Odisha news

ବାଲିପାଟଣା ରେ ପାଣି ସମସ୍ୟା ଉତ୍କଟ , ଡ଼ହ ଡହ ଖରାକୁ ଜଳ କଷ୍ଟ ବଳିଯାଉଛି।

0
 ବାଲିପାଟଣା :  ରାଜ୍ଯ ତଥା କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟରେ ଗ୍ରାମାଞ୍ଚଳ ଲୋକଙ୍କୁ ଅହରହ ୨୪ ଘଣ୍ଟା ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି।ଆଗକୁ ଆସୁଛି ସାଧାରଣ ନିର୍ବାଚନ।ଏହି ନିର୍ବାଚନରେ ଦୀର୍ଘ୨୪ବର୍ଷ ଧରି ରାଜ୍ୟକୁ ଶାସନ କରୁଥିବା ବିଜୁ ଜନତା ଦଳ ତାର ନିର୍ବାଚନ ଇସ୍ତାହାରରେ ଜନସାଧାରଣଙ୍କୁ ଅନେକ ସୁବିଧା ସହିତ ଶତ ପ୍ରତିଶତ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବାର ସଂକଳ୍ପ ନେଇଛନ୍ତି। ଏଭଳି ଗାଁ ରହିଛି ଯେଉଁଠାରେ ଲୋକେ ସ୍ଵଜଳ ଧାରା ପ୍ରକଳ୍ପ କଣ ଜାଣି ନାହାଁନ୍ତି।ଆଉ ସେ ଗ୍ରାମ କେଉଁ କେବିକେ ଉପାନ୍ତ ଗ୍ରାମ ନୁହେଁ ବରଂ ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକ ବନମାଳୀପୁର  ନିକଟ ଭାକରସାହି ପଞ୍ଚାୟତର ଏଗାର ନମ୍ବର ୱାର୍ଡ ଦଣ୍ଡାସାହି ଗାଁ। ଏହି ଗ୍ରାମରେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ସହ ଏହାର  ଲୋକସଂଖ୍ୟା ତିନି ହଜାର ହେବ।ଦଣ୍ଡା ସାହି ,ନାୟକ ସାହି ଓ ହରିଜନ ସାହିର ଲୋକେ ଏପର୍ଯ୍ୟନ୍ତ ସ୍ଵଜଳ ଧାରା ପ୍ରକଳ୍ପ କଣ ତାହା ଜାଣି ନାହାଁନ୍ତି।ଗ୍ରାମରେ ହାତ ଗଣତି ଦୁଇ ତିନିଟା  ନଳକୂପ ରହିଛି (ଯାହାର ପାଣି ପିଇବା ଯୋଗ୍ୟ ନୁହେଁ) ଏବଂ ଗୋଟିଏ ପୁରୁଣା କୂପର ପାଣିରେ ବର୍ଷ ସାରା ଚଳନ୍ତି ଗ୍ରାମବାସୀ ।ହେଲେ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ କୁଅର ପାଣି ଶୁଖିଯାଇଥିବା ବେଳେ ନଳକୂପଟି ମଧ୍ୟ ଅଚଳ ହୋଇପଡିଛି।ନଳକୂପର ହ୍ୟାଣ୍ଡେଲ ମାରିଲେ ସେଥିରୁ ପାଣି ବଦଳରେ ପବନ ବାହାରୁଛି ବୋଲି ଗ୍ରାମବାସୀ କୁହନ୍ତି। ଅବଶ୍ୟ ଏ ସମ୍ପର୍କରେ ଅଭିଯୋଗ ପରେ ଏବେ ଦୁଇଦିନ ହେବ ଆଉ ଗୋଟେ ନଳକୂପ ଖନନ ହୋଇଛି ।ହେଲେ ଦୁଇ ଶହ ପରିବାର ଗୋଟିଏ ନଳକୂପର ପାଣି କିପରି ବ୍ୟବହାର କରିବେ ତାହା ସମସ୍ତଙ୍କୁ ଚକିତ କରିଛି।ତେଣୁ ଅଧିକାଂଶ ପରିବାର ଏବେ ପାଖରେ ପ୍ରବାହିତ କେନାଲ ପାଣି ଆଣି ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି। ବିଡିଓ ଓ ବିଭାଗୀୟ ଯନ୍ତ୍ରୀ ରଞ୍ଜନ କୁମାର ଘଡେ଼ଇଙ୍କୁ ଅଭିଯୋଗ କରିବା ପରେ ଏବେ ଦୁଇ ଦିନ ହେବ ପ୍ରଶାସନ ପକ୍ଷରୁ ସକାଳ ଓ ସନ୍ଧ୍ୟାରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି।ହେଲେ ପ୍ରଚଣ୍ଡ ରୌଦ୍ରତାପରେ ସମସ୍ତ କୂଅ ପୋଖରୀ ଶୁଖି ଯାଇଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ଓ ଗୃହ ପାଳିତ ପଶୁ ମାନଙ୍କ ଦୃଦଶା ନ କହିଲେ ଭଲ।ମେଗା ପାନୀୟ ଜଳ ପ୍ରକଳ୍ପ ଏହି ଗ୍ରାମକୁ ସଂଯୋଗ ହେବାର ଯୋଜନା ଥିଲେ ମଧ୍ୟ କିଛି ଖଳ ପ୍ରକୁତିର ଲୋକ ନିକଟସ୍ଥ ବିଶ୍ୱାଳ ସାହି ଠାରେ କାମକୁ ଅଧାରୁ ବନ୍ଦ କରି ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତର ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର।ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ବାଲିପାଟଣା ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ରଞ୍ଜନ କୁମାର ଘଡେ଼ଇ ଓ ସୁଚିତ୍ରା ସେନ୍ ଙ୍କୁ ଯୋଗାଯୋଗ କରିବାରୁ ସେ ମଧ୍ୟ ଏକଥା ସ୍ୱୀକାର କରିଛନ୍ତି। ତିନି ଗାଁକୁ ସକାଳ ଓ ସନ୍ଧ୍ୟା ସମୟରେ କେବଳ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଉଛି। ପଶୁ ପକ୍ଷୀ ଓ  ଗାଧୋଇବା ପାଇଁ ପାଣି ଯୋଗାଇବା ସମ୍ଭବ ହୋଇପାରୁ ନାହିଁ। ଚଳିତ ବର୍ଷ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରି କୌଣସି ପଦକ୍ଷେପ ନିଆଯାଇ ପାରିବ ନାହିଁ,ନିର୍ବାଚନ ପରେ ଖୁବ ଶୀଘ୍ର କାର୍ଯ୍ଯ ଆରମ୍ଭ ହେବ। ଯଦି ରାଜଧାନୀ ଉପକଣ୍ଠ ସରକାରଙ୍କ ନାକ ତଳେ ଏପରି ଅବସ୍ଥା ତେବେ ଉପାନ୍ତ ଅଞ୍ଚଳ କଥା କଣ ହେଉଥିବ ତାହା ସହଜରେ ଅନୁମେୟ।
Nalco

Leave A Reply