ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳପଡିଆରେ ନୂତନ ପିଜି ବିଲଡିଙ୍ଗ ବ୍ଲକ-୨ ନିର୍ମାଣ ଏବଂ ୧୦ଟି ବିଭାଗକୁ ଅନଲାଇନ୍ କ୍ଲାସରୁ ବାଦ ଦେବା ନେଇ ଜେଏମଏମ ଯୁବମୋର୍ଚ୍ଚାର ବିରୋଧ
ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଏକ ନୂତନ ବିଲଡିଙ୍ଗ ବ୍ଲକ-୨ ନିର୍ମାଣ ନିମନ୍ତେ ଅଟକଳ ମୂଲ୍ୟ ୪ କୋଟିରୁ ଉଦ୍ଧ୍ୱର୍ ଟଙ୍କାର କି୍ରୟେସନ ଏଣ୍ଡ କି୍ରୟେସନ ଏଲଏଲପି ପ୍ରଫେସର ସତ୍ୟରଞ୍ଜନ ମହାନ୍ତିଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି । ମାତ୍ର କଲେଜ କର୍ତ୍ତୃପକ୍ଷ କୌଣସି ବିଧିବଦ୍ଧ ତଦନ୍ତ ନ କରି ଖାମଖିଆଲି ଭାବେ ଏକାଧିକ ମୂଲ୍ୟବାନ ଗଛକୁ କାଟି ଖେଳପଡିଆର ଅର୍ଦ୍ଧାଧିକ ଉପରେ ନିର୍ମାଣ ନିମନ୍ତେ ଚିହ୍ନଟ କରାଯାଇଅଛି । ଏହାକୁ ବିରୋଧକରି ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ଅଧ୍ୟକ୍ଷା ଝରଣା ବେହେରାଙ୍କ ସହ ଆଲୋଚନା କରି ଅନ୍ୟତ୍ର ଖାଲି ପଡିଥିବା ସ୍ଥାନରେ ନିର୍ମାଣ କରିବାକୁ ଦାବି କରାଯାଇଛି ।
ତା’ଛଡା କରୋନାକୁ ନେଇ ଉପୁଜିଥିବା ସ୍ଥିତି ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ ରହିଛି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବନ୍ଦଥିବା ଯୋଗୁଁ ସବୁ ବିଦ୍ୟାର୍ଥୀ ଅନ୍ଲାଇନ୍ ପାଠପଢାର ସୁବିଧା ପାଇପାରୁ ନାହାଁନ୍ତି । ତେବେ ବହୁ ବିଭାଗର ଅଧ୍ୟାପକ ନଥିବାବେଳେ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇନଥିବାରୁ ପାଠପଢାରେ ସମସ୍ୟା ଦେଖାଦେଇଛି । ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ୧୦ଟି ବିଭାଗରେ ନିୟମିତ ଅଧ୍ୟାପକ ନଥିବାରୁ ଉକ୍ତ ବିଭାଗକୁ ଅନଲାଇନ୍ କ୍ଲାସରୁ ବାଦ ଦିଆଯାଇଛି । ଫଳରେ ସେହି ବିଭାଗର ଛାତ୍ରଛାତ୍ରୀ ଅନ୍ଲାଇନ୍ କ୍ଲାସରୁ ବଞ୍ଚିତ ହେଉଛନ୍ତି । ଅଧ୍ୟକ୍ଷଙ୍କ ସହ ଆଲୋଚନାରେ ପୁର୍ଥୁରାଜ୍ ହାଁସଦାଃ, ଅର୍ଜୁନ ମୁର୍ମୁ, ଚୈତନ ସୋରେନ୍, ବାଜୁନ୍ ସୋରେନ୍, ଦିନେଶ ମୁର୍ମୁ, ଆଇଁଠୁ ଟୁଡୁ ଏବଂ ବିଶ୍ୱନାଥ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।