Odisha news

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ ଝଟକା : ଦିଲ୍ଲୀରେ ଏଲଜି (ଉପରାଜ୍ୟାପାଳ)ଙ୍କୁ ଅଧିକ କ୍ଷମତା ପ୍ରଦାନକାରୀ ଆଇନ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ

ନୂଆଦିଲ୍ଲୀ ୨୮/୦୩: ସବୁବେଲେ ସବୁ ଜିନିଷ ଠିକ ଭାବରେ ଚାଲିନଥାଏ l ଏମିତି ଏକ ଘଟଣାକୁ ନେଇ ବର୍ତମାନ ରାଜନୀତି ସରଗରମ ହଉଚି l ବର୍ତମାନ LGଙ୍କୁ ଅଧିକ କ୍ଷମତା ଦେବାପାଇଁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି l 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜୋରଦାର ଝଟ୍‌କା ଲାଗିଛି। ରାଜଧାନୀ ଦିଲ୍ଲୀରେ ଏଲଜି (ଉପରାଜ୍ୟାପାଳ)ଙ୍କୁ ଅଧିକ କ୍ଷମତା ପ୍ରଦାନକାରୀ ଆଇନ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗ୍ରୀନ୍‌ ସିଗ୍‌ନାଲ । ଜିଏନସିଟିଡି ବିଲ୍‌କୁ ନେଇ କେଜ୍ରିଓ୍ବାଲ ସରକାର ଏବଂ କେନ୍ଦ୍ର ମଧ୍ୟରେ ଲାଗିଥିବା ବିବାଦ ମଧ୍ୟରେ ରବିବାର ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ଏହା ଏବେ ଆଇନ୍‌ରେ ପରିଣତ ହୋଇଛି । ଏଣିକି ଦିଲ୍ଲୀରେ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିବ। ଆମ ଆଦମୀ ପାର୍ଟି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଙ୍କ ବିରୋଧ ସତ୍ବେ ଏହି ବିଲ୍‌ ବୁଧବାର ରାଜ୍ୟସଭାରେ ପାରିତ ହୋଇଥିଲା। ଏହି ବିଲ୍‌କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର ପାଇଁ ଝଟକା ବୋଲି କୁହାଯାଉଛି। ୨୦୧୩ରୁ ଦିଲ୍ଲୀ ଶାସନ ଗାଦିରେ ବସିବା ପରଠୁ ଆପ୍‌ ସହ ଉପରାଜ୍ୟପାଳ(ଏଲଜି)ଙ୍କ ମଧ୍ୟରେ ବହୁ ବିବାଦ ଦେଖାଦେଇଛି।

ସୂଚନାଯୋଗ୍ୟ, ଗତ ସୋମବାର ଲୋକସଭାରେ ପାରିତ ହୋଇଥିଲା ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ ରାଜ୍ୟକ୍ଷେତ୍ର ଶାସନ (ସଂଶୋଧନ) ବିଧେୟକ ୨୦୨୧ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ବିଧେୟକକୁ ପ୍ରବଳ ବିରୋଧ କରିଥିଲା ଆମ୍‌ ଆଦମୀ ପାର୍ଟି । ଲୋକସଭାରେ ଗୃହ ରାଜ୍ୟ ମନ୍ତ୍ରୀ ଜୀ କିଶନ ରେଡ୍ଡୀ କହିଥିଲେ, ସମ୍ବିଧାନ ଅନୁଯାୟୀ ବିଧାନସଭା ସଂଲଗ୍ନ ସୀମିତ ଅଧିକାର ଯୁକ୍ତ କେନ୍ଦ୍ର ଶାସିତ ଅଞ୍ଚଳ ହେଉଛି ଦିଲ୍ଲୀ । ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଏହା କହିସାରିଛନ୍ତି ଯେ, ଦିଲ୍ଲି ହେଉଛି ଏକ କେନ୍ଦ୍ରଶାସିତ ରାଜ୍ୟ । ତେଣୁ ସମସ୍ତ ସଂଶୋଧନ କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ହିଁ କରାଯାଉଛି’।

ଏହି ବିଧେୟକ ଉପସ୍ଥାପନ ବେଳେ କଂଗ୍ରେସ ନେତା ମନୀଷ ତିଓ୍ବାରୀ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଅଭିଯୋଗ କରିଥିଲେ । ମନୀଷ ତିଓ୍ବାରୀ କହିଥିଲେ ଯେ, ଏହି ବିଧେୟକ ଦିଲ୍ଲୀ ସରକାରଙ୍କ ଅଧିକାର ଏବଂ କ୍ଷମତାକୁ କ୍ଷୁର୍ଣ୍ଣ କରିବ । ଏହାର ଉତ୍ତର ଦେବାକୁ ଯାଇ କିଶନ‌ ରେଡ୍ଡୀ କହିଛନ୍ତି ଯେ, କିଛି ସ୍ପଷ୍ଟୀକରଣ ପାଇଁ ଏହି ବିଲ୍ ଅଣାଯାଇଛି ଯାହା ଦିଲ୍ଲୀବାସୀଙ୍କୁ ଉପକୃତ କରିବ ଏବଂ ରାଜ୍ୟରେ ଆହୁରି ସ୍ୱଚ୍ଛତା ଆଣିବ । ସେ କହିଛନ୍ତି ଯେ ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ କିମ୍ବା ବୈଷୟିକ ଦୃଷ୍ଟିକୋଣରୁ ଅଣାଯାଇ ନାହିଁ ଯାହା ଦ୍ବାରାକି କିଛି ଦ୍ବନ୍ଦ ସୃଷ୍ଟି ହେବ । ବହୁ ବାଦ ବିବାଦ ପରେ ଏହି ବିଲ ଏବେ ଆଇନ୍‌ରେ ପରିଣତ ହୋଇଛି। ଦିଲ୍ଲୀରେ ଏଲଜିଙ୍କ କ୍ଷମତା ବୃଦ୍ଧି ହୋଇଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରକୁ ଜୋରଦାର ଝଟ୍‌କା ଲାଗିଛି।

Comments are closed.