ହିମାଂଶୁ ଶେଖର ଆଚାର୍ଯ୍ୟ : ନିକଟରେ ପ୍ରକାଶିତ ମାଟ୍ରିକ୍ ପରୀକ୍ଷାରୁ ଆମ ଶିକ୍ଷା ବ୍ୟବସ୍ଥାର ମାନ ଦିନକୁ ଦିନ ଦୟନୀୟ ହୋଇପଡିଥିବା ଜଣାପଡୁଛି । ରାଜ୍ୟରେ ମାଟ୍ରିକ୍ ପାସ୍ ହାର ୭୮.୭୬ ପ୍ରତିଶତ ହୋଇଛି ବୋଲି ସରକାର ବାହାବା ନେଉଥିବା ବେଳେ ବାସ୍ତବରେ କିନ୍ତୁ ସରକାରୀ ଓଡିଆ ମାଧ୍ୟମିକ ସ୍କୁଲର ଫଳାଫଳ ଭିନ୍ନ କଥା କହୁଛି । ଏହି ପରୀକ୍ଷାରେ ସରସ୍ୱତୀ ଶିଶୁମନ୍ଦିର, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ଶୋଭନୀୟ ଶିକ୍ଷାଶ୍ରମ ଓ ସତ୍ୟସାଇ ସ୍କୁଲ ଆଦିର ଫଳାଫଳ ତୁଳାନାତ୍ମକ ଭାବେ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ଗୁଡିକ ଠାରୁ ଢେର୍ ଅଧିକ । ଚଳିତ ପରୀକ୍ଷାରେ ସାରା ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ୍ ପାଇଛନ୍ତି ମାତ୍ର ୧୨୭୯ ଜଣ ।
ସେହିଭଳି ୮୦ ରୁ ୯୦ ପ୍ରତିଶତ ନମ୍ବର ରଖି ଏ-୨ ଗ୍ରେଡ୍ ପାଇଛନ୍ତି ୮୪୫୮ ଜଣ । ୭୦ ରୁ ୮୦ ପ୍ରତିଶତ ନମ୍ବର ରଖି ବି-୧ ଗ୍ରେଡ୍ ପାଇଛନ୍ତି ୧୮,୧୮୮ ଜଣ । ୬୦ ରୁ ୭୦ ପ୍ରତିଶତ ନମ୍ବର ରଖି ବି-୨ ଗ୍ରେଡ୍ ପାଇଛନ୍ତି ୩୧,୩୨୮ ଜଣ । ମୋଟା ମୋଟି ଭାବେ ୭୦ ପ୍ରତିଶତରୁ ୯୦ ପ୍ରତିଶତ ନମ୍ବର ଯେତେ ଛାତ୍ରଛାତ୍ରୀ ରଖିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅଗ୍ରଣି ବେସରକାରୀ ସ୍କୁଲର । ଏଥର ମାଟ୍ରିକ୍ ପରୀକ୍ଷାରେ ୧ଲକ୍ଷ ୧୨ହଜାରରୁ ଅଧିକ ଛାତ୍ରଛାତ୍ରୀ ମାନେ ଫେଲ୍ ହୋଇଥିବା ବେଳେ ୨,୨୩,୧୯୫ ପରୀକ୍ଷାର୍ଥୀ ୩୩ରୁ ୪୦ ପ୍ରତିଶତ ନମ୍ବର ରଖିଛନ୍ତି । ତେବେ ଓଡିଆ ମାଧ୍ୟମ ସ୍କୁଲର ମାଟ୍ରିକ ଫଳାଫଳ ସେତେ ସନ୍ତୋଷଜନକ ନୁହେଁ ଏହା ସ୍ୱୀକାର୍ଯ୍ୟ ।
ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍କୁଲରେ ବାନ୍ଧି ହୋଇ ରହିବା ପାଇଁ ଛାତ୍ରଛତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରୁଛନ୍ତି ।ଦେଶର ଭବିଷ୍ୟତ ଗଢିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ କଥା କହୁଛି । ଏହା ସତ୍ତ୍ୱେ ଛାତ୍ରଛାତ୍ରୀ ମାନେ ଅଧାରୁ ପାଠ ପଢା ଛାଡୁଛନ୍ତି । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ ଡ୍ରପ୍ଆଉଟ୍ ହାର ୫.୪୨ ପ୍ରତିଶତ ଥିବାବେଳେ ରାୟଗଡାରେ ସର୍ବାଧିକ ୧୧.୬୭ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଛନ୍ତି ।କେନ୍ଦ୍ରାପଡାରେ ଏହି ହାର ୮.୯ ପ୍ରତିଶତ ଥିବା ବେଳେ , କଳାହାଣ୍ଡିରେ ୮.୪୬ ପ୍ରତିଶତ ରହିଛି । ଉଚ୍ଚ ପ୍ରାଥମିକରେ ରାୟଗଡାରେ ସର୍ବାଧିକ ୧୭.୧୦ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ, ମାଲକାନଗିରିରେ ୧୩.୭୮ ଓ ଯାଜପୁରରେ ୧୨.୬୩ ପ୍ରତିଶତ ପିଲା ପାଠ ଛାଡୁଛନ୍ତି । ସେହପରି ମାଧ୍ୟମିକ ସ୍ତରରେ ୧୮.୨% ପିଲା ଅଧାରୁ ପାଠ ଛାଡୁଛନ୍ତି ।
ପୁରୀରେ ସର୍ବାଧିକ ୧୦.୦୫ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ବାଲେଶ୍ୱରରେ ୮.୭୩ ଓ ସମ୍ବଲପୁରରେ ୮.୧୬ ପ୍ରତିଶତ ପିଲା ପାଠ ଛାଡୁଛନ୍ତି । ଏପରିକି ଶିକ୍ଷା ଅଧିକାର ଆଇନ୍ କାର୍ଯ୍ୟକାରୀ ହେବାର ଦଶ ବର୍ଷ ପରେବି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିପାରି ନାହିଁ । ଏକ ଆକଳନରୁ ଜଣାପଡିଛି ୨୦୧୦-୧୧ ବର୍ଷରେ ଆମ ରାଜ୍ୟର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରାୟ ସାଢେ ସାତ ଲକ୍ଷ ପିଲା ନାଁ ଲେଖାଇ ଥିଲେ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ୍ ଉଠାଇ ଦିଆଯିବା ସହିତ ମଧ୍ୟାହ୍ନ ଭୋଜନ , ମାଗଣାରେ ପୁସ୍ତକ ଯୋଗାଣ, ପିଲାଙ୍କୁ ଜୋତାମୋଜା ସହିତ ପୋଷାକ ବଣ୍ଟନ ଏପରିକି ଉଚ୍ଚ ଶ୍ରେଣୀରେ ସାଇକେଲ ବଣ୍ଟନ ସହିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟାଇପେଣ୍ଡ ବଣ୍ଟନ ସତ୍ତ୍ୱେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ପ୍ରାୟ ୨ଲକ୍ଷ ପିଲା କୈାଣସି ନା କୈାଣସି କାରଣରୁ ପାଠପଢା ଛାଡୁଛନ୍ତି ।
ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଥିବା ସମସ୍ତ ୫୧,୪୩୪ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ପିଇବା ପାଣି ବ୍ୟବସ୍ଥା ଥିବା ବେଳେ ୩୪,୩୯୪ ସ୍କୁଲରେ ପାଣି ସହ ଶୈାଚାଳୟ ବ୍ୟବସ୍ଥା ନାହିଁ । ସେହିପରି ୩୫,୬୭୯ ବିଦ୍ୟାଳୟରେ ବିଜୁଳି ବ୍ୟବସ୍ଥା ନଥିବା ବେଳେ ୩୭,୬୪୫ ସ୍କୁଲରେ ଖେଳ ପଡିଆ ନାହିଁ । ୧୬,୩୬୮ ବିଦ୍ୟାଳୟରେ ପାଚେରୀ ନଥିବା ବେଳେ ୨୪୫୧ ସ୍କୁଲରେ ପାଠାଗାର ନାହିିିିିିିିିିିିିିିିିିି । ଏଥି ସହିତ ୩୭,୬୩୫ରେ ଖେଳ ପଡିଆ ନ ଥିବା ବେଳେ ୧୨,୨୮୦ ବିଦ୍ୟାଳୟର ରୋଷେଇ ଘର ଏବଂ ୧୭,୭୬୩ ସ୍କୁଲରେ ପାଚେରୀ ନାହିଁ । ସବୁଠୁ ପରିତାପର ବିଷୟ ୩୬୮ ବିଦ୍ୟାଳୟର ନିଜସ୍ୱ ଘର ମଧ୍ୟ ନାହିଁ ।
ଆହୁରି ମଧ୍ୟ ରାଜ୍ୟର ୯୦ ଟି ବିଦ୍ୟାଳୟରେ କଳାପଟ୍ଟା ବ୍ୟବସ୍ଥା ନାହିଁ ।ଏଥିରୁ ରାଜ୍ୟରେ ଥିବା ସ୍କୁଲ ମାନଙ୍କର ଭିତ୍ତିଭୂମି କେଉଁ ଅବସ୍ଥାରେ ଅଛି ଓ ସେଠାରେ କିପରି ପାଠ ପଢା ଚାଲିଛି ତାହା ସ୍ପଷ୍ଟ ଭାବେ ଅନୁଭବ କରିହେଉଛି । ୩୪,୨୩୮ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୩୨,୫୫୩ଟିରେ ପ୍ରତି ଶ୍ରେଣୀରେ ପାଠ ପଢାଇବା ଲାଗି ଜଣେ କରି ଶିକ୍ଷକ ନାହାଁନ୍ତି । ସେହିପରି ୧୭,୭୨୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୧୨,୪୬୬ଟିରେ ପ୍ରତି ଶ୍ରେଣୀ ପାଇଁ ଜଣେ କରି ଶିକ୍ଷକ ନାହାଁନ୍ତି । ୨୯,୯୪୪ଟି ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ ନ ଥିବା ବେଳେ ୧୧,୭୪୪ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢିବା ପାଇଁ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଘର ନାହିଁ । କେବଳ ୧୬୮୫ ପ୍ରାଥମିକ ଓ ୫୨୬୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । ରାଜ୍ୟରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡିକରେ ୨,୫୮୫ଟି ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି ।
ଏଥି ସହିତ ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ ଶିକ୍ଷାର ବିକାଶରେ ଏକ ପ୍ରମୁଖ ସମସ୍ୟା ରୂପେ ଉଭାହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଜୁଳି ଆଲୋକ, ସୁସ୍ଥ ଶିକ୍ଷଣୀୟ ପରିବେଶ ଭଳି ଆବଶ୍ୟକତାକୁ ପୁରଣ କରାଯାଇପାରିନାହିଁ । ଫଳ ସ୍ୱରୂପ, ଛାତ୍ରଛାତ୍ରୀ ମାନଙ୍କର ଶୈକ୍ଷିକ ଦକ୍ଷତା ହ୍ରାସ ପାଇବାରେ ଲାଗିଛି । ନିକଟରେ ଘରୋଇ ସଂସ୍ଥା “ଆସର” ପକ୍ଷରୁ ଗ୍ରାମାଞ୍ଚଳ ବିଦ୍ୟାଳୟ ଓ ଶିକ୍ଷାସ୍ତର ସ୍ଥିତି ଉପରେ କରାଯାଇଥିବା ସର୍ଭେ ତଥ୍ୟ ଅନୁଯାୟୀ ଆହୁରି ଉଦ୍ବେଗର ବିଷୟ ହେଲା ପ୍ରଥମ ଶ୍ରେଣୀରେ ପଢୁଥିବା ୩୮ % ପିଲା ଓଡିଆ ଅକ୍ଷର ପଢିପାରୁ ନାହାଁନ୍ତି । ୨୯.୩ % ପିଲା ଅକ୍ଷର ପଢୁଥିଲେ ମଧ୍ୟ ଚିହ୍ନିପାରୁ ନାହାଁନ୍ତି । ସେହିପରି ଅଷ୍ଟମ ଶ୍ରଣୀରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ।
ଶିକ୍ଷା ଅଧିକାର ଆଇନ ଅନୁସାରେ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ୨ଲକ୍ଷ ୨୪ ହଜାର ୩୩୦ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଛନ୍ତି ୧ଲକ୍ଷ ୧୫ହଜାର ୮୩୩ଜଣ ନିୟମିତ ଶିକ୍ଷକ । ବଳକା ୧ ଲକ୍ଷ ୮ହଜାର ୪୯୭ଜଣ ନିୟମିତ ଶିକ୍ଷକ ପଦବୀ ସ୍ଥାନରେ ୭୩ହଜାର ୭୩୬ଜଣ ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କୁ ନେଇ ଚାଲିଛି ଶିକ୍ଷା ବ୍ୟବସ୍ଥା ଚାଲିଛି । ଏବେ ୩୪,୭୭୯ ଶିକ୍ଷକ ପଦବୀ ଖାଲି ପଡିଛି । ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବା ତ ଦୂରର କଥା କେଉଁଠି ପାଞ୍ଚଟି ଶ୍ରେଣୀକୁ ଜଣେ ତ କେଉଁଠି ୭ଟି ଶ୍ରେଣୀକୁ ୨/୩ଜଣ ଶିକ୍ଷକରେ ସ୍କୁଲ୍ ଚାଲିଛି । ସେହିପରି ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟମାନଙ୍କରେ ମଧ୍ୟ ଶିକ୍ଷକମାନଙ୍କ ମରୁଡି । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୫,୬୫୬ ଶିକ୍ଷକ ପଦବୀ ଖାଲିପଡିଛି । ସେହିପରି କେତେକ ସ୍କୁଲରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନାହାଁନ୍ତି । ସେଠାରେ ପ୍ରକ୍ସିରେ ଚାଲିଛି ପାଠପଢା ।
ଏସବୁ କଥା ବିଚାରକୁ ନେଲେ ଓଡିଆ ମାଧ୍ୟମ ସ୍କୁଲରେ ଶିକ୍ଷାର ମାନ ଦିନକୁ ଦିନ କମିବା ଏକ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି । ଫଳରେ ସବୁ ଅଭିଭାବକ ଓ ଅଭିଭାବିକା ଏବେ ସରକାରୀ ସ୍କୁଲ ଛାଡି ବେସରକାରୀ ସ୍କୁଲ ମୁହାଁ । ଭିତ୍ତିଭୂମି, ଚାକଚକ୍ୟ, ବିଜ୍ଞାନାଗାର, ଗ୍ରନ୍ଥାଗାର, ସବୁଥିରେ ବେସରକାରୀ ସ୍କୁଲ ସରକାରୀ ସ୍କୁଲ ଠାରୁ ଆଗୁଆ । ବିଶେଷକରି କୃତିତ୍ୱ ହାସଲ କ୍ଷେତ୍ରରେ ମଧ୍ୟ ବେସରକାରୀ ସ୍କୁଲର ଫଳାଫଳ କାହିଁ କେତେ ଆଗରେ । ତେଣୁ ଏଦିଗରେ ଗଭୀର ଭାବେ ଅନୁଶୀଳନ କରିବାର ଅଛି ।