ବାଲେଶ୍ୱର : ଗତ ୨୦୧୪ ମସିହାରେ ଆଇଏସ୍ଆଇ ଲିଙ୍କ ମାମଲାରେ ଗିରଫ ହୋଇଥିବା ମୟୁରଭଂଜ ଜିଲ୍ଲା ବୈଶିଙ୍ଗା ଥାନା କଣ୍ଟିପୁର ଗ୍ରାମର ଇଶ୍ୱରଚନ୍ଦ୍ର ବେହେରାଙ୍କୁ ବାଲେଶ୍ୱରର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗିରିଜା ପ୍ରସାଦ ମହାପାତ୍ର ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ବାବଦ ଅର୍ଥ ଅନାଦାୟ ହେଲେ ଇଶ୍ୱରଙ୍କୁ ଅଧିକ ୧ବର୍ଷ କାରାଦଣ୍ଡ ଭୋଗକରିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି । ଘଟଣାରୁ ପ୍ରକାଶ ଇଶ୍ୱର ବେହେରା ଚାନ୍ଦିପୁରସ୍ଥିତ ଡିଆର୍ଡିଓରେ ଜଣେ ଠିକା ଫୋଟଗ୍ରାଫର ଭାବେ କାର୍ଯ୍ୟ କରୁଥିଲେ । ସେଠାରେ କାର୍ଯ୍ୟରତ ସମୟରେ ମିରଟର ଜଣେ ଲୋକଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ । ଫୋନକଲ୍ ଟ୍ରାକିଂ ହେବା ପରେ ଇଶ୍ୱର ପ୍ରତିରକ୍ଷା ବିଭାଗର ଗୋପନୀୟ ତଥ୍ୟ ଆଇଏସ୍ଆଇକୁ ପ୍ରଦାନ କରୁଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାପରେ ଇଶ୍ୱର ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ୍ ହସ୍ତାନ୍ତର କରିବା ଅଭିଯୋଗରେ ଗତ ୨୦୧୪ମସିହା ଡିସେମ୍ବର ମାସ ୨୨ ତାରିଖରେ ଚାନ୍ଦିପୁର ପୁଲିସ ଇଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଇଶ୍ୱରଙ୍କ ବିରୋଧରେ ଦେଶଦ୍ରୋହ ଭଳି ସଂଗୀନ ଦଫାମାନ ଲଗାଯାଇଥିଲା । ଗତମାସରେ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ପୁଲିସ ଇଶ୍ୱରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ । ଏହାକୁ ଭିତ୍ତିକରି ଶ୍ରୀ ବେହେରାଙ୍କ ପକ୍ଷରୁ ଆଇନଜୀବୀ ଅରୁଣ କୁମାର ବେହେରା ଚଳିତମାସ ୧ତାରିଖରେ ଜିଲ୍ଲା ଦୌରାଜର୍ଜଙ୍କ କୋର୍ଟରେ ଜାମିନ ଆଗତ କରିଥିଲେ । ୬/୧୫ ନମ୍ବର ମାମଲାର ଚାର୍ଜସିଟ୍କୁ ଦୃଷ୍ଟିରେ ରଖି ଜିଲ୍ଲା ଦୌରାଜର୍ଜ ଆବେଦନର ଶୁଣାଣୀ ୧୩ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ସେହି କ୍ରମରେ କ୍ରାଇମବ୍ରାଞ୍ଚ ପୁଲିସର ଚାର୍ଜସିଟ୍, ପାରିପାଶ୍ୱର୍ିକ ଅବସ୍ଥା ଓ ଇଶ୍ୱର ବେହେରାଙ୍କ ବ୍ୟକ୍ତିଗତ ଜୀବନକୁ ଆଧାର କରି କୋର୍ଟରେ ମାମଲା ବିଚାର ଚାଲିଥିଲା । ଏହି ମମଲାରେ ମାନ୍ୟବର କୋର୍ଟ ପୁଲିସ ଓ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା କାଗଜପତ୍ର,୨୯ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ ଇଶ୍ୱର ବେହେରାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହିମାମଲାରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଓକିଲ ଚିତ୍ତରଂଜନ କାନୁନ୍ଗୋ , ପ୍ରଶାନ୍ତ ମଲ୍ଲିକ ଓ ବାଲେଶ୍ୱରର ସରକାରୀ ଓକିଲ ନଳିନୀ କୁମାର ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ଶ୍ରୀ ବେହେରାଙ୍କ ପକ୍ଷରୁ ବାଲେଶ୍ୱରର ବରିଷ୍ଠ ଆଇନ୍ଜୀବୀ ହରେକୃଷ୍ଣ ଦାଶ ମୋକଦ୍ଦମା ଲଢୁଥିଲେ ।
Comments are closed.