Odisha news

ମହାନଦୀ ତ୍ରିକୋଣଭୂମିରେ ଜଳ ପରିଚାଳନା

0

ସବ୍ୟସାଚୀ ଅମିତାଭ : ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶା ପରି ଉପକୂଳବର୍ତ୍ତୀ ରାଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ। ଥରେ ଯଦି ଗୋଟାଏ ବନ୍ୟା ହୋଇଯାଏ, ଓଡ଼ିଶା ଲୋକଙ୍କର ଅବସ୍ଥା ଭାରି ଗୁରୁତର ରୂପ ଧାରଣ କରେ। ରାସ୍ତାଘାଟରୁ ଚାଷଜମି ପର୍ଯ୍ୟନ୍ତ ସବୁକିଛି, କାହିଁକି କେଜାଣି ନଷ୍ଟଭ୍ରଷ୍ଟ ହୋଇଯାଏ। ସେସବୁ ପୁଣି ସଜାଡିବା ପାଇଁ ରାଜ୍ୟର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇଯାଏ। ଷାଠିଏ ଦଶକରେ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ମୁଁ ପ୍ରସ୍ତାବ ଦେଇଥିଲି ମହାନଦୀରେ ଆଉ ଏକ ବନ୍ଧ କରାଯାଉ ବୋଲି। କାହିଁକିନା, ଯେତେବେଳେ ମଧ୍ୟପ୍ରଦେଶ(ବର୍ତ୍ତମାନର ଛତିଶଗଡ଼) ବର୍ଷା ହୁଏ ସେତେବେଳେ ଜଳର ପ୍ଲାବନରେ ହୀରାକୁଦର ଜଳପତ୍ତନ Overflows ହୋଇଯାଏ।

ତେଣୁ ଆଉ ଗୋଟିଏ ନଦୀ ବନ୍ଧ ଯୋଜନା ହେଲେ ଏହି ଅସୁବିଧାଟିର ସମାଧାନ ହୋଇପାରନ୍ତା। ସେତେବେଳେ ‘ପଣ୍ଡିତଜୀ’ ଦ୍ବିତୀୟ ନଦୀବନ୍ଧ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ଏ ବାବଦରେ ତିନି ହଜାର ଲୋକ ବାସହରା ହୋଇଥାଆନ୍ତା। ଜନତା ଜନାର୍ଦ୍ଦନାଙ୍କର ଆର୍ତ୍ତଚିତ୍କାର ଓ କ୍ରନ୍ଦନରେ ପଶ୍ଚିମ ଓଡ଼ିଶାର ମାଟି ଫାଟି ଯାଇଥାନ୍ତା। ତେଣୁ ଏକ ଶୀତଳ ସମାଧାନରେ ସେ ସମସ୍ତ ଯୋଜନା ଏକ ଜୋର୍ ଆଘାତ ସହ ବନ୍ଦ କରିଦିଆଯାଇଛି। ତା ପରଠାରୁ ଅନ୍ୟ କେହି ମଧ୍ୟ ଏହାକୁ ଅତି ଗମ୍ଭୀର ଭାବରେ ନେଇନାହାନ୍ତି। ଏଣୁ ଏପର୍ଯ୍ୟନ୍ତ ଆମେ ଓଡ଼ିଶାରେ ବର୍ଷକୁ ବର୍ଷ ବନ୍ୟା ସମସ୍ୟାର ସମ୍ମୁଖୀନ ହେଉଅଛୁ। ଥରେ ଜଣେ ଜାତୀୟସ୍ତରର ସାମ୍ବାଦିକଙ୍କୁ ସାକ୍ଷାତକାର ଦେବା ଅବସରରେ ବିଜୁ ବାବୁ ଏକଥା ବଖାଣିଥିଲେ। ଦୀର୍ଘ ବର୍ଷ ପରେ ଆଜି ବି ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ ବା ବନ୍ୟାଜଳ ପରିଚାଳନାରେ ସେମିତି ବେଶୀ କିଛି ପରିବର୍ତ୍ତନ ହୋଇପାରିନାହିଁ। ମହାନଦୀର ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ  ଲାଗି ଏକ ଯୋଜନାବଦ୍ଧ ଖସଡାର ଆବଶ୍ୟକତା ଥିଲେ ବି ଏହାକୁ ସରକାର ଗୁରୁତ୍ବ ଦେଇନାହାଁନ୍ତି।

ବର୍ତ୍ତମାନ ମହାନଦୀର ତ୍ରିକୋଣ ଭୂମି ଓ ତତ୍‌ସଂଲଗ୍ନ ନିମ୍ନ ଅବବାହିକାରେ ବନ୍ୟା କାରଣରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ପ୍ରାୟ ଦଶ ଏଗାର ବର୍ଷ ପରେ ରାଜ୍ୟରେ ଏକ ବଡ଼ ବନ୍ୟା ବିତ୍ପାତ ସୃଷ୍ଟି କରିଛି କହିଲେ ଭୁଲ ହେବନି। ସାଧାରଣତଃ ମହାନଦୀ ସିଷ୍ଟମରେ ବନ୍ୟା ଆସିଲେ ଅଧା ଓଡ଼ିଶା ପ୍ରଭାବିତ ହୋଇଥାଏ। ଏହା ସହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ବଢ଼ି ପରିସ୍ଥିତିକୁ ଅଧିକ ଗୁରୁତର କରିଛି । କିଛି ମାସ ତଳେ ଯେଉଁ ନଦୀଗୁଡିକର ଶଯ୍ୟା ଶୁଖିଲା ପଡିଥିଲା, ସେଠାରେ ଏବେ ବନ୍ୟା ତାଣ୍ଡବ କରିଛି। ତେବେ ଜଳ ପରିଚାଳନା ପାଇଁ ଆବଶ୍ୟକୀୟ ନୀତିର ଅଭାବ ଥିବାରୁ ବନ୍ୟାଜଳର ସଂରକ୍ଷଣ ବା ଉଚିତ୍ ପରିଚାଳନା ଆମ ରାଜ୍ୟରେ ନାହିଁ କହିଲେ ଚଳେ।

ଟିକେ ଅତୀତକୁ ଗଲେ ଜଣାପଡେ, ୧୯୮୨ ମସିହାରେ ମହାନଦୀରେ ଆସିଥିଲା ବଡ଼ ବନ୍ୟା। ଏହି ବର୍ଷ ଦେବୀ ନଦୀରେ ଦ୍ୱିତୀୟ ଥର ଦଳେଇଘାଇ ହୋଇଥିଲା । ୧୯୮୨ ବନ୍ୟାରେ ଭୁବନେଶ୍ୱର ପଳାଶୁଣି ପୋଲ ପାଖରେ କୁଆଖାଇ ବନ୍ୟାଜଳ ପ୍ରବାହିତ ହୋଇ ଏକ ବଡ଼ ଧରଣର ଘାଇ ହୋଇଥିଲା। ଏଥିସହ କଟକ – ଭୁବନେଶ୍ୱର ଜାତୀୟ ରାଜପଥର ପୀରବଜାର ନିକଟରେ ମଧ୍ୟ ଏକ ବଡ଼ ଧରଣର ଘାଇ ହୋଇଥିଲା। ଏହି ୨ଟି ଘାଇ ଯୋଗୁଁ କଟକ- ଭୁବନେଶ୍ୱର ମଧ୍ୟରେ ଦୀର୍ଘ ଦିନ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ୨୦୦୮ରେ ଆସିଥିଲା ଆଉ ଏକ ବଡ଼ ବନ୍ୟା। ଏହି ବର୍ଷ ମହାନଦୀର ମୁଣ୍ଡଳୀ ନିକଟରେ ୧୫ ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହିତ ହୋଇଥିଲା। ୧୯୮୨ରୁ ୨୦୧୮, ଦୀର୍ଘ ୩୬ ବର୍ଷ ମଧ୍ୟରେ ଘଟିଛି ଅନେକ ପରିବର୍ତ୍ତନ। ଏଇ କିଛି ବର୍ଷ ହେଲା ବର୍ଷାଦିନକୁ ଛାଡିଦେଲେ ଅନ୍ୟଦିନମାନଂକରେ ଶୁଖିଲା ପଡୁଛି ମହାନଦୀର ଶଯ୍ୟା। ଗୋଟିଏ ପଟେ ମହାନଦୀର ସୁରକ୍ଷା ଓ ଓଡ଼ିଶାର ହକ୍ କଥା କହି ଆମେ ଛତିଶଗଡ ସହ ଲଢେଇ କରୁଥିବା ବେଳେ ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ଜାଲ ପରି ବିଛେଇ ହୋଇଥିବା ଶାଖା ନଦୀଗୁଡ଼ିକର ପୁନରୁଦ୍ଧାର ଓ ସେଥିରେ ଜଳ ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଉନି।

ବାସ୍ତବ ବିଷୟ ହେଲା ମହାନଦୀ ଓଡ଼ିଶା ମଧ୍ୟରେ ୪୯୦ କିଲୋମିଟର ପଥ ଗତି କରିଥିବାବେଳେ ଛତିଶଗଡ଼ରେ ଏହାର ଯାତ୍ରା ପଥ ପ୍ରାୟ ୩୫୭ କିଲୋମିଟର। ଓଡ଼ିଶାରେ ମହାନଦୀର ଯାତ୍ରାପଥ ଅଧିକ ଥିଲେ ମଧ୍ୟ ଏହାର ଅବବାହିକା ଅଞ୍ଚଳ ଛତିଶଗଡ଼ ତୁଳନାରେ ପ୍ରାୟ ୧୦ ହଜାର ବର୍ଗ କିଲୋମିଟର କମ୍, କିନ୍ତୁ ଦୀର୍ଘ ବର୍ଷ ଧରି ସରକାରୀ ସ୍ତରରେ ଏହି ନଦୀ ପ୍ରତି ଅବହେଳା କରାଗଲା। ଜଣାଯାଏ ଯେ ୨୦୦୧ ମସିହାରେ ମହାନଦୀ ବନ୍ୟାଜଳ ତ୍ରିକୋଣଭୂମି ଅଞ୍ଚଳର ପ୍ରବେଶ କରିବା ସମୟରେ ନରାଜଠାରେ ଏହାର ପରିମାଣ ଥିଲା ୧୪ ଲକ୍ଷ ଘନଫୁଟ। ଏହାପୂର୍ବରୁ ୧୯୮୨ ମସିହାରେ ନରାଜ ନିକଟରେ ୧୫ ଲକ୍ଷ ୮୪ ହଜାର ଘନଫୁଟ ପାଣି ପ୍ରବାହିତ ହୋଇଥିଲା। ଏଥିରେ ମହାନଦୀ ଉପନଦୀଗୁଡ଼ିକର ଅବଦାନ ଥିଲା ୧୦ ଲକ୍ଷ ୨୫ ହଜାର ଘନଫୁଟ। ସେହିପରି ୧୯୯୧ ମସିହାରେ ନରାଜଠାରେ ୧୨ ଲକ୍ଷ ୨୧ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିବାବେ‌ଳେ ଏଥିରେ ଉପନଦୀର ଅବଦାନ ଥିଲା ୧୧ ଲକ୍ଷ ଘନଫୁଟ। ସମାନ ଭାବେ ୨୦୦୮ ମସିହା ବନ୍ୟା ମୁଖ୍ୟତଃ ହୀରାକୁଦର ତଳମୁଣ୍ଡରେ ଥିବା ମହାନଦୀର ଉପନଦୀଗୁଡ଼ିକ ଯୋଗୁଁ ଘଟିଛି। ଏଥିରୁ ଗୋଟିଏ ବିଷୟ ଅତି ସ୍ପଷ୍ଟ ହେଉଛି ଯେ ମହାନଦୀରେ ଉପରମୁଣ୍ଡ ଜଳଜନିତ ବନ୍ୟା ପ୍ରକୋପ ନବେ ଦଶକରୁ ହ୍ରାସ ପାଇଥିବା ଜଣାପଡୁଛି। ଯାହା ବନ୍ୟା ହେଉଛି ତାହା ତଳମୁଣ୍ଡ ପାଣି ଯୋଗୁଁ, କିନ୍ତୁ ଏହି ନଦୀଗୁଡ଼ିକରେ ସ୍ୱାଭାବିକ ଜଳ ପ୍ରବାହ ବା ସଂରକ୍ଷଣ ପାଇଁ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଗ୍ରହଣ କରାଯାଇନାହିଁ। କେବଳ ମଝିରେ ମହାନଦୀ ଉପରେ ଟିକରପଡ଼ା, ମଣିଭଦ୍ରା, ସୁବଳୟା ଓ ସିଣ୍ଡୋଲ ପ୍ରକଳ୍ପ କଥା ଉଠିଥିଲା। ଏହା ସେତେବେଳ ପାଇଁ ସମ୍ଭବପର ନଥିଲା। କାରଣ ହୀରାକୁଦ ବିସ୍ଥାପିତଙ୍କ କ୍ଷତ ଆଜିଯାଏ ଶୁଖିନାହିଁ। ତେଣୁ ସେ ସମୟରେ ଟିକରପଡ଼ା ଓ ମଣିଭଦ୍ରାକୁ ନେଇ ତୀବ୍ର ଆନ୍ଦୋଳନ ଦେଖାଦେଇଥିଲା। ତେଲ, ହାତୀ, ହରିହରଯୋର, ଶାଲୁଙ୍କି, ଜିରା, ଅଙ୍ଗ, ଶୁକତେଲ ଆଦି ଉପନଦୀଗୁଡ଼ିକର ଜଳପ୍ରବାହକୁ ସୁନିୟନ୍ତ୍ରିତ ଓ ସୁପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରାଗଲା ନାହିଁ।

ସେହିପରି ମହାନଦୀର ଶାଖା ନଦୀରେ ଜଳସେଚନ ବା ଜଳସଂରକ୍ଷଣ ପାଇଁ ବିଗତ ୪୦ ବର୍ଷ ମଧ୍ୟରେ କୌଣସି ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ଅନେକ ଶାଖାନଦୀ ଏବେ ପ୍ରାୟ ମୃତ। ନରାଜ ପରେ ପରେ ମହାନଦୀ ତ୍ରିକୋଣଭୂମି ଆରମ୍ଭ ହୋଇଯାଇଛି। ମଣ୍ଡାପଡ଼ା ନିକଟରେ ମହାନଦୀର ବାମପାର୍ଶ୍ବରୁ ବିରୁପା ନଦୀ ଶାଖା ମେଲାଇ ଥିବାବେଳେ ଡ଼ାହାଣରେ କାଠଯୋଡ଼ି। କାଠଯୋଡ଼ି ବାମପାର୍ଶ୍ବରୁ କାଜିପାଟଣା ନିକଟରୁ କୁଆଖିଆ ନଦୀ ବାହାରି ଦୟା, ଭାର୍ଗବୀ ଓ କୁଶଭଦ୍ରା ଆଦି ନାମରେ ପୁରୀ ଜିଲାରେ ଘେରିଛି। କାଠଯୋଡ଼ି ଆଗକୁ ଯାଇ ଦେବୀ, କନ୍ଦଳ, ଛିଣ୍ଡା, ଦଇଖାଇ, ବିଲୁଆଖାଇ, ଅଳକା ଆଦିରେ ପରିଣତ ହୋଇଥିବାବେଳେ ମୂଳ ମହାନଦୀ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାରେ ଲୁଣା, ଚିତ୍ରୋତ୍ପଳା, ଗେଙ୍ଗୁଟି ଓ ପାଇକା ଆଦି ଏକାଧିକ ଶାଖାନଦୀରେ ପରିଣତ ହୋଇଛି। ଏହା ମଧ୍ୟରେ ରହିଛି ପ୍ରାଚୀ। ଫୁଲନଖରା ଛକଠାରୁ କଣ୍ଟାପଡ଼ା, ଅଡ଼ଶପୁର ରାସ୍ତା ଦେଇ ଯିବାବେଳେ ଡ଼ାହାଣ ପାର୍ଶ୍ବରେ ପ୍ରାଚୀର ଆଉ ଚିହ୍ନବର୍ଣ୍ଣ ଦେଖାଯାଉ ନାହିଁ।

୧୯୮୨ ବନ୍ୟାରେ ଉଦବୃତ୍ତ ଜଳରାଶିକୁ ପ୍ରାଚୀ ନିଜ ଗର୍ଭରେ ଧରି ରଖିଥିଲା, କିନ୍ତୁ ପ୍ରାଚୀର ସେ ଅବସ୍ଥା ଆଉ ନାହିଁ। ଏହାର ଶେଷ ପର୍ଯ୍ୟାୟ କାଦୁଆ ମୁହାଁଣ ଏବେ ସଂପୂର୍ଣ୍ଣ ପୋତି ହୋଇଯାଇଛି। ଆଖପାଖରେ ଥିବା ଚାଷଜମିକୁ ସ୍ଥାନୀୟ ଜନସାଧାରଣ ଶାଗମାଛ ମୂଲରେ ବିକ୍ରି କରୁଛନ୍ତି। ଏହାକୁ କିଣୁଛନ୍ତି ଶିଳ୍ପପତି, ପ୍ରଭାବଶାଳୀ ବ୍ୟକ୍ତି ଓ ଜମି ମାଫିଆ। ସମାନ ଅବସ୍ଥା କନ୍ଦଳ ନଦୀର। ସେପଟେ ବିରୂପାର ଉତ୍ପତ୍ତି ସ୍ଥଳ କଟକ ନିକଟରେ ପୋତି ହୋଇଗଲାଣି। ଫଳରେ ତଳମୁଣ୍ଡକୁ ପାଣି ଯାଇନପାରି ନଦୀ ମଧ୍ୟରେ ଚଡ଼ା ଓ ମାଳମାଳ ଅଣଖୁଆ ଗଛ ଭର୍ତ୍ତି ହୋଇଗଲାଣି। ଦେବୀ ନଦୀର ଦଳେଇଘାଇ ବନ୍ଧ ଉପରେ ଖରାଦିନେ ଛିଡ଼ା ହେଲେ ଏଠା‌ରେ ଯେ ୧୯୫୫ ମସିହାରେ ଏକ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଥିଲା ତାହା ଅନୁମାନ କରିହେଉ ନାହିଁ।

ଏ ହେଲା ମହାନଦୀ ତ୍ରିକୋଣଭୂମିରେ ଥିବା ଶାଖାନଦୀଗୁଡିକର ଦୂରାବସ୍ଥା ସଂପର୍କରେ ବିହଙ୍ଗାବଲୋକନ। ଶାଖା ନଦୀଗୁଡ଼ିକର ଏପରି ମୃତ ଅବସ୍ଥା ଯୋଗୁଁ ତ୍ରିକୋଣଭୂମି ଅଞ୍ଚଳର ଏକ ବିସ୍ତୀର୍ଣ୍ଣ ଜନଜୀବନ ପ୍ରଭାବିତ ହେଉଛି। ସମାନ ଭାବେ ଯେତେବେଳେ ଅଚାନକ ବନ୍ୟା ଆସିଛୁ, ପୁରା ଇକୋ ସିଷ୍ଟମ ଗଡବଡ ହୋଇଯାଉଛି। ନଦୀଶଯ୍ୟାଗୁଡିକ ପୋତି ହୋଇପଡ଼ିବା ସହ ବନ୍ୟାଜଳ ନିଷ୍କାସନ ପଥ ବିଭିନ୍ନ ନିର୍ମାଣ କାର୍ଯ୍ୟ ଯୋଗୁଁ ସଙ୍କୁଚିତ ହେଉଛି। ନିଷ୍କାସନ ପଥ ସଙ୍କୁଚିତ ହେବାରୁ କ୍ଷୟକ୍ଷତି ବଢ଼ୁଛି। ତେଣୁ ପୁରୁଣା ହିସାବରେ ନଦୀରେ ଯେତିକି ବନ୍ୟାଜଳ ଆସୁଛି ତାହା ତଳମୁଣ୍ଡରେ ଆଗ ଅପେକ୍ଷା ଅଧିକ କ୍ଷୟକ୍ଷତି ଘଟାଉଛି। ସେ ଦୃଷ୍ଟିରୁ ନଦୀ ଶଯ୍ୟା ଖନନ ଓ ବନ୍ୟାଜଳ ନିଷ୍କାସନ ପଥକୁ ଅବରୋଧମୁକ୍ତ କରିବା ପାଇଁ ନୂଆ ମାଷ୍ଟର ପ୍ଲାନ ତଥା ନଦୀଭିତ୍ତିକ ଯୋଜନା କାର୍ଯ୍ୟକାରୀ ହେବାର ଆବଶ୍ୟକତା ରହିଛି। ତା ନହେଲେ ବର୍ଷ ପରେ ବର୍ଷ ବିତୁଥିବ ଆଉ ବନ୍ୟା ଆସିଲେ ଲୋକେ ଏମିତି ହଇରାଣ ହେଉଥିବେ ଓ ରାଜକୋଷରୁ ଅଜସ୍ର ଅର୍ଥ ଖର୍ଚ୍ଚ ଚାଲିଥିବ। ବନ୍ଧବାଡ଼ର ମରାମତି, ସ୍ଥାୟିତ୍ବ ରକ୍ଷା ଏବଂ ବନ୍ୟାପାଣି ନିଷ୍କାସନ ପଥ ର ପରିଚାଳନା କେମିତି ଚମତ୍କାର ଭାବେ କରିହୁଏ ତାହା ବାଂଲାଦେଶରେ ଦେଖିବାକୁ ମିଳେ। ବିଶ୍ବର ସବୁଠୁ ଅଧିକ ବନ୍ୟାପ୍ରବଣ ଏହି ଦେଶ ଏବେ ବନ୍ୟା ପରିଚାଳନାରେ ବେଶ୍‌ ସଫଳତା ହାସଲ କରିଛି। ଓଡ଼ିଶା ଏଥିରୁ କିଛି ଶିଖିବା ଦରକାର।..

Leave A Reply