଚୁକ୍ତି ହୋଇଥିଲା । ଯାହା ସେମାନଙ୍କ ଜମିପଟ୍ଟାରେ ମଧ୍ୟ ଉଲ୍ଲେଖ ରହିଛି । କିନ୍ତୁ ଏଯାଏଁ ପଟ୍ଟାଧାରୀ କୌଣସି ସହାୟତା ମିଳିନାହିଁ ବୋଲି ଅଭିଯୋଗ କରି ଧାରଣା ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ଆଗାମୀ ଦିନରେ ମୟୂରଭଞ୍ଜ ରାଜନୀତିରେ ହଟଚମଟ ସୃଷ୍ଟି ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି ।

Har Ghar Tiranga

Leave A Reply