ଧାମନଗର (Basudev tripathy) : ଧାମନଗର ବ୍ଲକରେ ପୁଣି ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବ୍ଲକର ମୋଟ ସଂକ୍ରମଣଙ୍କ ସଂଖ୍ୟା ୧୭ରେ ପହଂଚିଛି । ଧାମନଗର ବ୍ଲକ ଅନ୍ତର୍ଗତ ଚୁଡ଼ାକୁଟି ପଞ୍ଚାୟତରେ ୨ଜଣ, ଗଢିଆଳି ପଞ୍ଚାୟତରେ ୨ଜଣ, ବମକୁରା ଓ ପାଳସାହୀ ପଞ୍ଚାୟତରେ ଜଣେ ଲେଖାଏଁ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ପୂର୍ବରୁ କଲ୍ୟାଣୀ, ଖଡ଼ିପଦା, ସାହସପୁର, ଧୁଷୁରୀ, ରଇପୁର, ଚୁଡ଼ାକୁଟି, ଦୋବଲ, ସୋହଡ଼ା ଓ ବମକୁରା ଆଦି ପଞ୍ଚାୟତରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବାବେଳେ ନଦୀଗାଁ ପଞ୍ଚାୟତରେ ୨ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ ।
ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ଚୁଡ଼ାକୁଟିର ୨ଜଣଙ୍କୁ ମିଶାଇ ଉକ୍ତ ପଞ୍ଚାୟତରେ ମୋଟ ୩ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଆଜିର ଜଣେ ସଂକ୍ରମଣ ବ୍ୟକ୍ତିଙ୍କୁ ମିଶାଇ ବମକୁରା ପଞ୍ଚାୟତର ସଂକ୍ରମଣ ସଂଖ୍ୟା ୨ରେ ପହଂଚିଛି । ଏହି ସବୁ ସଂକ୍ରମଣ ବ୍ୟକ୍ତି ସମ୍ପୃକ୍ତ ପଞ୍ଚାୟତ କ୍ୱାରେଣ୍ଟିନ୍ରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଆନ୍ଦ୍ର ଏବଂ ୩ଜଣ ଗୁଜୁରାଟ ସମ୍ପୃକ୍ତି ବୋଲି ଜଣାଯାଇଛି । ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାବେଳେ ଏହା ୯୫ରେ ପହଂଚିଛି । ସେହିପରି ଧାମନଗର ବ୍ଲକରେ ସଂକ୍ରମଣଙ୍କ ସଂଖ୍ୟା ୧୭ରେ ପହଂଚିଥିବାବେଳେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ହେତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବବୋଲି ଆଶଙ୍କା କରାଯାଉଛି ।