ବ୍ୟାସନଗର : ଯାଜପୁର ଜିଲାରେ କରୋନା ଆଶତିତ ଭାବେ ବୃଦ୍ଧି ପାଉଥିବା ବେଳେ ଜିଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାକୁ ଲକଡ଼ାଉନ ଘୋଷଣା କରାଯାଇଛି । ମାତ୍ର ଏହି ଲକଡ଼ାଉନକୁ ବ୍ୟାସନଗରବାସୀ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ ଅନୁଧ୍ୟାନ କରିବାକୁ ଜିଲାପାଳ ରଂଜନ କୁମାର ଦାସ ଆଜି ଭୋରୁ ଭୋରୁ ବ୍ୟାସନଗରରେ ପହଁଚିଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ସାଙ୍ଗରେ ଧରି ବ୍ୟାସନଗର ପୈାରାଞ୍ଚଳର ଚୋରଦା ବାଇପାସ୍ ଓ ନହକା ବାଇପାସ୍ରେ ଠେଙ୍ଗା ଧରି ସ୍ଥିତି ପରଖିଥିଲେ । ଜିଲାପାଳ ଶ୍ରୀ ଦାସ ଠେଙ୍ଗାଧରି ଠିଆ ହେବା ଘଟଣା ବ୍ୟାସନଗର ସହରରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ଅଧିକାଂଶ ଲୋକ ବାଇକ୍ରେ ଆସୁଥିବା, ମୁହଁରେ ମାକ୍ସ ଓ ହେଲମେଟ ପିନ୍ଧିନଥିବା ଦେଖି ବିଶ୍ମିତ ହୋଇପଡ଼ିଥିଲେ ।
ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ଉପସ୍ଥିତ ପୈାର କର୍ମଚାରୀଙ୍କୁ ଜରୀମାନା ଆଦାୟ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସେ ଘଟଣା ସ୍ଥଳରେ ପୁଲିସ ଉପସ୍ଥିତ ନଥିବା ଦେଖି ଅସନ୍ତୋଷ ପ୍ରକାଶ କରି କଳିଙ୍ଗନଗର ଅତିିରିକ୍ତ ଜିଲାପାଳ ଶ୍ରୀ ମିଶ୍ରଙ୍କୁ ଏଠି କେମିତି କଟକଣା ଚାଲିଛି ପ୍ରଶ୍ନ କରିଥିଲେ । ଫଳରେ ଶ୍ରୀ ମିଶ୍ର ଏନେଇ ଯାଜପୁର ରୋଡ଼ ଥାନା ଅଧିକାରୀ ଓ କଳିଙ୍ଗନଗର ଅତିରିକ୍ତ ଏସପିଙ୍କୁ ଫୋନ୍ ଯୋଗେ ଜିଲାପାଳ ଅଛନ୍ତି ତୁରନ୍ତ ଆସନ୍ତୁ ବୋଲି କହିଥିଲେ ।
ଖବର ପାଇବା ମାତ୍ରକେ ଯାଜପୁର ରୋଡ଼ ପୁଲିସ ଓ କଳିଙ୍ଗନଗର ଅତିରିକ୍ତ ଏସପି ଘଟଣା ସ୍ଥଳରେ ପହଁଚିଥିଲେ । ତାଙ୍କୁ ଏନେଇ ପଚାରିବାରୁ ପୁଲିସ ଆମର ସାଢେ ୮ଟାରୁ ବିଭିନ୍ନ ଛକ ମାନଙ୍କରେ ପହଁଚିବାକୁ ନିଷ୍ପତି ନେଇଛୁ ଏବଂ ସେହି ଅନୁଯାୟୀ କାର୍ଯ୍ୟ କରାଯାଉଛି ବୋଲି ସଫେଇ ଦେଇଥିଲେ । ଅପରପକ୍ଷରେ ଜିଲା ଏସପିଙ୍କୁ ଫୋନକରି ଅତିରିକ୍ତ ଜିଲାପାଳ ଶ୍ରୀ ମିଶ୍ର କହିବାରୁ ଏସପି ଆମକୁ କ୍ରେନ ଯୋଗାଇ ଦିଅନ୍ତୁ ବାଇକ୍ ଆଣିବାକୁ ସୁବିଧା ହେବ ବୋଲି ପ୍ରତୁ୍ୟତର ଦେଇଥିବା ସୂଚନା ମିଳିଛି । ବିନା ହେଲମେଟ ଓ ମାସ୍କରେ ବୁଲୁଥିବା ଲୋକଙ୍କ ଠାରୁ ପୈାର ପ୍ରଶାସନ ଓ ପୁଲିସ ପକ୍ଷରୁ ପୃଥକ ପୃଥକ ଭାବେ ଜରୀମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଏଠାରେ ସୂଚନା ଥାଉକି କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଶ୍ରୀ ମିଶ୍ର ପ୍ରତହ୍ୟ ଭୋରୁ ବିଭିନ୍ନ ଛକରେ ଠେଙ୍ଗା ଧରି ଠିଆ ହେବା ସହ ଅମାନିଆଙ୍କ ଉପରେ ନଜର ରଖିବା ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇପଡ଼ିଛି । ଅତିରିକ୍ତ ଜିଲାପାଳ ଶ୍ରୀ ମିଶ୍ରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଜିଲାପାଳ ଶ୍ରୀ ଦାସ ସନ୍ତୋଷ ପ୍ରକାଶ କରିଥିଲେ ।